କନ୍ଧମାଳ ଓ ଗଜପତି ସୀମାନ୍ତ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଜଣେ ମୃତ

ବ୍ରାହ୍ମଣୀଗାଁ – ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର ରାଇଗଣ୍ଡା ଘାଟୀ ବୁଲାଣିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଉକ୍ତ ଘାଟିରେ ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ଜୀବନ ହରାଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ସୋନୁପୁର ଗ୍ରାମର ଶଲ୍ୟ ଘଡ଼େଇ (୩୪) ।

ସୂଚନା ଅନୁଯାୟୀ ଶଲ୍ୟ ବିବାହ ପରେ କଟାମା ପଞ୍ଚାୟତର ରାଜଖମା ନିଜ ଶ୍ୱଶୁର ଘରେ ଘରଜ୍ୱାଇଁ ଭାବେ ରହୁଥିଲେ । ସେ ବାଇକ ଯୋଗେ କୌଣସି କାମରେ ମୋହନା ଯାଇ ନିଜ ଗ୍ରାମ ସୋନୁପୁର ଅଭିମୁଖେ ଆସୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ଉକ୍ତ ଘଟି ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପାଣିଗଣ୍ଡା ସ୍ଥିତ ପୁଲିସ ଫାଣ୍ଡି ବିଟ ହାଉସକୁ ଖବର ଦେଇଥିଲେ ।ଖବର ପାଇ ଦାୟିତ୍ଵରେ ଥିବା କନେଷ୍ଟବଳ ତୁଳସୀ ରାମ ରେଡ଼ି ଓ ଚନ୍ଦ୍ର ଶେଖର ରେଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଅଡବା ଥାନା ଉପ ଆରକ୍ଷୀ ଅଧିକାରୀ ହୃଷିକେଶ ପଣ୍ଡାଙ୍କ ପରାମର୍ଶରେ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଅଟୋ ଯୋଗେ ଉକ୍ତ ଆହତ ବ୍ୟକ୍ତିଙ୍କୁ ଅଡବା ମେଡ଼ିକାଲରେ ପହଞ୍ଚାଇ ଥିଲେ ।

ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରୁ ଉକ୍ତ ମୃତ ବ୍ୟକ୍ତିଙ୍କ ପଡିଥିବା ମନିପର୍ସକୁ ଉଦ୍ଧାର କରି ପର୍ସରେ ଥିବା ପାଞ୍ଚ ହଜାର ଟଙ୍କାକୁ ସ୍ଥାନୀୟ ସରପଞ୍ଚ ବାବୁଲି ପାଟମାଝୀଙ୍କ ଉପସ୍ଥିତିରେ ଗଣତି କରି ଟଙ୍କା ସହ କିଛି ପ୍ରମାଣ ପତ୍ରକୁ ପୁଲିସ ଉଦ୍ଧାର କରି ସୁରକ୍ଷିତ ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସେ ସବୁ ହସ୍ତାନ୍ତର କରାଯିବ ବୋଲି ଉପ ଆରକ୍ଷୀ ଅଧିକାରୀ ଶ୍ରୀ ପଣ୍ଡା କହିଛନ୍ତି । ଠିକ ସେହି ସମୟରେ ଆଉ ଜଣେ ବାଇକ ଆରୋହୀ ମଧ୍ୟ ଭାର ସାମ୍ୟ ହରାଇ ସେହି ସ୍ଥାନରେ ପଡ଼ିଯାଇ ଭୟରେ ବାଇକ ଛାଡ଼ି ପଳାଇ ଯାଇଥିବା ଜଣା ପଡ଼ିଛି।

Comments are closed.