ଅଡ଼ବାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ଉପସ୍ଥିତିରେ ଆସିଥିବା ମୋଟ ୨୧୭ଗୋଟି ଅଭିଯୋଗ ମଧ୍ୟରୁ ୪୭ଟି ସାମୂହିକ ଓ ୧୩୮ଟି ବ୍ୟକ୍ତିଗତ ରହିଥିଲା। ସେଥିମଧ୍ୟରୁ ୩୨ଟି ଗୋଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିବା ବେଳେ ୧୭୦ଟି ଅଭିଯୋଗକୁ ଅତିଶୀଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣତଃ ବ୍ଳକର ବିଭିନ୍ନ ଗ୍ରାମକୁ ରାସ୍ତାଘାଟ ସମସ୍ୟା, ପାନୀୟ ଜଳ, ପୋଲ, ଆବାସ, ନେଟୱର୍କ ଆଦି ସମସ୍ୟା ଉପରେ ଅଭିଯୋଗ ହୋଇଥିଲା। ଚିକିତ୍ସା ଓ ଅନ୍ୟ ସମସ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୧୧ ଜଣ ବ୍ୟକ୍ତିଙ୍କୁ ୨୮ ହଜାର ୫ ଶହ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଜନ ଅଭିଯୋଗ ଶୁଣାଣୀରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା, ଅଧ୍ୟକ୍ଷ ରଞ୍ଜିବ ଶବର, ଏସଡିପିଓ ଦିଲ୍ଲିପ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଫାଲଗୁନୀ ମାଝୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଗିରୀଶ କୁମାର ମହାନ୍ତି, ମୁଖ୍ୟ ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ଜିପିଇଓ ଖଗେଶ୍ଵର ଭୁୟାଁ, ଅଡବା ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧିମାନଙ୍କ ସମେତ ବ୍ଳକ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.