
ବିଜ୍ଞାନର ବିଜୟ

ଭୁବନେଶ୍ଵର: ଆଜକୁ ଶହେବର୍ଷ ତଳେ ଆମେରିକାରେ ଜନ୍ ଟି ସ୍କୋପସ (୧୯୦୦-୧୯୭୦) ନାମକ ଜଣେ ଶିକ୍ଷକଙ୍କ ନାଁରେ ମକଦ୍ଦମା ହୋଇଥିଲା। ସ୍କୋପସ ଟେନେସିର ଡେଟନରେ ଗୋଟେ ସ୍କୁଲରେ ଜୀବବିଜ୍ଞାନ (ବାୟୋଲୋଜି) ପଢ଼ାଉଥିଲେ। ମକଦ୍ଦମା କାହିଁକି? ନା, ସେ ଟେନେସିର ‘ବଟଲର ଆଇନ’ ଭଙ୍ଗ କରିଛନ୍ତି। ‘ବଟଲର ଆଇନ’ କଣ? ନା, ଟେନେସିରେ ଆଇନ ଥିଲା ଯେ ସେଠିକାର ସ୍କୁଲରେ ମଣିଷର ସୃଷ୍ଟି ସମ୍ପର୍କରେ ପଢା ହୋଇପାରିବ ନାହିଁ। କାହିଁକି? ଖ୍ରୀଷ୍ଟ ଧର୍ମରେ ମଣିଷର ସୃଷ୍ଟି ସମ୍ପର୍କରେ ଯାହା କୁହାଯାଇଛି (ଈଶ୍ୱର ମଣିଷକୁ ସୃଷ୍ଟି କରିଛନ୍ତି), ତାକୁ ହିଁ ଗ୍ରହଣ କରାଯିବ। ସ୍କୋପସ ଚାର୍ଲସ ଡାରଉଇନଙ୍କ ବିବର୍ତ୍ତନବାଦ (୧୮୭୧, ମଣିଷ ଜୀବଜଗତର କ୍ରମାଗତ ବିବର୍ତ୍ତନରୁ ସୃଷ୍ଟି) ପଢ଼ାଉଥିଲେ। ସେଥିପାଇଁ ଖ୍ରୀଷ୍ଟଧର୍ମର ଧ୍ୱଜାଧାରୀମାନେ ସମସ୍ତେ ରାଗି ନିଆଁ ହୋଇଯାଇଥିଲେ।
ମୋକଦ୍ଦମା ଦାୟର ହେଲା ୧୯୨୫ ମେ ମାସରେ। ଏ ମୋକଦ୍ଦମା ସାରା ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏ ମୋକଦ୍ଦମାର ଖବର ଆମେରିକାର ବଡ ବଡ ସମ୍ବାଦପତ୍ରରେ କେବଳ ପ୍ରକାଶିତ ହେଲାନାହିଁ, ରେଡିଓରେ ଧାରାବିବରଣୀ ମଧ୍ୟ ହେଲା। ମୋକଦ୍ଦମା ଚାଲିଲା ୧୯୨୫ ମସିହା ୧୦ ଜୁଲାଇରୁ ୨୧ ଜୁଲାଇ ଯାଏ। ଏହାର ଫଳ କ’ଣ ହେଲା ତାହା କହିବା ପୂର୍ବରୁ ଏ କଥା କହିବା ପ୍ରାସଙ୍ଗିକ ହେବ ଯେ ଏ ମୋକଦ୍ଦମା ପଛରେ ଥିଲା ବିଚାରର ଲଢେଇ ଏବଂ ପ୍ରଚାରର ଆକାଂକ୍ଷା। ଏଥିରେ ଆମେରିକାନ ସିଭିଲ ଲିବର୍ଟି ୟୁନିୟନର ଭୂମିକା ଥିଲା। ସେମାନେ ପାରମ୍ପରିକ ବିଶ୍ୱାସ ଉପରେ ବିଜ୍ଞାନର ବିଜୟକୁ ରେଖାଙ୍କିତ କରିବାକୁ ଚାହୁଁଥିଲେ। ଏଥିରେ ଡେଟନ ସହରର କେତେକ ବ୍ୟବସାୟୀଙ୍କର ମଧ୍ୟ ଭୂମିକା ଥିଲା। ସେମାନେ ନିଜ ସହରକୁ ବିଜ୍ଞପିତ କରିବାକୁ ଚାହୁଁଥିଲେ।
ଏ ମୋକଦ୍ଦମା ସମଗ୍ର ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି କଲା। ମୋକଦ୍ଦମା ଚାଲୁଥିଲାବେଳେ ଶହେ ଉପରେ ସାମ୍ବାଦିକ କୋର୍ଟ ପରିସରରେ ରହୁଥିଲେ। ଉଭୟ ପକ୍ଷରୁ ବିଶିଷ୍ଟ ଆଇନଜ୍ଞମାନେ ମୋକଦ୍ଦମା ଲଢୁଥିଲେ। ଜଣେ ଥିଲେ କ୍ଲାରେନ୍ସ ଡାରୋ। ସେ ଥିଲେ ଯୁକ୍ତିବାଦୀ ମଣିଷ। ସେ ସ୍କୋପସଙ୍କ ସପକ୍ଷରେ ଲଢ଼ୁଥିଲେ। ଅନ୍ୟପଟରେ ଥିଲା ଉଇଲିୟମ ବ୍ରାୟାନ ଯିଏ ତିନି ତିନିଥର ଆମେରିକାର ରାଷ୍ଟ୍ରପତି ପଦପାଇଁ ଲଢ଼ିଥିଲେ ଏବଂ ଖ୍ରୀଷ୍ଟ ଧର୍ମର ଜଣେ ପୃଷ୍ଠପୋଷକ ଥିଲେ। ଅର୍ଥାତ୍ ଏ ମୋକଦ୍ଦମାଟି ସ୍କୋପସଙ୍କୁ ଡେଇଁ ବିଜ୍ଞାନ ବନାମ ଧର୍ମ ହୋଇ ଛିଡା ହୋଇଥିଲା।
ଏ ହାଇ-ପ୍ରୋଫାଇଲ ମୋକଦ୍ଦମାର ଫଳ ବାହାରିଲା ୨୧ ଜୁଲାଇ ୧୯୨୫ରେ। ଶିକ୍ଷକ ଜନ ଟି ସ୍କୋପସ ହାରିଗଲେ। ତାଙ୍କୁ ଶହେ ଡଲାର ଜୋରିମାନା ହେଲା। ତାଙ୍କୁ ସ୍କୁଲରେ ଡାରଉଇନଙ୍କ ବିବର୍ତ୍ତନବାଦ ପଢେଇବାକୁ ମନା କରାଗଲା। ଆମେରିକାର ଆହୁରି ଦୁଇଟି ରାଜ୍ୟ ମିସିସିପି ଏବଂ ଆରାକନସରେ ୧୯୨୬ ଏବଂ ୧୯୨୮ରେ ବିବର୍ତ୍ତନବାଦ ପଢେଇବା ନିଷିଦ୍ଧ କରାଗଲା।
ଏ ମୋକଦ୍ଦମା ପାଇଁ ସାମାଜିକ ଏବଂ ପେସାଗତ ଜୀବନରେ ଜନ ଟି ସ୍କୋପସ ଭାରି ହିନସ୍ତା ହେଲେ। ଅନେକ କଟୂକ୍ତି ଓ ଥଟ୍ଟା ପରିହାସର ସମ୍ମୁଖୀନ ହେଲେ। ଅବସ୍ଥା ଏମିତି ହେଲା ଯେ ସେ ଆଉ ଟେନେସିରେ ରହି ପାରିଲେ ନାହିଁ।
୧୯୫୫ରେ ଏ ମକଦ୍ଦମାକୁ ନେଇ ଗୋଟିଏ ନାଟକ (ଇନହେରିଟ ଦି ଉଇଣ୍ଡ) ହେଲା, ୧୯୬୦ରେ ଏହି ନାଟକ ଆଧାରରେ ଗୋଟିଏ ଚଳଚ୍ଚିତ୍ର ମଧ୍ୟ ତିଆରି ହେଲା। ସମୟ ସହିତ ଏ ଆଇନ ବଦଳିଲା ୧୯୬୭ ମସିହାରେ, ୪୨ ବର୍ଷ ପରେ।
୧୯୬୭ ମସିହାରେ ସୁଜାନ ଇପାରସନ ନାମକ ଆଉ ଜଣେ ବାୟୋଲୋଜି ଶିକ୍ଷିକା ଆମେରିକାର ଅର୍କନସସରେ ଏକା ଆଇନ ବିରୋଧରେ ଲଢ଼େଇ ଆରମ୍ଭ କଲେ। ଏ କ୍ଷେତ୍ରରେ ଅବଶ୍ୟ ସୁପ୍ରିମକୋର୍ଟ ବିଜ୍ଞାନ ସପକ୍ଷରେ ରାୟ ଦେଲେ। ଡାରଉଇନଙ୍କର ବିବର୍ତ୍ତନବାଦ ଜିତିଲା। ସେହି ବର୍ଷ ଜୁନ ମାସରେ ସ୍କୋପସଙ୍କ ଆତ୍ମଜୀବନୀ ‘ସେଣ୍ଟର ଅଫ ଦି ଷ୍ଟର୍ମ: ମେମୟାରସ ଅଫ ଜନ ଟି ସ୍କୋପସ’ ପ୍ରକାଶିତ ହୋଇଥିଲା।
Comments are closed.