ଜୟପୁର: ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ‘ଲକ୍ଷ୍ମୀ’ ଯୋଜନା ଅନ୍ତର୍ଗତ ଏସି ବସ୍ ସେବା କୋରାପୁଟ ଜିଲାରେ ଆଣ୍ଠେଇବା ଭଳି ମନେ ହେଉଛି। ଜିଲାର ୧୪ ବ୍ଲକ ପାଇଁ ରାଜ୍ୟ ସରକାର ୧୪ଟି ଏସି ବସ୍ ପଠାଇଥିବାବେଳେ ସେଥିରୁ ୨ଟି ଚଳାଚଳା କରୁଥିବାବେଳେ ବାକି ୧୨ଟି ବସ୍ ଜୟପୁର ଓଏସ୍ଆର୍ଟିସି ଗ୍ୟାରେଜ୍ ପଡ଼ିରହିଛି। ଜିଲାରେ ଆରମ୍ଭ ହୋଇଥିବା ‘ସିଟି’ ବସ୍ର ଅବସ୍ଥା ନ ଭୋଗୁ ‘ଲକ୍ଷ୍ମୀ’ ବସ୍ ଯୋଜନା ବୋଲି ସାଧାରଣରେ ଆଲୋଚନା ହେଉଛି।
ରାଜ୍ୟ ସରକାର ଗତବର୍ଷ ରାଜ୍ୟରେ ‘ଲକ୍ଷ୍ମୀ’ ନାମକ ଯୋଜନା ଆଣିଥିଲେ। ଯୋଜନାରେ ପ୍ରଥମେ ପ୍ରତି ପଞ୍ଚାୟତରୁ ବ୍ଲକ ସଦରକୁ ଯୋଡ଼ିବା ଲକ୍ଷ୍ୟ ରଖାଯାଇଥିଲା। ଗାଁ ଗହଳିର ଲୋକେ ନିଜ ବ୍ଲକ ସଦରକୁ ଯିବା ଆସିବାର ମାଧ୍ୟମ ରୂପେ ଏହି ବସ୍କୁ କମ୍ ମୂଲ୍ୟରେ ବ୍ୟବହାର କରିବା ଧାର୍ଯ୍ୟଥିଲା।
ଏପରିକି ମହିଳା ଏବଂ ସ୍କୁଲ କଲେଜ ପିଲାଏ ମାତ୍ର ୫ ଟଙ୍କାରେ ଯିବା ଆସିବା କରିପାରିବେ। ସେହିଭଳି ବ୍ଲକରୁ ଜିଲା ସଦରକୁ ମଧ୍ୟ ଏହି ବସ୍ ସେବା ଶୀତତାପ ନିୟନ୍ତ୍ରଣରେ ଯୋଗାଇବା ଲକ୍ଷ୍ୟ ରହିଛି। ଖାଲି ସେତିକି ନୁହଁ ଜିଲା ସଦରରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱର ନତୁବା ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ୍ମୀ ବସ୍ ଜଗନ୍ନାଥ ଏକ୍ସେପ୍ରେସ୍ ନାମରେ ସେବା ଦେଇ ମହିଳାଙ୍କୁ ଅଧା ଦରରେ ନେବା ଆଣିବାର ଘୋଷଣା ହୋଇଥିଲା।
କୋରାପୁଟ ଜିଲାର ୧୪ଟି ବ୍ଲକ ପାଇଁ ୪୬ଟି ବସ୍ ଜିଲାକୁ ଆସିଥିଲା। ଏହି ୪୬ଟି ବସ୍ ମଧ୍ୟରୁ ପ୍ରତି ବ୍ଲକକୁ ୩ଟି ଲେଖାଏଁ ଦିଆଯାଇଥିବାବେଳେ ବଡ଼ ବ୍ଲକ ବୋରିଗୁମ୍ମାକୁ ଅଧିକ ୨ଟି, ନନ୍ଦପୁରକୁ ଅଧିକ ୧ଟି ଏବଂ ବୈପାରିଗୁଡ଼ାକୁ ଅଧିକ ୧ଟି ବସ୍ ଏପରି ଭାବେ ୪୬ଟି ବସ୍ ଦିଆଯାଇ ଜିଲାରେ ସେବା ଆରମ୍ଭ କରାଯାଇଥିଲା।
ଏହାର ଜିଲାସ୍ତରୀୟ କାର୍ଯ୍ୟାଳୟ ଜୟପୁରସ୍ଥ ରାଜ୍ୟ ପରିବହନ ନିଗମର ନୂଆ ବସ୍ଷ୍ଟାଣ୍ଡ କୋଠାରେ କରାଯାଇଥିବା ବେଳେ ସେଠାରେ ଜଣେ ଜିଲା ପରିଚାଳକ, ଜଣେ ଅତିରିକ୍ତ ପରିଚାଳକ, ଜଣେ ଅଫିସ୍ ଆସିଷ୍ଟାଣ୍ଡ ଏବଂ ଜଣେ ହିସାବ ରକ୍ଷକଙ୍କୁ ନେଇ କାର୍ଯ୍ୟାଳୟ ଆରମ୍ଭ କରାଯାଇଛି। ୪୬ଟି ବସ୍ ପଞ୍ଚାୟତରୁ ବ୍ଲକ ଚାଲିବା ପରେ ରାଜ୍ୟ ସରକାର ବ୍ଲକ୍ରୁ ଜିଲା ସଦରକୁ ଚଲାଇବା ପାଇଁ ପୁଣି ୧୪ଟି ଶୀତତାପ ନିୟନ୍ତ୍ରିତ ବସ୍ ପଠାଇଥିଲେ।
ଏହି ବସ୍ଗୁଡ଼ିକ ଗତ ମାସେ ହେବ ଜୟପୁରସ୍ଥ ରାଜ୍ୟ ପରିବହନ ନିଗମର ଗ୍ୟାରେଜ୍ରେ ପଡ଼ି ରହିଛି। ଏଥିରୁ ମାତ୍ର ୨ଟି ବସ୍ ଗୋଟିଏ କୋଟପାଡ଼ ଠାରୁ କୋରାପୁଟ ଏବଂ ଗୋଟିଏ ବନ୍ଧୁଗାଁଠାରୁ କୋରାପୁଟ ସେବା ଯୋଗାଉଛି। ଅନ୍ୟ ୧୨ଟି ବସ୍ ଗ୍ୟାରେଜ୍ରେ ପଡ଼ି ରହିଛି।
ଗତ ୨୦୧୬ ମସିହାରେ ଯେଭଳି ଢ଼ଙ୍ଗରେ ଜୟପୁର ଠାରୁ ଜିଲା ପାଇଁ ସିଟି ବସ୍ ସେବା ଆରମ୍ଭ ହୋଇ ଜିଲା ପ୍ରଶାସନର ଅବହେଳାରୁ ବନ୍ଦ ହେବା ସହ ବସ୍ ଗୁଡ଼ିକ ଏବେ ଯାଏଁ ଖତ ଖାଉଛି। ଲକ୍ଷ୍ମୀ ବସ୍ ଗୁଡ଼ିକୁ ଦେଖିଲେ ସେହି ଧାରଣା ଜନସାଧାରଣଙ୍କ ମନରେ ଆସିବା ସ୍ୱାଭାବିକ ହୋଇଛି। ଏହାର ସୁପରିଚାଳନା ନେଇ ରାଜ୍ୟ ସରକାର ଜିଲାସ୍ତରରେ ୩ଟି କମିଟି ରଖିଥିବାବେଳେ ତାହାକୁ କମିଟିର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।
ଏହି ଯୋଜନାର ବସ୍ଗୁଡ଼ିକ କେଉଁ ରୁଟ୍ରେ ଜିଲାରେ ଚାଲିବ ତାହା ସମ୍ପୃକ୍ତ କମିଟି ସ୍ଥିର କରିବ। କିନ୍ତୁ କୋରାପୁଟ ଜିଲାର ଅଧିକାଂଶ ରୁଟ୍ ଲୋକଙ୍କୁ ସୁହାଇବା ଭଳି ହୋଇ ନ ଥିବା ଆଲୋଚନା ହେଉଛି। ଜୟପୁର ସହରରୁ ତିନୋଟି ବସ୍ ଚାଲୁଥିବା ବେଳେ ଯେଭଳି ଭାବେ ରୁଟ୍ ଚୟନ କରାଯାଇଛି ତାହାକୁ ଦେଖିଲେ ଏହା ଲୋକଙ୍କ ସେବା ପାଇଁ ନା କେବଳ ରାସ୍ତାରେ ଗାଡ଼ି ଗଡ଼ିବା ପାଇଁ ହୋଇଥିବା ମତ ଆସୁଛି।
ଏହି ରୁଟ୍ ମଧ୍ୟରୁ ଗୋଟିଏ ବସ୍ ସକାଳୁ ପାରାବେଡ଼ା-ଏକାଟାଗୁଡ଼ା ଦେଇ ଗଡ଼ପଦର ଯାଉଥିବାବେଳେ ସବୁବେଳେ ଖାଲି ରହୁଥିବା ଲକ୍ଷ୍ୟ କରାଯାଉଛି। ଏହି ରୁଟ୍ରେ କିଭଳି ରାଣୀଗଡ଼ ଯୋଡ଼ି ହେବ ସେନେଇ ବିଚାର କରାଯିବା କଥା। କିନ୍ତୁ ଜିଲାର କେତେକ ବ୍ଲକରେ ଏହି ବସ୍ଗୁଡ଼ିକର ଗ୍ରହଣିୟତା ବେଶ୍ ଉତ୍ସାହଦାୟକ ହୋଇଛି। ନାରାୟଣପାଟଣା, ବୈପାରିଗୁଡ଼ା, ପଟ୍ଟାଙ୍ଗି ଭଳି ବ୍ଲକରେ ଏହି ବସ୍ ବେଶ୍ ଲୋକପ୍ରିୟ ହୋଇଥିବା କୁହାଯାଉଛି।



