ବଳାତ୍କାରୀ ତାନ୍ତ୍ରିକଙ୍କୁ ୨୫ ବର୍ଷ ଜେଲ

0

ମଥୁରା : ଉତ୍ତର ପ୍ରଦେଶର ମଥୁରାସ୍ଥିତ ଫାଷ୍ଟଟ୍ରାକ୍‍ ଅଦାଲତ ଗୁରୁବାର ବଳାତ୍କାର ମାମଲାରେ ଜଣେ ବାବା ଦ୍ୱାରକାଦାସ ନାମକ ଜଣେ ଭଣ୍ଡ ତାନ୍ତ୍ରିକଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୨୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ହାତ୍ରାସ ସହରର ଜଣେ ବିବାହିତା ମହିଳା ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାପରେ ସ୍ୱାମୀ ଓ ଚାରିବର୍ଷର ଶିଶୁକନ୍ୟା ସହ ଆରୋଗ୍ୟ ହେବା ଆଶାରେ ସଂପୃକ୍ତ ତାନ୍ତ୍ରିକଙ୍କ ବୃନ୍ଦାବନସ୍ଥିତ ଆଶ୍ରମକୁ ଯାଇଥିଲେ। ରାତି ଦଶଟା ପରେ ଆଶ୍ରମର ଦ୍ୱିତୀୟ ମହଲାରେ ଥିବା ଏକ ନିଭୃତ ପ୍ରକୋଷ୍ଠରେ ମହିଳାଙ୍କ ଚିକିତ୍ସା ହେବ ବୋଲି କୁହାଯାଇଥିଲା। ଅପରପକ୍ଷରେ ଆଶ୍ରମର  ଜଣେ ଚେଲା ଏକ ଜ୍ୱଳନ୍ତ ମହମବତୀକୁ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଧରାଇଥିଲେ। ମହମବତୀ ଲିଭିବା ପର୍ଯ୍ୟନ୍ତ ତଳ ମହଲାରେ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିଲା। ତେବେ ମହିଳା ସମସ୍ତ ପ୍ରତିବାଦ ସତ୍ତେ୍ୱ ତାନ୍ତ୍ରିକ ଜଣକ ତାଙ୍କୁ ବଳାତ୍କାର କରିଥିଲେ। ଏପରିକି ପରଦିନ ସକାଳେ ମଧ୍ୟ ମହିଳାଙ୍କୁ ବଳାତ୍କାର କରାଯାଇଥିଲା। ମହିଳା ଜଣକ ସ୍ୱାମୀଙ୍କୁ ସବୁକଥା କହିବାପରେ ସେମାନେ ଗତବର୍ଷ ଜୁଲାଇରେ ବୃନ୍ଦାବନର ଏକ ଥାନାରେ ଏତଲା ଦାଏର କରିଥିଲେ। ଅଦାଲତ ମାମଲାର ଶୁଣାଣି କରି ତାନ୍ତ୍ରିକଙ୍କୁ ୨୫ ବର୍ଷ ଜେଲଦଣ୍ଡ ଓ ୨୦,୦୦୦ ଟଙ୍କା ଜୋରିମାନା ଲାଗୁ କରିଛନ୍ତି।

Leave A Reply