ଆସନ ଭାଗବଣ୍ଟାକୁ ନେଇ ଜେଡିୟୁ-ବିଜେପି ଟଣାଓଟରା
ପାଟନା : ବିହାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍ଡିଏ) ଓ ଏହାର ସହଯୋଗୀ ଦଳଙ୍କ ମଧ୍ୟରେ ୨୦୧୯ ଲୋକସଭା ନିର୍ବାଚନରେ ଆସନ ଭାଗବଣ୍ଟାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଦାବି କରିଛି ଯେ ବର୍ତ୍ତମାନର ଦଳୀୟ ବିଧାୟକ ଆଧାରରେ ଆସନ ଭାଗବଣ୍ଟା ଯିବା ଆବଶ୍ୟକ। ଯେଉଁ ଦଳର ବିଧାନସଭାରେ ଯେତେ ଆସନ ଅଛି, ସେହି ଦଳକୁ ସେହି ଆଧାରରେ ଲୋକସଭା ନିର୍ବାଚନରେ ଲଢିବାକୁ ଆସନ ଦିଆଯାଉ। ବର୍ତ୍ତମାନ ବିହାର ବିଧାନସଭାରେ ଜେଡିୟୁର ୭୦ ବିଧାୟକ ଅଛନ୍ତି। ଏନ୍ଡିଏ ମେଣ୍ଟ ଦଳ ମଧ୍ୟରେ ଜେଡିୟୁ ଆସନ ସଂଖ୍ୟା ସର୍ବାଧିକ ରହିଛି। ଜେଡିୟୁର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୨୦୧୪ ଲୋକସଭା ନିର୍ବାଚନ ଫଳାଫଳ ଆଧାରରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ହୋଇପାରିବ ନାହିଁ। ଏବେ ରାଜନୈତିକ ପରିସ୍ଥିତି ବଦଳିଯାଇଛି, ତେଣୁ ୨୦୧୪କୁ ଆଧାର କରାଯାଇପାରିବ ନାହିଁ। କୁହାଯାଉଛି ୨୦୧୪ ଲୋକସଭା ନିର୍ବାଚନ ଫଳାଫଳକୁ ଆଧାର କରି ଆସନ ଭାଗବଣ୍ଟା ହେଲେ ଜେଡିୟୁ ୨୦୧୫ ବିଧାନସଭା ନିର୍ବାଚନ ଫଳାଫଳ ଆଧାରରେ ୨୦୨୦ ବିଧାନସଭା ନିର୍ବାଚନ ପାଇଁ ଆସନ ବାଣ୍ଟିବାକୁ ଦାବି କରିବ। ଉଲ୍ଲେଖ ଯେ ୨୦୧୫ ବିଧାନସଭା ନିର୍ବାଚନରେ ବିଜେପି ମାତ୍ର ୫୩ଟି ଆସନ ଜିତିପାରିଥିଲା। ସେହିପରି ଲୋକସଭା ର୍ନିବାଚନରେ ବିହାର ଏନ୍ଡିଏ୍ର ଅଭିଯାନର ନେତୃତ୍ୱ କି’ଏ ନେବ ତାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଜେପି ମୋଦୀଙ୍କ ନେତୃତ୍ୱରେ ଏନ୍ଡିଏର ପ୍ରଚାର କରିବାକୁ କହୁଥିଲାବେଳେ ଜେଡିୟୁ ନୀତୀଶଙ୍କୁ ବିହାର ଏନ୍ଡିଏର ନେତା କରିବାକୁ ଦାବି ରଖିଛି।