ସ୍ଥାୟୀ ବିଇଓ ପଦବୀ ପୂରଣ ପାଇଁ ଦାବି

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ସ୍ଥାୟୀ ବିଇଓ ପଦବୀ ପୂରଣ ପାଇଁ ସାଧାରଣରେ ଦାବି ହୋଇଛି । ଉକ୍ତ ଗୋଷ୍ଠୀ ଶିକ୍ଷା କେନ୍ଦ୍ରରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଦୁଇଟି ଅତିରିକ୍ତ ଶିକ୍ଷା ଅଧିକାରୀ ପଦବୀ ଖାଲି ପଡ଼ିଛି । ଯାହାଫଳରେ ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଯୋଗୁଁ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ କାର୍ଯ୍ୟାଳୟରୁ ବ୍ଲକ ଶିକ୍ଷା ଅଧିକାରୀ ରାଜା ରାଓ ଧୋବା ଅବସର ନେବା ପରେ ସିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ବ୍ଲକ ଶିକ୍ଷା ଅଧିକାରୀ ପଦବୀରେ ଦାୟିତ୍ୱରେ ରହିଥିଲେ। ତାଙ୍କୁ ଦୁଇଟି ଦାୟିତ୍ୱ ତୁଲାଇବାରେ ଅସୁବିଧା ହେବା ଯୋଗୁଁ ରାୟଗଡ଼ାର ବିଇଓ ରଜନୀକାନ୍ତ ସାମନ୍ତରାୟ ପ୍ରାୟ ୯ମାସ ଧରି କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଅନ୍ୟତ୍ର ବଦଳି ହୋଇ ଚାଲି ଯାଇଥିଲେ । ଏହାପରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କଣ୍ଡାଗୋରୀ ମୋହନ ରାଓ ପ୍ରାୟ ୨୫ଦିନ ବିଇଓ ଦାୟିତ୍ୱ ତୁଲାଇବା ପରେ ୨୭.୪.୨୦୨୧ମସିହାରେ ହରିହର ମହାପାତ୍ର ଆସି ବିଇଓ ଦାୟିତ୍ୱ ତୁଲାଇବାର ୮ମାସ ପରେ ଚାକିରୀରୁ ଅବସର ନେଇଥିଲେ । ଜାନୁଆରୀ ମାସଠାରୁ ବିଇଓ ପଦବୀ ଖାଲି ପଡିରହିଥିବା ଯୋଗୁଁ ଜିଲା ଅତିରିକ୍ତ ଶିକ୍ଷା ଅଧିକାରୀ ଭୋଜନ ଲାଲ ମାଝୀ ସ୍ଥାନୀୟ ବିଇଓ ଦାୟିତ୍ୱ ନେଇଛନ୍ତି । ଶ୍ରୀ ମାଝୀଙ୍କୁ ଜିଲା ଓ କଲ୍ୟାଣସିଂହପୁରରେ କାର୍ଯ୍ୟ କରିବାରେ ଅସୁବିଧା ହେବା ଯୋଗୁଁ ସେ ନିଜେ ଦାୟିତ୍ୱ ରହିଥିଲେ ହେଁ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଡାଗୋରୀ ମୋହନ ରାଓଙ୍କୁ ଦାୟିତ୍ୱ ବୁଝିବା ପାଇଁ କହିଥିଲେ । ବ୍ଲକରେ ଜଣେ ଏବିଇଓ ରହିଥିବାରୁ ଅଫିସ କାମରେ ବାଧା ସୃଷ୍ଟି ହେବା ସହ ବିଦ୍ୟାଳୟ ପରିଦର୍ଶନ ଓ ତଦାରଖରେ ମଧ୍ୟ ଅସୁବିଧା ହେଉଥିଲା । ଏହି ସମସ୍ୟା ହୋଇଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟ ହୋମିୟଗୁଡାର ପ୍ରଧାନଶିକ୍ଷକ ବିଜୟ କୁମାର ସେଠୀକୁ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି କରାଯାଇଛି । ବର୍ତ୍ତମାନ ସରକାରୀ କାର୍ଯ୍ୟରେ ବିଇଓଙ୍କ ଆବଶ୍ୟକ ହୁଏ ତାହା ହେଲେ ନଥିପତ୍ର ନେଇ ଜିଲ୍ଲାକୁ ନେଇ ଯାଇଥାନ୍ତି । ଉକ୍ତ ବ୍ଲକକୁ ଜଣେ ବିଇଓ ଓ ତିନି ଜଣ ଏବିଇଓ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇ ଜଣ ଏବିଇଓଙ୍କ ଦ୍ଵାରା ଚାଲିଛି ସ୍ଥାନୀୟ ଶିକ୍ଷା ବିଭାଗ । ଅଧିକାରୀମାନେ ନଥିବା ଯୋଗୁଁ ବିଦ୍ୟାଳୟ ରେ କିପରି ଶିକ୍ଷା ଚାଲିଛି ତାହାର ତଦାରଖ କରାଯାଇ ପାରୁନାହିଁ । ଯାହା ଫଳରେ ଶିକ୍ଷକମାନେ ନିର୍ଭୟରେ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାରେ ଅବହେଳା କରୁଛନ୍ତି । ଉକ୍ତ ବ୍ଲକକୁ ତୁରନ୍ତ ଆବଶ୍ୟକ ଶିକ୍ଷା ଅଧିକାରୀ ବଦବୀ ପୂରଣ କରିବା ପାଇଁ ଅଭିଭାବକ ମହଲରେ ଦାବି ହେଉଛି ।

Comments are closed.