ଗାମୁଛାରେ ଫାଶିଦେଲା ନାବାଳକ ; କାରଣ ଅସ୍ପଷ୍ଟ

0

କଲମପୁର : କଳାହାଣ୍ଡି ଜିଲା କଲମପୁର ନିକଟସ୍ଥ ପାହାଡର ଗଛରେ ନିଜ ଗାମୁଛାରେ ଫାଶି ଦେଇ ଜଣେ ନାବାଳକ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତକ ଜନୈକ ନାବାଳକର ଶବ ଉଦ୍ଧାର ହେବା ଘଟଣା ସାଧାରଣରେ ସନ୍ଦେହ ପ୍ରକାଶ ପାଉଥିବା ବେଳେ ଥୁଆମୁଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କୁମଜୋର ଗ୍ରାମର ଅର୍ଜୁନ ମାଝୀଙ୍କ ୧୨ ବର୍ଷିୟ ପୁଅ ଇନ୍ଦ୍ରଜିତ ଗତ ବୁଧବାର ଦିନ ଘର ଲୋକଙ୍କୁ ନିକଟସ୍ତ ନାଳକୁ ଗାଧୋଇ ଯାଉଥିବା କହିଥିଲେ ମଧ୍ୟ ଘରକୁ ଆଉ ଫେରିନଥିଲେ। ଘର ଲୋକ ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ଇନ୍ଦ୍ରିଜିତର କୌଣସି ସନ୍ଧାନ ପାଇନଥିଲେ। କୌଣସି କାରଣରୁ ନାଳରେ ଭାସିଯାଇଥିବା ଅଥବା କୌଣସି ବନ୍ଧୁ ବାନ୍ଧବ ଘରକୁ ଯାଇଥିବା ଭାବି ସନ୍ଧାନ ନେଇଥିଲେ ମଧ୍ୟ ଶୁକ୍ରବାର ପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିନଥିଲା। ଶୁକ୍ରବାର ସଂଧ୍ୟା ସମୟରେ ଘର ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଥିବା ପାରାମୁଡ ପାହାଡର ଏକ ସାହାଜ ଗଛରେ ଇନ୍ଦ୍ରଜିତ ଶବ ଏକ ଗାମୁଛାରେ ଫାଶି ଦିଆଯାଇ ଝୁଲୁଥିବା ଅବସ୍ଥାରେ ଥିବା ପରିବାର ଲୋକ ସୂଚନା ପାଇଥିଲେ। ପରିବାର ଲୋକ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ପରେ ଥୁଆମୁଳ ରାମପୁର ପୁଲିସ ଥାନା ତରଫରୁ ସବ୍‍ଇନିସ୍‍ପେକ୍ଟର ଉଗ୍ରେସେନ ପଟେଲ ଶନିବାର ସକାଳେ ଘଟଣାସ୍ଥଳରେ ଉପସ୍ଥିତ ରହି ଶବ ଉଦ୍ଧାର କରିଥିଲେ। ପରେ ଥୁଆମୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇ ଶବଦାହ ପାଇଁ ପରିବାର ଲୋକଙ୍କୁ ଶବ ହସ୍ତାନ୍ତରିତ କରିଥିଲେ।

Leave A Reply