ଭୁବନେଶ୍ୱର: ଆୟୋଜକ ତଥା ଗତଥରର ଚମ୍ପିଆନ୍ ଭାରତ କନିଷ୍ଠ ପୁରୁଷ ହକି ବିଶ୍ୱକପ ୧୨ଶ ସଂସ୍କରଣର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଶନିବାର ସନ୍ଧ୍ୟାରେ ପୁଲ୍-ବିର ଶେଷ ଲିଗ୍ ମ୍ୟାଚରେ ଓଡ଼ିଆ ଖେଳାଳି ସୁଦୀପ୍ ଚିର୍ମାକୋଙ୍କ ୨ଟି ଗୋଲ ବଳରେ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତକରି କ୍ୱାର୍ଟରଫାଇନାଲରେ ପହଞ୍ଚିଛି। ଭାରତ ବୁଧବାର କ୍ବାର୍ଟରଫାଇନାଲ ମ୍ୟାଚ୍ ବେଲ୍ଜିୟମ ସହିତ ଖେଳିବ। ଅନ୍ୟପକ୍ଷରେ ଏହି ପରାଜୟ ସହ ପୋଲାଣ୍ଡ ନକ୍ଆଉଟ୍ରୁ ବାଦ୍ପଡ଼ିଛି।
କଳିଙ୍ଗ ଷ୍ଟାଡିୟମରେ ପୁଲ୍-ବିର ନିର୍ଣ୍ଣାୟକ ମ୍ୟାଚ ଭାରତ ଓ ପୋଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା। ଭାରତ ମ୍ୟାଚରେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ୪ ମିନିଟ୍ରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ସଞ୍ଜୟ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୮ ମିନିଟ୍ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏଥିରୁ ଅରାଇଜିତ ସିଂହ ହୁଣ୍ଡାଲ ଗୋଲ ଦେବାରେ କୌଣସି ତ୍ରୁଟି କରିନଥିଲେ। ୨୪ ମିନିଟ୍ରେ ଭାରତ ପାଇଁ ଓଡ଼ିଆ ଖେଳାଳି ସୁଦୀପ ଚିର୍ମାକୋ ୩ୟ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧରେ ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତ ଗୋଲ୍ଦେବା ଧାରା ବଜାୟ ରଖିଥିଲା। ୩୪ ମିନିଟ୍ରେ ଭାରତର ଉତ୍ତମ ସିଂହ ୪ର୍ଥ ଗୋଲ ଦେଇଥିଲେ। ୩୮ ମିନିଟ୍ରେ ଶାରଦାନନ୍ଦ ତିୱାରୀ ପେନାଲ୍ଟି କର୍ଣ୍ଣର ଜରିଆରେ ୫ମ, ୪୦ ମିନିଟ୍ରେ ସୁଦୀପ୍ ଚିର୍ମାକୋ ୬ଷ୍ଠ ଗୋଲ ଦେଇଥିଲେ। ଅନ୍ତିମ କ୍ୱାର୍ଟରରେ ପୋଲାଣ୍ଡ ୨ଟି ଗୋଲ ଦେଇଥିଲା। ୫୦ ମିନିଟ୍ରେ ପୋଲାଣ୍ଡ ପକ୍ଷରୁ ଓଜ୍ସିଏଚ୍ ରୁଟ୍କସ୍କି ଗୋଲ୍ଦେଇ ମ୍ୟାଚକୁ ୧-୬ ସ୍ତରକୁ ଆଣିଥିଲେ। ୫୪ ମିନିଟ୍ରେ ରବର୍ଟ ପାୱାଲ୍ସ ପୋଲାଣ୍ଡ ପକ୍ଷରୁ ୨ୟ ଗୋଲ ଦେଇଥିଲେ। ୫୮ ମିନିଟ୍ରେ ଭାରତର ପକ୍ଷରୁ ସଞ୍ଜୟ ୭ମ ଓ ୬୦ ମିନିଟ୍ରେ ଅରାଇଜିତ୍ ସିଂହ ହୁଣ୍ଡାଲ ୮ମ ଗୋଲ ଦେଇ ଦଳକୁ ୮-୨ରେ ଜିତାଇଥିଲେ। ୨ଟି ଗୋଲ୍ ସ୍କୋର କରିଥିବା ଓଡ଼ିଆ ଖେଳାଳି ସୁଦୀପ୍ ଚିର୍ମାକୋ ପ୍ଳେୟର ଅଫ ଦି ମ୍ୟାଚ୍ ହୋଇଥିଲେ। ଭାରତ ପ୍ରଥମ ମ୍ୟାଚରେ ଫ୍ରାନ୍ସ ନିକଟରୁ ୫-୪ ଗୋଲରେ ପରାଜିତ ହୋଇଥିବାବେଳେ ୨ୟ ମ୍ୟାଚରେ କାନାଡାକୁ ୧୩-୧ଗୋଲରେ ପରାସ୍ତ କରିଥିଲା। ଅତିଥି ଭାବେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ, ଭାରତୀୟ ବ୍ୟାଡ୍ମିଣ୍ଟନ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ୍ମଭୂଷଣ ପୁଲୈଲା ଗୋପୀଚାନ୍ଦ ଓ ଓଡ଼ିଶାର ମହାଲେଖାକାର ବିଭୁଦତ୍ତ ବସନ୍ତିଆ ଯୋଗ ଦେଇଥିଲେ।



