ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ଝୁମ୍ପୁରା ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ଭୂତକୋଠି
ଝୁମ୍ପୁରା: ଝୁମ୍ପୁରା ବ୍ଲକର ବିଭିନ୍ନ ଗ୍ରାମକୁ ସଂଯୋଗ ହୋଇଥିବା ପିଡବ୍ଲ୍ୟୁଡି ରାସ୍ତାଗୁଡିକୁ ରକ୍ଷଣାବେକ୍ଷଣ କରିବା ପାଇଁ ଝୁମ୍ପୁରାଠାରେ ଏକ କାର୍ଯ୍ୟାଳୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି। ଏହି କାର୍ଯ୍ୟାଳୟ ପାଇଁ ବିଭାଗ ପକ୍ଷରୁ ଜଣେ ଯନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି ଝୁମ୍ପୁରା କାର୍ଯ୍ୟାଳୟଠାରେ ରହି ତାଙ୍କ ଅଧିନରେ ରହିଥିବା ରାସ୍ତାଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ। କିନ୍ତୁ ଦୁଃଖର ବିଷୟ ଝୁମ୍ପୁରାଠାରେ ରହିଥିବା କାର୍ଯ୍ୟାଳୟଠାରେ ନିଯୁକ୍ତ ହୋଇଥିବା ଯନ୍ତ୍ରୀଙ୍କ ପାଦ ଦିନକ ପାଇଁ ପଡୁ ନଥିବାରୁ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ଭୂତ କୋଠିରେ ପରିଣତ ହେବା ସହିତ କାର୍ଯ୍ୟାଳୟ ଚାରିପାଖ ଅନାବନା ଘାସରେ ପରିପୂର୍ଣ୍ଣ ହୋଇଛି। ଏଥି ସହିତ ଘରର ଛାତ ଉପରେ ମଧ୍ୟ ଅନାବନା ଗଛ ଉଠି ଯାଇଥିବାରୁ ଏହା କାର୍ଯ୍ୟାଳୟ ନା ଭୂତକୋଠି ବୋଲି ଏଠାରେ ଆଲୋଚନା ହେଉଛି। ବିଭାଗୀୟ ଯନ୍ତ୍ରୀଙ୍କ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି କିନ୍ତୁ ଏଠାରେ ଅଧିକାରୀଙ୍କ ପାଦ ୩୬୫ ଦିନ ମଧ୍ୟରେ ଦିନେ ମଧ୍ୟ ପଡୁନଥିବାରୁ ଝୁମ୍ପୁରା ବ୍ଲକର ବିଭିନ୍ନ ବଜାରକୁ ସଂଯୋଗ ହୋଇଥିବା ରାସ୍ତାଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇ ପଡ଼ିଥିବାରୁ ଜନସାଧାରଣ ଉକ୍ତ ରାସ୍ତାରେ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାର୍ଯ୍ୟାଳୟକୁ ପ୍ରତିବର୍ଷ ମରାମତି ରଙ୍ଗ କରିବା ନାମରେ ବିଭାଗୀୟ ଯନ୍ତ୍ରୀ ଲକ୍ଷାଧିକ ଟଙ୍କା ହଡପ କରିଥାନ୍ତି। ଏହି କାର୍ଯ୍ୟାଳୟ ଦାୟିତ୍ୱରେ ରହିଥିବା ଯନ୍ତ୍ରୀ ଜିଲାମୁଖ୍ୟାଳୟରେ ରହୁଛନ୍ତି ନିଜର ସୁବିଧା ନିମନ୍ତେ କିନ୍ତୁ ଝୁମ୍ପୁରା ବ୍ଲକର ଲୋକ ଶୋଚନୀୟ ରାସ୍ତାରେ କିପରି ଯାତାୟତ କରୁଛନ୍ତି ତାହା ତାଙ୍କ ନଜରରେ ପଡ଼ିପାରୁ ନାହିଁ। ଝୁମ୍ପୁରାଠାରେ ରହିଥିବା ପିଡବ୍ଲ୍ୟଡି କାର୍ଯ୍ୟାଳୟ ପାଇଁ ନିଯୁକ୍ତି ହୋଇଥିବା ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଖୋଲିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କାହିଁକି ତାଗିଦ କରୁ ନାହାନ୍ତି ବୋଲି ଏଠାରେ ପ୍ରଶ୍ନ ଉଠୁଛି। ଝୁମ୍ପୁରା ପିଡବ୍ଲ୍ୟୁଡି କାର୍ଯ୍ୟାଳୟକୁ ନିୟମିତ ଖୋଲିବା ଦିଗରେ ଜିଲାପାଳ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି।
Comments are closed.