ରାଜ୍ୟସଭାରେ ଚାଲିଛି ୱାକଫ୍ ଆଲୋଚନା; ବିରୋଧୀଙ୍କ ଅଭିଯୋଗ – ଡରୁଛନ୍ତି ସରକାର

ଡେସ୍କ: ଲୋକସଭାରେ ଗତକାଲି ୧୨ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା ପରେ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଗୃହର ମଞ୍ଜୁରୀ ଲାଭ କରିଛି। ଆଜି (ଗୁରୁବାର) ରାଜ୍ୟସଭାରେ ୱାକଫ୍ (ସଂଶୋଧନ) ବିଲ୍ ୨୦୨୫ ଉପରେ ଆଲୋଚନା ଚାଲିଛି। ଓ୍ଵାକଫ୍ (ସଂଶୋଧନ) ବିଲ୍, ୨୦୨୫ର ଉଦ୍ଦେଶ୍ୟ ହେଉଛି ଓ୍ଵାକଫ୍ ସମ୍ପତ୍ତି ପରିଚାଳନାକୁ ଶୃଙ୍ଖଳିତ କରିବା, ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା। ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତା ବୃଦ୍ଧି, ଓ୍ଵାକଫ୍ ବୋର୍ଡ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟକୁ ଶୃଙ୍ଖଳିତ କରିବା ଏବଂ ଅଂଶୀଦାରଙ୍କ ଅଧିକାରର ସୁରକ୍ଷା କରି ଶାସନରେ ଉନ୍ନତି ଆଣିବା ମଧ୍ୟ ଏହି ଆଇନର ଉଦ୍ଦେଶ୍ୟ। ମୁସଲମାନ ମହିଳା, ବିଶେଷକରି ବିଧବା ଏବଂ ଛାଡ଼ପତ୍ର ପ୍ରାପ୍ତ ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆଣିବାକୁ ଏହି ବିଲରେ ପ୍ରୟାସ କରାଯାଇଛି। ଉନ୍ନତ ଓ୍ଵାକଫ୍ ପରିଚାଳନା ଏବଂ ନିଷ୍ପତ୍ତି ନେବା ପାଇଁ ବିଭିନ୍ନ ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରି ଓ୍ଵାକଫ୍ ବୋର୍ଡକୁ ଅଧିକ ସମାବେଶୀ କରିବା ଏହି ବିଲର ଉଦ୍ଦେଶ୍ୟ।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଲ୍ ଉପସ୍ଥାପନ କରି କହିଛନ୍ତି ଯେ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା ଏବଂ ଯୁଗ୍ମ ସଂସଦୀୟ କମିଟିରେ ଏହି ବିଲ୍ ଅଣାଯାଇଛି। ଏହି ବିଲକୁ ସମର୍ଥନ କରିବାକୁ ସେ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, କେବଳ ମୁସଲମାନମାନେ ଓ୍ଵାକଫର ଲାଭ ପାଇପାରିବେ ଏବଂ ଏହା ଠିକ୍ ନୁହେଁ ଯେ କୌଣସି ଅଣମୁସଲମାନ ଓ୍ଵାକଫ୍ ସମ୍ପତ୍ତି ପରିଚାଳନାରେ ହସ୍ତକ୍ଷେପ କରିବେ। ସେ ଆଲୋକପାତ କରିଥିଲେ ଯେ ଏହି ବିଲର ଉଦ୍ଦେଶ୍ୟ ହେଉଛି ୱାକଫ୍ ସମ୍ପତ୍ତିର ଉତ୍ତମ ପରିଚାଳନା ସୁନିଶ୍ଚିତ କରିବା ଏବଂ ମୁସଲମାନଙ୍କ ଧାର୍ମିକ ପ୍ରଥାରେ ହସ୍ତକ୍ଷେପ କରିବା ନୁହେଁ। ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଓ୍ଵାକଫ୍ ବୋର୍ଡରେ ମୁସଲମାନ ଏବଂ ମହିଳାଙ୍କ ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିତ୍ୱ ରହିବ ବୋଲି ମନ୍ତ୍ରୀ ଆଲୋକପାତ କରିଥିଲେ।

ଆଲୋଚନାରେ ଭାଗ ନେଇ କଂଗ୍ରେସର ଡ. ସୟଦ ନସିର ହୁସେନ କହିଛନ୍ତି ଯେ ଏହି ବିଲ୍ ବିଭ୍ରାନ୍ତିକର ଏବଂ ସାମ୍ପ୍ରଦାୟିକ ଧ୍ରୁବୀକରଣ ଉଦ୍ଦେଶ୍ୟରେ ଏହାକୁ ଅଣାଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ସମ୍ପ୍ରଦାୟକୁ ବିଭାଜନ କରିବାକୁ ଚେଷ୍ଟା କରୁଛି। ସେ କହିଛନ୍ତି, ବିଜେପି ସରକାର ସମୟରେ ୱାକଫ୍ କାଉନସିଲ ପାଇଁ ବଜେଟ୍ ଆବଣ୍ଟନ କରାଯାଇନଥିଲା ଏବଂ ପରିଷଦର କର୍ମଚାରୀଙ୍କୁ ଦରମା ଦିଆଯାଇନଥିଲା।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିରୋଧୀ ମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରି ଡିଏମକେର ତିରୁଚି ଶିବା ଏହି ବିଲକୁ ବିରୋଧ କରିଥିଲେ। ଏହି ବିଲ୍ ଧର୍ମନିରପେକ୍ଷ ଓ ଅସାମ୍ବିଧାନିକ ବୋଲି ସେ କହିଛନ୍ତି। ଟିଏମସିର ମହମ୍ମଦ ନାଦିମୁଲ ହକ୍ କହିଛନ୍ତି, ଏହି ବିଲ୍ ଲୋକଙ୍କ ମୌଳିକ ଅଧିକାର ବିରୋଧୀ। ସଂସ୍କାର ନାଁରେ ଓ୍ଵାକଫର ପରିଚୟ ଦୁର୍ବଳ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂହ ଏହି ବିଲକୁ ଅସାମ୍ବିଧାନିକ ବୋଲି କହିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି। ଆରଜେଡିର ପ୍ରଫେସର ମନୋଜ କୁମାର ଝା ବିଲର ଉଦ୍ଦେଶ୍ୟ ଓ ବିଷୟବସ୍ତୁ ଉପରେ ପ୍ରଶ୍ନ ଉଠାଇଛନ୍ତି।

ବିଜେପିର ରାଧା ମୋହନ ଦାସ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଶାସନ ସମୟରେ ଗରିବ ମୁସଲମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କୌଣସି କାର୍ଯ୍ୟ କରାଯାଇ ନାହିଁ। ଗରିବ ମୁସଲମାନ ସମ୍ପ୍ରଦାୟର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିଲ୍ ଆଣିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ମୋଦି ସରକାର ଜନଧନ ଯୋଜନା, ଉଜ୍ଜ୍ୱଳା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହା ମାଧ୍ୟମରେ ମୁସଲମାନ ସମ୍ପ୍ରଦାୟ ମଧ୍ୟ ଉପକୃତ ହୋଇଛନ୍ତି। ଏନେଇ ଆଲୋଚନା ଜାରି ରହିଛି।

Comments are closed.