www.samajalive.in
Sunday, December 7, 2025
26.1 C
Bhubaneswar

ପହିଲାରୁ ପାଳନ ହେବ ‘ଓଡ଼ିଆ ପକ୍ଷ’

ଭୁବନେଶ୍ୱର : ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ପହିଲା ଓଡ଼ିଶା ଦିବସରୁ ନେଇ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯିବ। ବିଭିନ୍ନ ବିଭାଗ ସହଯୋଗରେ ଏହି ସମାରୋହ ବ୍ଲକସ୍ତରରୁ ନେଇ ରାଜ୍ୟସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ଲୋକଙ୍କୁ ସାମିଲ କରାଯିବ। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ ପୁନଶ୍ଚ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ସଂସ୍କୃତି ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଆସନ୍ତା ଏପ୍ରିଲ ପହିଲାରେ ସ୍ବତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ଉପଲକ୍ଷେ ରାଜ୍ୟ, ଜିଲା ଏବଂ ଉପଖଣ୍ଡସ୍ତରରେ ଓଡ଼ିଶା ଦିବସ ପାଳନ କରାଯିବ। ୨ରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟର ଶିଶୁ ବାଟିକାରେ ନାମ ଲେଖାଯିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ପାଳନ କରାଯିବ। ୩ରେ ପାରମ୍ପରିକ ଓଡ଼ିଆ ପୋଷାକ ତଥା ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପର ପ୍ରଚାର-ପ୍ରସାର ପାଇଁ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପାରମ୍ପରିକ ପୋଷାକ ପରିଧାନ ‘ଆମ ପୋଷାକ ଆମ ପରିଚୟ’ ଦିବସ ପାଳନ କରାଯିବ। ୪ରେ ରାଜ୍ୟର ବିଭିନ୍ନ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ‘ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା’ କରାଯିବ। ୫ରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ସହିତ ୬ରେ ଓଡ଼ିଶାରେ ଥିବା ଦେବାଳୟ ଓ ଐତିହ୍ୟସ୍ଥଳଗୁଡ଼ିକ ସର୍ବଦା ସ୍ବଚ୍ଛ ରଖିବା ପାଇଁ ସ୍ବଚ୍ଛତା ଅଭିଯାନର ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହାର ଆୟୋଜନ କରାଯିବ। ୭ରେ ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ବର୍ଣ୍ଣବୋଧ’ ନିମନ୍ତେ ଏହି ଦିନଟିକୁ ବର୍ଣ୍ଣବୋଧ ବଣ୍ଟନ-ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହା ପାଳନ କରାଯିବ। ୮ରେ‌ ରେଡ଼କ୍ରସ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଦିନଟିକୁ ରକ୍ତଦାନ ଅଭିଯାନ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହିତ ୯ରେ ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଦିନଟିକୁ ‘ଆସ ବହିଟିଏ କିଣିବା’ ଅଭିଯାନ ଭାବରେ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ। ୧୦ରେ ଓଡ଼ିଶାର ଲୋକକଳାକୁ ବିଶ୍ୱ ବିଦିତ କରିବା ପାଇଁ ଲୋକକଳା ପାଇଁ ଦିନଟିଏ, ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା ଓ କଳାଗ୍ରାମ ପରିଦର୍ଶନ ଉତ୍ସବ ପାଳନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେବ। ୧୧ରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଯୁବ ଲେଖକ ସମ୍ମିଳନୀର ଆୟୋଜନ କରାଯିବ। ୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରଙ୍କ ଉପରେ ଆଲୋଚନା କରାଯିବ। ୧୩ରେ ପାରମ୍ପରିକ ଖାଦ୍ୟ ପାଳନ ଅଭିଯାନ ‘ଆମ ରୁଚି ଆମ ଖାଦ୍ୟ ଉତ୍ସବ’ ପାଳନ କରାଯିବ। ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯିବ। ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷକୁ ଆଡ଼ମ୍ବର ସହକାରେ ପାଳନ କରାଯିବାକୁ ନିଷ୍ପତ୍ତି ହେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସଚିବ ସଞ୍ଜୀବ ମିଶ୍ର, ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ ଏବଂ ଦେବପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories