ସାହିତ୍ୟ ମହୋତ୍ସବ ଯୁବ ଲେଖକଙ୍କ ପାଇଁ ପ୍ରେରଣାଦାୟକ ହେଉ 

0

ଭୁବନେଶ୍ୱର : ସାହିତ୍ୟ ମହୋତ୍ସବ କେବଳ ନିର୍ଦିଷ୍ଟ ସୀମାରେ ସୀମିତ ନ ରହି ଏହା ଯୁବ ଲେଖକଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବା ଲାଗି ପ୍ରେରଣାଦାୟକ ହେଉ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରେ ଆରମ୍ଭ ହୋଇଥିବା ତିନିଦିନିଆ ପଞ୍ଚମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦ୍‍ଘାଟନ କରିବା ଅବସରରେ କହିଛନ୍ତି। କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ଓ ନିର୍ଦେଶକ ରଶ୍ମି ରଞ୍ଜନ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‍ଘାଟନୀ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ମହୋତ୍ସବ କେବଳ ଗୋଟିଏ ସମାରୋହରେ ସୀମିତ ହୋଇ ରହି ନଯାଉ। ଏହା ସମାଜର ଆଗାମୀ ପିଢିଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ଓ ଏହା ଯୁବ ଲେଖକମାନଙ୍କର ସମସ୍ତ ସ୍ୱପ୍ନକୁ ପୂରଣ କରୁ ଓ ସେମାନେ ଓଡିଶା ଏବଂ ଭାରତ ପାଇଁ ପ୍ରତିନିଧିô କରନ୍ତୁ।
ମହୋତ୍ସବରେ ଉପସ୍ଥିତ ସମସ୍ତ ସାହିତ୍ୟିକଙ୍କୁ କଳିଙ୍ଗର ଐତିହ୍ୟ ଉପରେ ଲେଖିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇ ଲେଖକ ଅମିଶ ତ୍ରିପାଠୀ କହିଥିଲେ ଯେ ପ୍ରାଚୀନ କଳିଙ୍ଗର ସ୍ଥାପତ୍ୟ କେବଳ ପୂର୍ବ ଭାରତରେ ନୁହେଁ ସମଗ୍ର ଭାରତରେ ପ୍ରସାରିତ ହୋଇଥିଲା। ଏହି ମହାନ ଐତିହ୍ୟ ବିଷୟରେ ଆଗାମୀ ପିଢି ଜାଣିବା ନିହାତି ଆବଶ୍ୟକ। ବିଶିଷ୍ଟ ଲେଖିକା ଡ. ପ୍ରତିଭା ରାୟ କହିଥିଲେ ସାହିତ୍ୟ କେବେବି ଭାଷାରୂପକ ସୀମାରେଖା ମଧ୍ୟରେ ବାନ୍ଧି ହୋଇ ରୁହେନି ବରଂ ଏହା ହେଉଛି ଏକ ମୁକ୍ତାକାଶ ଯେଉଁଠି ଜଣେ ସାହିତ୍ୟିକ ନିଜ ଭାବନକୁ ନିଦ୍ୱର୍ନ୍ଦ୍ୱରେ ପରିପ୍ରକାଶ କରିପାରେ।
ଉଦ୍‍ଘାଟନୀ ଉତ୍ସବରେ ପଦ୍ମଜ ପାଳଙ୍କୁ କଳିଙ୍ଗ ସାହିତ୍ୟ ସମ୍ମାନ (ଓଡିଆ), ଅମିଶ ତ୍ରିପାଠୀଙ୍କୁ କଳିଙ୍ଗ ଆନ୍ତର୍ଜାତିକ ସାହିତ୍ୟ ସମ୍ମାନ ଏବଂ ଭାରତର ପୂର୍ବତନ ବୈଦେଶିକ ସଚିବ ଶ୍ରୀମତୀ ନିରୁପମା ରାଓଙ୍କୁ କଳିଙ୍ଗ କାରୁବାକି ସମ୍ମାନ ପ୍ରଦାନ କରଯାଇଥିଲା। ଏହି ତିନିଦିନିଆ ମହୋତ୍ସବରେ ଓଡିଶାର ବିଭିନ୍ନ ରାଜ୍ୟରୁ ବହୁ ଯୁବ ସାହିତ୍ୟିକଙ୍କୁ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ପାଇଁ କଳିଙ୍ଗ ସାହିତ୍ୟ ଯୁବ ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ କଳିଙ୍ଗ ଚିତ୍ରକଳା ପ୍ରଦର୍ଶନୀରେ ବହୁ କଳାକାର ଅଂଶଗ୍ରହଣ କରିଥିଲା।

Leave A Reply