ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବେହେରାପାଲିରେ ଥିବା ଏକ ପାଇପ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ପାଇପ ଫ୍ୟାକ୍ଟ୍ରିରେ ଥିବା ଅଳିଆ ଗଦାରେ ହଠାତ୍ ନିଆଁ ଲାଗି ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା। ପରେ ଏହା ଧୀରେ ଧୀରେ ପୁରା କାରଖାନାକୁ ବ୍ୟାପିଯାଇଥିଲା। ଦୀର୍ଘ ସମୟ ଧରି ନିଆଁ ଲାଗି ରହିବା ଯୋଗୁଁ କାରଖାନାରେ ଅନେକ ଜିନିଷ ପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଜନଜୀବନ ହାନି ହୋଇନାହିଁ। ନିଆଁ ଲାଗିବା ଦେଖି କିଛି ସ୍ଥାନୀୟ ଲୋକ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମବାହିନୀ କର୍ମଚାରୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।



