କୋରାଇ ବ୍ଲକରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଯାଜପୁର: ସୋମବାର ପୂର୍ବାହ୍ନରେ କୋରାଇ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କ ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସଂପନ୍ନ କରିବା ହେଉଛି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ । ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆବାସ ଯୋଜନା, ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗଗୁଡିକ ପଂଜିକୃତ ହୋଇଥିଲା । ଏହି ଶୁଣାଣିରେ ମୋଟ ୨୨୯ ଗୋଟି ଅଭିଯୋଗ ମଧ୍ୟରୁ ୨୨୭ ଗୋଟି ବ୍ୟକ୍ତିଗତ, ୦୭ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୦୬ ଗୋଟି, ସାମୁହିକ ୦୨ ଗୋଟି ଆବେଦନ ପତ୍ର ମିଳିଥିଲା । ତତକ୍ଷଣାତ୍ ୧୪୯ ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗର ସମାଧାନ କର୍ତ୍ତୃପକ୍ଷ ଅଧିକାରୀମାନଙ୍କ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଗଲା।

ପ୍ରକାଶ ଥାଊକି, ଚଳିତ ମାସ ୨୭ ତାରିଖ ସୋମବାର ଧର୍ମଶାଳା ବ୍ଲକ କାର୍ଯ୍ୟାଳୟଠାରେ ଦିବା ୧୦ ଘଟିକାଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, କୋରାଇ ବିଡିଓ, ଜିଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳୋତ୍ତମା ପୃଷ୍ଟି , କୋରାଇ ତହସିଲଦାର, ଭାରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.