କମ ଖର୍ଚ୍ଚରେ ଏବଂ ସୁବିଧାରେ, ସମସ୍ତଙ୍କୁ ମିଳୁ ନ୍ୟାୟିକ ବ୍ୟବସ୍ଥା – ଭେଙ୍କୟା ନାଇଡୁ

ଦେଶର ପ୍ରତ୍ୟେକ ନାଗରିକଙ୍କୁ ସହଜରେ ଓ ସୁଲଭରେ ନ୍ୟାୟିକ ବ୍ୟବସ୍ଥା ମିଳିପାରିଲେ ତାହା ହିଁ ପ୍ରକୃତ ନ୍ୟାୟ ହୋଇପାରିବ ବୋଲି ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ କହିଛନ୍ତି। ଆଜି ତାମିଲନାଡୁର ଡଃ ଆମ୍ବେଦକର ଆଇନ ବିଶ୍ୱବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ନ୍ୟାୟ ପ୍ରକ୍ରିୟା ସମସ୍ତଙ୍କ ପାଇଁ ଉପଲବ୍ଧ ହେବାରେ ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ଏଥିପାଇଁ ଆବଶ୍ୟକ ହେଉଥିବା ଅର୍ଥ। ଏକ ସାଧାରଣ ଧାରଣା ହେଉଛି ବିବାଦର ସମାଧାନ ପାଇଁ ଆଇନଗତ ମାର୍ଗ ପାଇବାରେ ଅନେକ ଲୁକ୍କାୟିତ ଖର୍ଚ୍ଚ ଅଛି। ସାଧାରଣ ନାଗରିକଙ୍କ ପାଇଁ ଏହି ଖର୍ଚ୍ଚ ହ୍ରାସ କରିବାର ଉପାୟ ଖୋଜିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ମୋକଦ୍ଦମାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବା ଦର୍ଶାଇ ଶ୍ରୀ ନାଇଡୁ କହିଛନ୍ତି ଯେ ନ୍ୟାୟ ପ୍ରଦାନରେ ସମୟାନୁବର୍ତ୍ତିତା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି।

ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ଏହି ପ୍ରସଙ୍ଗ ଉତଥାପନ କରି ଉପରାଷ୍ଟ୍ରପତି କହିଛନ୍ତି ଯେ ଅଦାଲତରେ ସଂଖ୍ୟାଧିକ ମାମଲା ପଡି ରହିବା, ବାରମ୍ବାର ଶୁଣାଣି ସ୍ଥଗିତ ରହିବା ଓ ବିଚାର ପ୍ରକ୍ରିୟା ଦୀର୍ଘ ସମୟ ଧରି ଚାଲିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ସେ କହିଛନ୍ତି ଯେ ଆମକୁ ଏହି ଅଯଥା ବିଳମ୍ବର ସମସ୍ୟାର ସମାଧାନ କରିବାକୁ ହେବ ଏବଂ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଯାହା ସମ୍ଭବ ତାହା କରିବାକୁ ହେବ।

ତ୍ୱରିତ ନ୍ୟାୟ ବ୍ୟବସ୍ଥା ପାଇଁ ଅଧିକ କୋର୍ଟ ସ୍ଥାପନ ସହ ସ୍ୱତନ୍ତ୍ର ବେଞ୍ଚ ଏବଂ ସମସ୍ତ ପଦବୀ ପୂରଣ ଓ ଅଦାଲତରେ ପର୍ଯ୍ୟାପ୍ତ ସଂଖ୍ୟାର କର୍ମଚାରୀ ନିଯୁକ୍ତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।ଯେଉଁଠାରେ ଆବଶ୍ୟକ ଓ ସମ୍ଭବ ସେଠାରେ ଲୋକ ଅଦାଲତ ଏବଂ ମୋବାଇଲ୍ କୋର୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଅନ୍ୟ ପକ୍ଷରେ ଅଦାଲତର ପ୍ରକ୍ରିୟା, ପରିଚାଳନା ଓ ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କ ଭାଷାରେ ବିତରଣ କରି ନ୍ୟାୟିକ ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ନାଇଡୁ କହିଛନ୍ତି।

Comments are closed.