କଣ୍ଟାମାଳ :ନିଜ ପୁଅର ଏକୋଶିଆ ଭୋଜିକୁ ନେଇ ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ଶେଷକୁ ହାତାହାତି ହେବାର କୁପରିଣତି ଭୋଗିବାକୁ ପଡିଛି ଜଣକୁ, ସାଙ୍ଗ ଗୋଡର ପ୍ରଚଣ୍ଡ ଆଘାତରେ ଭାଙ୍ଗିଗଲା ମେରୁଦଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା ଲଏଡା ଗାଁରେ, ଏହି ଗ୍ରାମର ରଞ୍ଜିତ ସେଠୀ (୨୫ ବର୍ଷ) ଓ ନାଗାର୍ଜ୍ଜୁନ ପ୍ରଧାନ ଦୁଇ ସାଙ୍ଗ। ନାଗାର୍ଜୁନର ପୁଅର ଏକୋଶିଆ ଭୋଜି ପାଇଁ କୁଆଡେ ଗତ ୩ ତାରିଖରେ କଥା କଟାକଟି ହୋଇ ହାତାହାତି ହୋଇ ପଡିଥିଲେ। ପରବର୍ତ୍ତୀ ସମୟରେ ହଠାତ୍ ଅତର୍କୀତଭାବେ ରଞ୍ଜୀତ ନିଜ ଗୋଡରେ ନାଗାର୍ଜ୍ଜୁନକୁ ଶକ୍ତ ଆଘାତ ଦେଇଥିଲା, ଯଦ୍ୱାରା ନାଗାର୍ଜ୍ଜୁନ ନିଜ ମେରୁଦଣ୍ଡରେ ଗଭୀର ଆଘାତ ପାଇ ଘଟଣାସ୍ଥଳରେ ହିଁ ପଡି ଆଉ ଉଠି ପାରିନଥିଲା।
ଘଟଣା ସ୍ଥଳରୁ ହିଁ ମୁର୍ମୁଷ ଅବସ୍ଥାରେ ପରିବାର ଲୋକେ ପ୍ରଥମେ ସୋନପୁର, ବୁର୍ଲା ଓ ଶେଷରେ କଟକ ବଡ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ ହେଁ ନାଗାର୍ଜୁନର ମେରୁଦଣ୍ଡରେ ଗଭୀର ଆଘାତ ହୋଇଥିବା ଯୋଗୁ ତାରି ଗୋଡ, ହାତ ପକ୍ଷଘାତର ଶିକାର ହୋଇ ବର୍ତ୍ତମାନ ମୃତ୍ୟୁ ସହିତ ସଂଗ୍ରାମ କରୁଥବା ପରିବାର ସୁତ୍ରରୁ ଜଣାଯାଇଛି।।ଫଳପ୍ରଦ ଚିକିତ୍ସା ପାଇଁ ଓଡିଶା ବାହାରେ ଚିକିତ୍ସା କରିବାକୁ ଡାକ୍ତର କୁଆଡେ କହୁଥିଲେ ହେଁ ପରିବାର ଆର୍ଥିକ ପରିସ୍ଥିତି ଆଦୌ ସ୍ୱଚ୍ଛଳ ନଥିବାରୁ ବର୍ତ୍ତମାନ ନାଗାର୍ଜ୍ଜୁନ କଟକ ବଡ ହାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ଜଣାଯାଇଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ଉଭୟ ପରିବାର ପକ୍ଷରୁ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା କୁହାଯାଉ ଥିବା ବେଳେ ମାଡ ମାରିଥିବା ରଞ୍ଜିତ ଭୟରେ କୁଆଡେ ଫେରାର ମାରିଥିବା ଜଣାଯାଇଛି।



