କପିଳଙ୍କ ନେତୃତ୍ବାଧୀନ କମିଟି ବାଛିବ ମୁଖ୍ୟ ପ୍ରଶିକ୍ଷକ
ନୂଆଦିଲ୍ଲୀ: ଭାରତକୁ ପ୍ରଥମ ବିଶ୍ବକପ୍ ଚମ୍ପିଆନ୍ କରିଥିବା ଅଧିନାୟକ କପିଳ ଦେବଙ୍କ ନେତୃତ୍ବାଧୀନ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକଙ୍କୁ ମନୋନୟନ କରିବେ। ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ବିସିସିଆଇ ଦରଖାସ୍ତ ଆହ୍ବାନ କରିବା ପରେ ଏବେ ଆଶାୟୀ ମୁଖ୍ୟ ପ୍ରଶିକ୍ଷକମାନଙ୍କ ଆବେଦନ ପ୍ରକ୍ରିୟା ଜାରି ରହିଛି। ଅଗଷ୍ଟ ମାସ ମଧ୍ୟଭାଗରେ ସମ୍ଭାବ୍ୟ ମୁଖ୍ୟ ପ୍ରଶିକ୍ଷକମାନଙ୍କ ସାକ୍ଷାତ୍କାର ଅନୁଷ୍ଠିତ ହେବ; ଯାହାର ଦାୟିତ୍ବ ମିଳିଛି କପିଳ ଦେବ ନେତୃତ୍ବାଧୀନ ସିଏସି ଉପରେ। ଭାରତୀୟ କ୍ରିକେଟ୍ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ ପ୍ରଶାସକ କମିଟି (ସିଓଏ)ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା।
ମହାନ୍ ଅଲ୍ରାଉଣ୍ଡର କପିଳ ଦେବଙ୍କ ସହ କ୍ରିକେଟ ପରାମର୍ଶଦାତା କମିଟି (ସିଏସି)ରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ପୂର୍ବତନ ଭାରତୀୟ ଟେଷ୍ଟ ଓପ୍ନର ତଥା ଭାରତୀୟ ପ୍ରଶିକ୍ଷକ ଅଂଶୁମାନ ଗାଏକ୍ୱାଡ ଓ ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ଶାନ୍ତା ରଙ୍ଗସ୍ବାମୀ। ଶୁକ୍ରବାର ବୈଠକ ପରେ ସିଓଏର ଅଧ୍ୟକ୍ଷ ବିନୋଦ ରାୟ କହିଛନ୍ତି, ଏହି ୩ ଜଣ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକଙ୍କୁ ବାଛିବେ। ଏହା ଏକ ଅସ୍ଥାୟୀ କମିଟି ନୁହେଁ। ତେବେ ସ୍ବାର୍ଥନିହିତ ସମସ୍ୟା ସୃଷ୍ଟିହେଲେ; ଏହି କମିଟିର ସ୍ଥାୟିତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ। ଆଶାୟୀ ପ୍ରାର୍ଥୀମାନଙ୍କର ସାକ୍ଷାତ୍କାର ଅଗଷ୍ଟ ମଧ୍ୟଭାଗରେ ଅନୁଷ୍ଠିତ ହୋଇପାରେ। ଇଂଲଣ୍ଡରେ ଅନୁଷ୍ଠିତ ଗତ ବିଶ୍ବକପ୍ ସହ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ରବି ଶାସ୍ତ୍ରୀଙ୍କ କାର୍ୟ୍ୟକାଳ ସମାପ୍ତ ହୋଇ ଯାଇଥିଲା। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ପର୍ୟ୍ୟନ୍ତ ତାଙ୍କ କାର୍ୟ୍ୟକାଳକୁ ବଢ଼ାଇ ଦିଆଯାଇଛି। ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତ ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ପର୍ୟ୍ୟନ୍ତ ନିର୍ଦ୍ଧାରିତ ହୋଇଛି।
Comments are closed.