ଅକ୍ଷରଙ୍କୁ ୫ ୱିକେଟ; ଭାରତ ପ୍ରଥମ ଇନିଂସରେ ଆଗୁଆ

କାନପୁର: ଟେଷ୍ଟ କ୍ରିକେଟ୍‌ ଜୀବନରେ ଅକ୍ଷର ପଟେଲ ତାଙ୍କ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ତାଙ୍କ ୪ର୍ଥ ଟେଷ୍ଟରେ ୫ମ ଥର ପାଇଁ ବାମହାତି ସ୍ପିନର ଅକ୍ଷର ଏକ ଇନିଂସରେ ୫ଟି ୱିକେଟ ନେଇଛନ୍ତି। ଫଳରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ପ୍ରଥମ ଟେଷ୍ଟମ୍ୟାଚ୍‌ର ୩ୟ ଦିନରେ ଭାରତ ଲଢ଼ୁଆ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଛି। ଅକ୍ଷରଙ୍କ ୫ଟି ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ୩ ୱିକେଟ ଦଖଲ ବଳରେ ୩ୟ ଦିନରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଏକଦା ବିନା ୱିକେଟରେ ୧୫୧ ରନ୍‌ କରିଥିବା ନ୍ୟୁଜିଲାଣ୍ଡ ଆଉ ୧୪୫ ରନ୍‌ରେ ୧୦ଟିଯାକ ୱିକେଟ ହରାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୪୯ ରନ୍‌ରେ ଆଗୁଆ ହୋଇପାରିଛି। ଭାରତର ପ୍ରଥମ ଇନିଂସ ସ୍କୋର୍‌ ୩୪୫ ରନ୍ ଜବାବରେ ଶନିବାର ୪ର୍ଥ ଦିନରେ ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୯୬ ରନ୍‌ରେ ଅଲ୍ଆଉଟ ହୋଇଯାଇଛି। ଆଗକୁ ଏହି ୪୯ ରନ୍‌ର ଲିଡ୍‌ ଗୁରୁତ୍ବପୂର୍ଣ୍ଣ ହୋଇପାରେ। ପରେ ଭାରତ ୨ୟ ଇନିଂସରେ ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ୧ ୱିକେଟ ହରାଇ ୧୪ ରନ୍‌ କରିପାରିଛି। ୯ଟି ୱିକେଟ ହାତରେ ଥାଇ ଭାରତ ମୋଟ ୬୩ ରନ୍‌ ଆଗରେ ରହିଛି। ଶୁବ୍‌ମାନ ଗିଲ୍‌ ୧ ରନ୍‌କରି କାଏଲ୍‌ ଜେମିସନ୍‌ଙ୍କ ବଲ୍‌ରେ ବୋଲ୍‌ଡ ହୋଇଛନ୍ତି। ମୟଙ୍କ ଅଗ୍ରୱାଲ ୪ ଓ ଚେତେଶ୍ବର ପୂଜାରା ୯ ରନ୍‌କରି ଅପରାଜିତ ଅଛନ୍ତି।

୨ୟ ଦିନ ଶେଷରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ କୌଣସି ୱିକେଟ୍‌ ନ ହରାଇ ୧୨୯ ରନ୍‌ ସଂଗ୍ରହ କରିଥିଲା। ୩ୟ ଦିନରେ ନ୍ୟୁଜିଲାଣ୍ଡର ଓପ୍‌ନର ୧୫୧ ରନ୍‌​‌େ​‌ର ପହଞ୍ଚାଇଥିଲେ। ଆକର୍ଷଣୀୟ ବ୍ୟାଟିଂ କରିଥିବା ୱିଲ୍‌ ୟଙ୍ଗ୍‌ ୨୧୪ ବଲ୍‌ରୁ ୧୫ଟି ଚୌକା ସହ ୮୯ ରନ୍‌କରି ଆଉଟ ହେବା ସହ ଓପ୍‌ନିଂ ଯୋଡ଼ି ଭାଙ୍ଗିଥିଲା। ଏକ ଇନ୍‌ ସ୍ବିଙ୍ଗର୍‌​‌େ​‌ର ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନଙ୍କୁ ଆଉଟ କରିଥିଲେ ଉମେଶ ଯାଦବ। ୱିଲିୟମ୍‌ସନ ୧୮ ରନ୍‌ କରିଥିଲେ। ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ରସ୍‌ ଟେଲର (୧୧)ଙ୍କୁ ଆଉଟ୍‌କରି ଅକ୍ଷର ପଟେଲ ତାଙ୍କ ପ୍ରଥମ ୱିକେଟ ନେଇଥିଲେ। ପରେ ୨ ରନ୍‌ କରିଥିବା ହେନ୍‌ରି ନିକୋଲ୍‌ସ ମଧ୍ୟ ଅକ୍ଷରଙ୍କ ଶିକାର ହୋଇଥିଲେ। ମାତ୍ର ୫ ରନ୍‌ ପାଇଁ ଟମ୍ ଲାଥାମ୍ ଶତକରୁ ବଞ୍ଚିତ ହୋଇଥିଲେ। ବାମହାତି ଲାଥାମ୍ ୨୮୨ ବଲ୍‌ ଖେଳି ୧୦ଟି ଚୌକା ସହ ୯୫ ରନ୍‌ କରିଥିଲେ। ଟମ୍ ବ୍ଲଣ୍ଡେଲ୍‌ ଓ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳୁଥିବା ରାଚିନ୍ ରବୀନ୍ଦ୍ର ୧୩ ରନ୍‌ ​‌େ​‌ଲଖାଏଁ କରିଥିଲେ। ଭାରତୀୟ ସ୍ପିନରଙ୍କ ବିପକ୍ଷରେ ସଟ୍‌ ନ ଖେଳି ଅତ୍ୟଧିକ ରକ୍ଷଣାତ୍ମକ ବ୍ୟାଟିଂକରିବା ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ବୁମେରାଂ ସଦୃଶ ହୋଇଥିଲା। କାଏଲ୍ ଜେମିସନ୍‌ ଏକ ଉପଯୋଗୀ ଇନିଂସ ଖେଳି ୭୫ ବଲ୍‌ରୁ ଗୋଟିଏ ଚୌକା ସହ ୨୩ ରନ୍‌ କରିଥିଲେ। ଟିମ୍ ସାଉଦି ୫ ଓ ୱିଲିୟମ୍‌ ସମରଭିଲ୍‌ ୬ ରନ୍‌ କରିଥିଲେ। ପିଚ୍‌ ବଲ୍‌ ସ୍ପିନ୍‌ କରିବା ସହ ତଳୁଆ ରହିବା ଆରମ୍ଭ କରିଥିବା ବେଳେ ଏହି ପିଚ୍‌ରେ ନ୍ୟୁଜିଲାଣ୍ଡକୁ ୪ର୍ଥ ଇନିଂସରେ ବ୍ୟାଟିଂକରିବା କଷ୍ଟକର ହୋଇପାରେ। ତେଣୁ ଭାରତୀୟ ୨ୟ ଇନିଂସକୁ ଏହା ଦେଢ଼ ଶହ ରନ୍‌ ମଧ୍ୟରେ ସୀମିତ ରଖିବାକୁ ଚାହିଁବ।

Comments are closed.