ଆଠଗଡର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା

ଆଠଗଡ: ଆଠଗଡର ପୁରୁଣା ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାରଠାରେ ଷ୍ଟାର ନାଇଟ୍ କ୍ଲବ ଓ ଲକ୍ଷ୍ମୀ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ବୁଧବାର ଆୟୋଜକ କମିଟିର ସଦସ୍ୟମାନେ ଶାସନ ପୋଖରୀରୁ ପୂଜାର୍ଚ୍ଚନା ପରେ ଜଳକଳସ ଧାରଣ କରି ଶୋଭାଯାତ୍ରାରେ ଆସି ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ । ଏହାପରେ ଚକ୍ଷୁ ଦାନ, ଦେବୀ ନ୍ୟାସ, ମଣ୍ଡଳ ପୂଜା, କଳସ ପୂଜା, ସୂର୍ଯ୍ୟପୂଜା ଆଦି କର୍ମ ଅନୁଷ୍ଠିତ ହେବା ପରେ ଯଜ୍ଞକୁଣ୍ଡରେ  ଅଗ୍ନି ସ୍ଥାପନ କରାଯାଇଥିଲା ।  ଶନିବାର ଯଜ୍ଞର ପୂର୍ଣ୍ଣାହୁତି ହେବା ସହିତ ବିସର୍ଜନ ଓ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ। ପୂଜକ ଲିଙ୍ଗରାଜ ତ୍ରିପାଠୀ ଓ ସରୋଜ ତ୍ରିପାଠୀ ସମସ୍ତ ପୂଜାନୀତି ସମ୍ପନ୍ନ କରିଥିବାବେଳେ ସାରଦା ମହାରଣା ସସ୍ତ୍ରୀକ କର୍ତ୍ତା ରୂପେ ଯଜ୍ଞ ପରିଚାଳନା କରୁଛନ୍ତି। ଗଜଲକ୍ଷ୍ମୀ ପୂଜା ଦେଖିବାକୁ ପ୍ରତ୍ୟହ ସନ୍ଧ୍ୟାରେ ବହୁ ଭକ୍ତଙ୍କ ସମାଗମ ହେଉଛି। ରବିବାର ନିରାଡମ୍ବର ଭାବରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।
ଆଠଗଡ ଗୋପବନ୍ଧୁ ଛକଠାରେ ଆମ କ୍ଲବ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି । ସୁନ୍ଦର ସାଜସଜ୍ଜା ସହିତ ବେଶ ଆଡ଼ମ୍ବରପୂର୍ଣ୍ଣ ଭାବେ ସେଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ବୁଧବାର ଜଳକଳସ ଯାତ୍ରା ଓ କଳସ ସ୍ଥାପନ ପରେ ଗୁରୁବାର ହୋମଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା । ବିଶ୍ଵଜିତ ଧିରସାମନ୍ତ ସସ୍ତ୍ରୀକ କର୍ତ୍ତା ଭାବେ ଏବଂ ବିଶିଷ୍ଟ ପୁରୋହିତ ଯୋଗୀନାଥ ଶତପଥି ଯଜ୍ଞ ଓ ସମସ୍ତ ପୂଜାକର୍ମ ପରିଚାଳନା କରିଥିଲେ । କ୍ଲବର ସଭାପତି ବିଭୁତି ଭୂଷଣ ବେହେରା, ସମ୍ପାଦକ ଶ୍ରୀନିବାସ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଗଜଲକ୍ଷ୍ମୀ ପୂଜା ଉତ୍ସବ ପରିଚାଳନାରେ ସମସ୍ତ ସଭ୍ଯ ସହଯୋଗ କରିଥିଲେ । ଆସନ୍ତା ଶନିବାର ମା’ ଙ୍କର ଭସାଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ବୋଲି ସୂଚନା ଦିଆଯାଇଛି।
ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ବଉଳପଦାଠାରେ ବହୁ ଉତ୍ସାହ ଉଦ୍ଦୀପନା ମଧ୍ଯରେ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ବଉଳପଦା ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେବ ସେଠାରେ ଗଜଲକ୍ଷ୍ମୀ ପୂଜା ଆୟୋଜିତ ହୋଇଆସୁଛି । ସୁନ୍ଦର ମେଢ ଓ ଆଲୋକ ସାଜସଜ୍ଜାରେ ବଉଳପଦା ଗ୍ରାମ ଝଲସୁଥିବା ବେଳେ ପୂଜା ମଣ୍ଡପରେ ମା’ଙ୍କର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବହୁ ସମାଗମ ଦେଖିବାକୁ ମିଳୁଛି । ତିନିଦିନ ଧରି ଚାଲିବାକୁ ଥିବା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଗ୍ରାମର ମୁରବୀ ରାଜକିଶୋର ପଣ୍ଡା, ସଦାଶିବ ପାଣି,  ସୁରେଶ ଚନ୍ଦ୍ର ପଣ୍ଡା, ମହେଶ୍ବର ପଣ୍ଡା, ଡମ୍ବରୁଧର ରାଉତ, ନିରଞ୍ଜନ ପାଣି, ଗୋକୁଳାନନ୍ଦ ପଣ୍ଡାଙ୍କ ସମେତ ଗ୍ରାମର ଯୁବକମାନେ ଏହି ଗଜଲକ୍ଷ୍ମୀ ପୂଜା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

Comments are closed.