ବିପଦ ସଂକୁଳ କୋଠରୀରେ ଶିକ୍ଷାଦାନ, ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ପରିଚାଳନା କମିଟି
କଲମପୁର: କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀ ଗୃହ ଅଭାବ, ଆଉ ପୁଣି କେଉଁଠି ଶିକ୍ଷକ ଓ ଶ୍ରେଣୀ କୋଠରୀ ଥିଲେ ମଧ୍ୟ ଛାତ୍ରଛାତ୍ରୀ ଅଭାବ। ଏଥିପାଇଁ କଳାହାଣ୍ଡି ଜିଲା ଗ୍ରାମାଞ୍ଚଳର ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଜିଲାର ବିଭିନ୍ନ ସ୍ଥାନରେ ବିପଦ ସଂକୁଳ ଶ୍ରେଣୀ କୋଠରୀରେ ଶିକ୍ଷାଦାନ ଜାରି ରହିଛି। ଅନେକ ସମୟରେ ବିଦ୍ୟାଳୟ ଛାତରୁ ଖସୁଛି ଖପର ଓ ଶୁଖା ବାଉଁଶ। ବର୍ଷା ଦିନେ ବର୍ଷା ପାଣି ପଡି ନଷ୍ଟ ହେଉଛି ଛାତ୍ରଛାତ୍ରୀଙ୍କ ପାଠ୍ୟ ଉପକରଣ ସମେତ ପିନ୍ଧିଥିବା ପୋଷାକ।
୫୦ ବର୍ଷ ପୁରୁଣା କୋଠାର ଅବସ୍ଥା ଦୟନୀୟ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ରହିଛି ମାତ୍ର ଦୁଇଟି ଶ୍ରେଣୀ ଗୃହ। ଯାହା ବିପଦ ସଂକୁଳ। ଏହି ଦୁଇଟି କୋଠରୀ ମଧ୍ୟରେ ଅଧ୍ୟୟନ କରୁଛନ୍ତି ଭାଲୁବୁଟ୍ରା ପ୍ରାଥମିକ ବିଦ୍ୟାଳୟର ୧୧୦ ଜଣ ଛାତ୍ରଛାତ୍ରୀ। ଗୋଟିଏ ଶ୍ରେଣୀରେ ପ୍ରଥମରୁ ପଞ୍ଚମ ଏବଂ ଅନ୍ୟ କୋଠରୀରେ ଷଷ୍ଠରୁ ଅଷ୍ଟମ ପାଠ୍ୟଦାନ କରାଯାଉଛି। ବାରମ୍ବାର ଏନେଇ ଶିକ୍ଷା ବିଭାଗ ଅଧିକାରୀଙ୍କ ସମେତ ବ୍ଲକ ଏବଂ ଜିଲା ପ୍ରଶାସନକୁ ଜଣାଇଥିଲେ ଅଦ୍ୟାବଧି ଏହାର ମରାମତି ଅଥବା ନୁତନ ଶ୍ରେଣୀଗୃହ ନିର୍ମାଣ କରାଯାଇ ନାହିଁ।
ଯେଉଁଥିପାଇଁ ଅବିଭାବକ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଇଛି। ଏହି ଅସନ୍ତୋଷକୁ କେନ୍ଦ୍ର କରି ମଙ୍ଗଳବାର ଗ୍ରାମବାସୀଙ୍କ ସହଯୋଗରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୁଃଶାସନ ଖର୍ସେଲଙ୍କ ନେତୃତ୍ୱରେ ପରିଚାଳନା କମିଟିର ସଦସ୍ୟ ଏବଂ ଅବିଭାବକ ମାନେ ବିଦ୍ୟାଳୟ ମୁଖ୍ୟ ଫାଠକରେ ତାଲା ବନ୍ଦ କରି ପ୍ରତିବାଦ କରିଥିଲେ। ଏନେଇ ଗୋଷ୍ଠୀ ଶିକ୍ଷା ବିଭାଗ ଏବଂ ବ୍ଲକ ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ତୁରନ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଖମାରୀ ଏବଂ ଶୁଶିଳ କୁମାର ମୁଣ୍ଡଙ୍କ ସମେତ ନୁଆଗାଁ ସରପଞ୍ଚ ଶୁଶାନ୍ତ ମାଝୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ନାଏକ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଥିଲେ।
ଏହି ସମସ୍ତ ଅଧିକାରୀ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଜୁନ ପ୍ରଥମ ସପ୍ତାହ ସୁଦ୍ଧା ସମିତି ତରଫରୁ ୩ ଲକ୍ଷ ଏବଂ ପଞ୍ଚାୟତ ତରଫରୁ ୨ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ବିଦ୍ୟାଳୟ ଶ୍ରେଣୀ କୋଠରୀ ଗୁଡିକର ଆବଶ୍ୟକ ମରାମତି କରାଯିବା ନେଇ ପ୍ରତିଶୃତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀ ତାଲା ଖୋଲିଥିଲେ।
Comments are closed.