‘୯୯% ପୁରୁଷଙ୍କ ଦୋଷ…’ ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟାକୁ ନେଇ ଏମିତି କହିଲେ କଙ୍ଗନା

ନୂଆଦିଲ୍ଲୀ : ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସୋମବାର ଫାଶୀ ଲଗାଇଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ଦେଢ ଘଣ୍ଟାର ଏକ ଭିଡିଓ କରିଥିଲେ । ୨୪ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ମଧ୍ୟ ଛାଡିଥିଲେ । ଏହା ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ଏହି ମାମଲାରେ ବୟାନ ଦେଇଛନ୍ତି ଯେଉଁଥିରେ ବିବାଦ ହୋଇପାରେ । କଙ୍ଗନା କହିଛନ୍ତି କି ‘ଜଣେ ଭୁଲ୍ ମହିଳାଙ୍କ ଉଦାହରଣ ନେଇ ଯେତେ ମହିଳାଙ୍କୁ ପ୍ରତିଦିନ ନିର୍ଯାତନା ଦିଆଯାଉଛି ତାକୁ ମିଛ ବୋଲି କହିହେବନି । ୯୯ ପ୍ରତିଶତ ବିବାହିତ ପୁରୁଷଙ୍କ ଦୋଷ ଥାଏ, ଏଥିପାଇଁ ଏମିତି ଭୁଲ୍ ହୁଏ ।’

କଙ୍ଗନା କହିଛନ୍ତି କି ଅତୁଲଙ୍କୁ କୋଟି କୋଟି ଟଙ୍କା ମଗାଯାଉଥିଲା ଯାହା ତାଙ୍କ କ୍ଷମତାଠୁ ବାହାରେ ଥିଲା । ଏହା ନିନ୍ଦନୀୟ । ଯୁବପିଢିଙ୍କ ଉପରେ ଏମିତି ବୋଝ ରହିବା ଠିକ୍ ନୁହେଁ । ଯାହା ତାଙ୍କ ଦରମା ଥିଲା ସେ ତାଠୁ ୪ ଗୁଣା ଯୋଗାଉଥିଲେ । ଏହି ମାମଲାର ରିଭ୍ୟୁ କରିବା ଉଚିତ୍ । ଏହା ସହିତ ଏଭଳି ଘଟଣାର ମୁକାବିଲା ପାଇଁ ଏକ ଅଲଗା ଓ୍ବିଙ୍ଗ୍ ପ୍ରସ୍ତୁତ କରିବା ଉଚିତ୍ ।

ଉତ୍ତର ପ୍ରଦେଶର ଅଧିବାସୀ ଅତୁଲ ସୁଭାଷ ବେଙ୍ଗାଲୁରୁର ମରାଠାହଲ୍ଲୀ ସ୍ଥିତ ନିଜ ଫ୍ଲାଟରେ ଫାଶୀ ଲଗାଇଥିଲେ । ୩୪ ବର୍ଷୀୟ ଅତୁଲ ସୁଭାଷ ବେଙ୍ଗାଲୁରୁ ସହରରେ ଏକ ପ୍ରାଇଭେଟ୍ ଫର୍ମରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଡିଜିଏମ୍ ପଦରେ କାମ କରୁଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ଏକ ୨୪ ପୃଷ୍ଠାର ଆତ୍ମହତ୍ୟା ନୋଟ୍ ଲେଖିଥିଲେ । ଏଥିରେ ସେ ନିଜ ପତ୍ନୀ ଓ ଶ୍ବଶୂର ଘର ଲୋକଙ୍କ ଉପରେ ନିର୍ଯାତନାର ଅଭିଯୋଗ ଲଗାଇଥିଲେ । ଅତୁଲ ଏହା ମଧ୍ୟ କହିଥିଲେ କି ତାଙ୍କ ପତ୍ନୀ ୩ କୋଟି ଟଙ୍କା ଦାବି କରୁଥିଲେ । ପିଲାର ଦେଖାରଖା ପାଇଁ ଅଲଗା ପଇସା ମଧ୍ୟ ମାଗୁଥିଲେ । ଅତୁଲ ନିଜ ପାଇଁ ନ୍ୟାୟ ଦାବି କରିଛନ୍ତି । ସେ ନିଜ ମେସେଜରେ ଟ୍ବିଟର ମାଲିକ ଏଲନ ମସ୍କ ଓ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

Comments are closed.