ରାସ୍ତା ପ୍ରଶସ୍ତିକରଣ ପାଇଁ ହେବ ଉଚ୍ଛେଦ, ମାପ କାର୍ଯ୍ୟ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ସହରରେ ଜନ ସଂଖ୍ୟା ବୃଦ୍ଧି ସହିତ ଆବଶ୍ୟକତା ଅନୁଯାୟୀ ରାସ୍ତା ଗୁଡିକ ସଂକୀର୍ଣ୍ଣ ହୋଇଯାଇଛି। ଏଥି ପାଇଁ ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଜବରଦଖଲ ଗୁଡିକୁ ଉଚ୍ଛେଦ ପାଇଁ ପ୍ରକ୍ରିୟା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ଏହି କ୍ରମରେ ସମ୍ବଲପୁର ମହାନଗର ନିଗମ କତ୍ତୃପକ୍ଷ ତରଫରୁ ଗୁରୁବାର ପୁର୍ବାହ୍ନରେ ଏନଫୋର୍ସମେଣ୍ଟ ଅଧିକାରୀ ସୁଶାନ୍ତ କୁମାର ସାହୁ, ସମ୍ବଲପୁର ତହସିଲଦାର ଓ ଅନ୍ୟ ଅଧିକାରୀ କର୍ମଚାରୀଙ୍କ ଦ୍ୱାରା ମୁଦିପଡ଼ାରୁ ଫାର୍ମ ରୋଡ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ମାପ କରାଯାଇଛି। ରାସ୍ତାକୁ ଦଖଲ କରି ରହିଥିବା କିଛି କୋଠା ଗୁଡିକର ଅଂଶକୁ ରାଜସ୍ୱ ବିଭାଗର କର୍ମଚାରୀ ମାନେ ମାପ କରିଥିଲେ। ମୁଦିପଡ଼ା ଛକରୁ ସମ୍ବଲପୁର (କ୍ଷେତରାଜପୁର) ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅନେକ ସ୍ଥାନରେ ସଙ୍କୁଚିତ ହୋଇ ରହିଥିବାରୁ ନିୟମିତ ଟ୍ରାଫିକ ସମସ୍ୟା ଦେଖା ଦେବା ସହିତ ଯାତାୟାତରେ ବାଧା ସୃଷ୍ଟି କରୁଛି। ଏଣୁ ଏହି ରାସ୍ତାକୁ ପ୍ରଶସ୍ତିକରଣ କାର୍ଯ୍ୟ କରିବା ପାଇଁ ଉଚ୍ଛେଦ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ରୂପେ ଆଜି ମାପ କାର୍ଯ୍ୟ କରାଯାଇଛି। ଏ ସମ୍ପର୍କରେ ଏନଫୋର୍ସମେଣ୍ଟ ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି ଯେ, ଏବେ ଆମେ ସରକାରୀ ସ୍ଥାନ କେତେ ପରିମାଣରେ ରହିଛି, ତାହା ଯାଞ୍ଚ କରୁଛୁ। ଏହା ପରେ ଜବରଦଖଲ କରାଯାଇଥିବା ସ୍ଥାନ ଗୁଡିକୁ ଉଚ୍ଛେଦ କରାଯିବ। ଟ୍ରାଫିକ ଜାମକୁ ଧ୍ୟାନରେ ରଖି ୱାନ – ୱେ ର ଯୋଜନା ସରକାରଙ୍କ ତରଫରୁ କରାଯାଇଛି। ମୁଦିପଡ଼ା ପୋଷ୍ଟ ଅଫିସ ନିକଟରୁ ମୁଦିପଡ଼ା ଛକ ପର୍ଯ୍ୟନ୍ତ ରାସ୍ତା ବେଶ ସଙ୍କୁଚିତ ହୋଇଥିବାରୁ ଏହାକୁ ଆଜି ମାପ କରାଯାଇଥିବା ବେଳେ ବାକି ରହିଥିବା ଅଞ୍ଚଳକୁ ଆସନ୍ତା କାଲି ମାପ କରାଯିବ ବୋଲି ଅଧିକାରୀ ଶ୍ରୀ ସାହୁ କହିଛନ୍ତି।

Comments are closed.