ହାଇଦ୍ରାବାଦରେ ପୁଣି ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ
କଲମପୁର: କଳାହାଣ୍ଡିରେ ଥମୁ ନାହିଁ ଦାଦନ ସମସ୍ୟା। କେତେବେଳେ କଳାହାଣ୍ଡିର ଶ୍ରମିକ ଦାଦନ ଖଟିବାକୁ ଯାଇ ହାତ ଗୋଡ କାଟି ନିର୍ଯ୍ୟାତିତ ହେଇ ଫେରୁଛି ତ କେତେବେଳେ ସେମାନଙ୍କ ମୃତଦେହ ଫେରୁଛି। ପୁଣି କିଏ ସବୁ ଦିନ ପାଇଁ ନିଖୋଜ ହେଇ ଯାଉଛି। ତଥାପି ରୋଜଗାର କରିବା ଉଦେଶ୍ୟରେ ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି।
ପୁଣି ଜଣେ ଦାଦନଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହକୁ ଗାଁ ମାଟିକୁ ଫେରାଇ ଆଣିବା ପାଇଁ ସମ୍ପର୍କୀୟ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଠାରେ ଆକୁଳନ ନିବେଦନ କରିଛନ୍ତି।
ସୂଚନା ଅନୁସାରେ କଲମପୁର ବ୍ଲକ ଅନ୍ତର୍ଗତ ବରଗାଁର କେଶରୀ ମାଝୀଙ୍କ ୨୪ ବର୍ଷିୟ ପୁଅ ଜଗତରାମ ଗତ ଦୁଇ ବର୍ଷ ତଳେ ଦାଦନ ଖଟିବା ପାଇଁ ଗୋଆ ଓ ପରବର୍ତ୍ତି ସମୟରେ ହାଇଦ୍ରାବାଦର ଉସମାନ ନଗର ଅଞ୍ଚଳର ଜିଏମଟି ନାମକ ସଂସ୍ଥା ଅଧିନରେ ମୁଲିଆ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସୋମବାର ସକାଳେ କାର୍ଯ୍ୟସ୍ଥଳରେ ଜଗତରାମର ମୃତ୍ୟୁ ହେଇଥିବା ସାଥି ଶ୍ରମିକ ଜଗତରାମର ପରିବାରକୁ ସୂଚନା ଦେଇଛନ୍ତି। ଜଗତରାମର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ କୌଣସି ସୂଚନା ମିଳିନଥିବା ବେଳେ ତାଙ୍କର ମୃତ୍ୟୁ ସନ୍ଦେହ ଜନକ ଥିବା ପରିବାର ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।
ଜଗତରାମର ବାପା କେସିଙ୍ଗା ଅଞ୍ଚଳରେ କାମ କରୁଥିବା ବେଳେ ବଡ ଭାଇ ମଧ୍ୟ ଅନ୍ୟ ରାଜ୍ୟରେ ଦାଦନ ଭାବେ କାର୍ଯ୍ୟ କରୁଛନ୍ତି। ଘରେ ଏକାକୀ ବୃଦ୍ଧା ମାଁ। ପୁଅର ମୃତ୍ୟୁ ଖବର ପାଇବା ପରେ ଚେତା ହରାଇ ପଡୁଛନ୍ତି। ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଛନ୍ତି। ସୋମବାର ତାଙ୍କ ପରିବାର ଓ କିଛି ସମ୍ପର୍କୀୟ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡିଙ୍ଗିଙ୍କୁ ସାକ୍ଷାତ କରିବା ସହ ଶବ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି। ବି.ଡି.ଓ ଶ୍ରୀ ମାଣ୍ଡାଙ୍ଗି ଜିଲା ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରି ମୃତହେଦ ଫେରାଇ ଆଣିବାର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ ପରେ ଶେଷ ଖବର ସୁଦ୍ଧା କିଛି ସମ୍ପର୍କୀୟ ହାଇଦ୍ରାବାଦ ଅଭିମୁଖେ ବାହାରିଥିବା ସୂଚନା ମିଳିଛି।
Comments are closed.