ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ

0

ନୂଆଦିଲ୍ଲୀ : ସଂସଦର ଆଗାମୀ ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ଗୃହ ମୋଟ ୧୮ଥର ବସିବ। ସଂସଦରେ ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ଖୁବ୍‍ଶୀଘ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଧିବଦ୍ଧ ଭାବେ ଅଧିବେଶନର ଆହ୍ୱାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ସରକାର ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାସ୍‍ କରାଇବା ଯୋଜନା ରଖିଥିବାରୁ ସଂସଦୀୟ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ନିମନ୍ତେ ସେ ସମସ୍ତ ବିରୋଧୀ ଦଳଗୁଡିକର ସହଯୋଗ ଲୋଡିଛନ୍ତି। କେନ୍ଦ୍ର ସରକାର ଏହି ଅଧିବେଶନରେ ୬ଟି ଅଧ୍ୟାଦେଶ ଆଣିବାର ସମ୍ଭାବନା ରହିଛି। ସେହିଭଳି ଲୋକସଭାରେ ଗୃହୀତ ହୋଇସାରିଥିବା ତିନି ତଲାକ୍‍ ବିଲ୍‍କୁ କେନ୍ଦ୍ର ସରକାର ରାଜ୍ୟସଭାରେ ପାରିତ କରିବାକୁ ଉଦ୍ୟମ କରିବେ। ଅନ୍ୟାନ୍ୟ ପଛୁଆବର୍ଗଙ୍କ ନିମନ୍ତେ ଗଠିତ ଜାତୀୟ କମିସନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ସମେତ ମେଡିକାଲ ଶିକ୍ଷା ନିମନ୍ତେ ଜାତୀୟ କମିସନ ଓ କିନ୍ନରଙ୍କ ଲାଗି ଉଦ୍ଦିଷ୍ଟ ବିଲ୍‍ ମଧ୍ୟ ଏହି ଅଧିବେଶନରେ ଆଗତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଅନ୍ୟପଟେ ଚଳିତ ମାସରେ ପି. ଜେ. କୁରିଏନ୍‍ଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ନୂତନ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳର ଶେଷ ମୌସୁମୀ ଅଧିବେଶନ। ୨୦୧୯ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳଗୁଡିକ ମିଳିତ ଭାବେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି। ବିଶେଷକରି ଜାମ୍ମୁ କାଶ୍ମୀରରେ କେନ୍ଦ୍ର ସରକାରଙ୍କ କଠୋର ନୀତିକୁ ନେଇ ମୌସୁମୀ ଅଧିବେଶନ ସରଗରମ ହେବ ବୋଲି କୁହାଯାଉଛି।

kalyan agarbati
Leave A Reply