ଉପାନ୍ତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର, ପୁଣି ଖଟିଆରେ ବୁହା ହେଲେ ରୋଗୀ

କଳାହାଣ୍ଡି: ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳ ଲାଞ୍ଜିଗଡ଼ ବ୍ଲକର ମନସ୍ତରା ଗାଁ। ଯେଉଁଠି ଆଜି ପର୍ଯ୍ୟନ୍ତ ଉଇଁ ନାହିଁ ବିକାଶର ସୂର୍ଯ୍ୟ। ସରକାରଙ୍କ ବିକାଶ ରଥ ସତେ ଯେମିତି ଏହି ଗାଁ ପାଇଁ ହୋଇ ପଡିଛି ଅଚଳ। ଏହି ଗାଁ ପାଇଁ ଭଲ ପାଦଚଲା ରାସ୍ତାଟିଏ ନାହିଁ। ଏହି ଗାଁକୁ ରାସ୍ତା ନେଇ ଗ୍ରାମବାସୀ ଅନେକ ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତନିଧିଙ୍କ ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି ହେଲେ ଗ୍ରାମବାସୀ ପାଇଛନ୍ତି କେବଳ ଫମ୍ପା ପ୍ରତିଶ୍ରୁତି। ଆଉ ସରକାରଙ୍କ ବିକାଶ ଧାରାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି।

ଗାଁର ଜଣେ ଶିଶୁଟିର ସ୍ବାସ୍ଥ୍ୟବସ୍ତା ଗୁରୁତର ହେବାରୁ ଗ୍ରାମବାସୀ ୧୦ କିଲୋମିଟର ଖଟିଆରେ ବୋହି ସିନ୍ଧିବାହାଳିକୁ ନେଇ ସେଠାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କଲାପରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀକୁ ବିଶ୍ୱନାଥପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡିଛି। ହେଲେ ଏଠି ପ୍ରଶ୍ନ ଉଠୁଛି ଜନମଙ୍ଗଳ ରାଷ୍ଟ୍ରରେ ଉତ୍ତରଦାୟୀ ଥିବା ସରକାର କଣ ଏହି ଗାଁ ଦୃଷ୍ଟି ଦେବେ।

Comments are closed.