ଜରୁରିକାଳୀନ ସ୍ଥିିତି ସୃଷ୍ଟି ହୋଇଛି: କୈଳାସ ସତ୍ୟାର୍ଥୀ

0

ଭୁବନେଶ୍ୱର: ଦେଶରେ କ୍ରମବର୍ଦ୍ଧିଷ୍ଣୁ ଶିଶୁ ବଳାତ୍କାର ଘଟଣା ଓ ସ୍ଥିତିକୁ ନୋବେଲ୍‍ ପୁରସ୍କାର ବିଜୟୀ କୈଳାସ ସତ୍ୟାର୍ଥୀ ଜାତୀୟ ଜରୁରିକାଳନୀ ସ୍ଥିିତି ସହିତ ତୁଳନା କରିଛନ୍ତି। କୈଳାସ ସତ୍ୟାର୍ଥୀ ଚିଲ୍‍ଡ୍ରେନ୍‍ସ ଫାଉଣ୍ଡେସନ୍‍(କେଏସ୍‍ସିଏଫ୍‍) ପକ୍ଷରୁ ପ୍ରକାଶିତ ‘ଶିଶୁମାନେ ଆଉ ଅପେକ୍ଷା କରିପାରିବେ ନାହିଁ’(ଦ ଚିଲ୍‍ଡ୍ରେନ୍‍ କ୍ୟାନ୍‍ନଟ୍‍ ୱେଟ୍‍) ଶୀର୍ଷକ ଏକ ରିପୋର୍ଟର ଉନ୍ମୋଚନ ଅବସରରେ ସତ୍ୟାର୍ଥୀ କହିଛନ୍ତି ଯେ ଶିଶୁ ବଳାତ୍କାର ଓ ହତ୍ୟା ଘଟଣା ଭାରତର ଆତ୍ମାକୁ ବଳାତ୍କାର ଓ ହତ୍ୟା ସହିତ ସମାନ। ଭାରତରେ ହାରାହାରି ଦୈନିକ ୫୫ ଟି ଶିଶୁ ବଳତ୍କାର ଘଟଣା ଘଟୁଛି। ଶିଶୁମାନେ ସୁରକ୍ଷିତ ନ ରହିଲେ ସମୃଦ୍ଧ ଭାରତ ଗଠନ ଅସମ୍ଭବ। ଶିଶୁ ବିରୋଧୀ ହିଂସା ଓ ବଳାତ୍କାର ଘଟଣାରେ ପ୍ରଭାବଶାଳୀ ଦୀର୍ଘସ୍ଥାୟୀ ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ସାଂସଦମାନେ ଗୋଟିଏ ଦିନ ଚିନ୍ତା କରନ୍ତୁ ବୋଲି ଶ୍ରୀ ସତ୍ୟାର୍ଥୀ ଆହ୍ୱାନ ଦେଇଛନ୍ତି। ଶିଶୁ ବଳାତ୍କାର ଘଟଣା ବଢ଼ିବା ସହିତ ଏ ସମ୍ପର୍କିତ ବିଚାରାଧୀନ ମାମଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏନ୍‍ସିଆରବି ତଥ୍ୟ ଅନୁଯାୟୀ ୨୦୧୬ ସୁଦ୍ଧା ୧ ଲକ୍ଷ ମାମଲା ଦେଶର ବିଭିନ୍ନ ବିଚାରାଳୟରେ ପଡ଼ିରହିଛି। ଦେଶର ନ୍ୟାୟିକ ବ୍ୟବସ୍ଥାରେ ଜଣେ ପୀଡ଼ିତା ହାରାହାରି ୭୦ ବର୍ଷ ପରେ ନ୍ୟାୟ ପାଉଛି। ଏ କ୍ଷେତ୍ରରେ ପଞ୍ଚାବ, ନାଗାଲାଣ୍ଡ, ଚଣ୍ଡିଗଡ଼, ହରିଆନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଦାଦ୍ରା ଓ ନଗର ହାଭେଳି ଆଦି କିଛିଟା ଉନ୍ନତ ସ୍ଥିତିରେ ଅଛନ୍ତି। ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ ବିହାର ମହାରାଷ୍ଟ୍ର, ଆଣ୍ଡାମାନ, ମଣିପୁର କେରଳ ଆଦିର ସ୍ଥିତି ଅତି ଖରାପ। ଅରୁଣାଚଳପ୍ରଦେଶରେ ପୀଡ଼ିତା ୯୯ ବର୍ଷ ପରେ ନ୍ୟାୟ ପାଇବ ଓ ଗୁଜରାଟରେ ୫୩ ବର୍ଷ ପରେ ନ୍ୟାୟ ମିଳିବ। ଏହାର ସମାଧାନ ପାଇଁ ଜାତୀୟ ଶିଶୁ ଟ୍ରିବୁନାଲ୍‍ ଗଠନ ଓ ପୋକ୍‍ସୋ ଆଇନରେ ପଞ୍ଜିକୃତ ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍‍ କୋର୍ଟ ଗଠନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Leave A Reply