ଜାଇକାର ଠିକାଦାର ପ୍ରୀତି ; ସରୁନି ମୁଖ୍ୟଡ୍ରେନ ନିର୍ମାଣ ବର୍ଜ୍ୟଜଳ ପରିଚାଳନା ପ୍ରକଳ୍ପରେ ଝୁଲୁଛି ତାଲା

କଟକ : କେବଳ କଟକ ସହରବାସୀଙ୍କୁ ନୁହେଁ; ରାଜ୍ୟ ସରକାରଙ୍କୁ ମଧ୍ୟ ଜାଇକା କର୍ତ୍ତୃପକ୍ଷ ଏବଂ ପରାମର୍ଶଦାତା କମ୍ପାନୀ ଭୁତେଇ ଚାଲିଛି। ସହରରେ ୭୫ପ୍ରତିଶତ ସ୍ୱେରେଜ ଓ ଡ୍ରେନେଜ ନିର୍ମାଣ ଶେଷ ହୋଇନାହିଁ। ମୁଖ୍ୟ ଡ୍ରେନ ନିର୍ମାଣ ଶେଷ ହୋଇ ନ ଥିବା ବେଳେ ଜାଇକା କର୍ତ୍ତୃପକ୍ଷ ସିଡିଏ ସତୀଚଉରା ନିକଟରେ ନିର୍ମିତ ବର୍ଜ୍ୟଜଳ ପରିଚାଳନା ପ୍ରକଳ୍ପକୁ ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟନ କରିଛନ୍ତି। ଏହାପରଠାରୁ ଏହି ପ୍ରକଳ୍ପରେ ତାଲା ଝୁଲୁଛି। ମୁଖ୍ୟଡ୍ରେନ ନିର୍ମାଣ ହୋଇନଥିବାରୁ ଦୂଷିତ ଜଳ ଆସିପାରୁ ନ ଥିବାରୁ ପ୍ରକଳ୍ପ ଚାଲିପାରୁ ନାହିଁ।
ପ୍ରକାଶ ଯେ, ସ୍ୱେରେଜ ଓ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଜାଇକା (ଜାପାନ ଇଣ୍ଟରନେସନାଲ କୋ-ଅପରେସନ ଏଜେନ୍ସି) ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। କଟକରେ ଏଲଆଣ୍ଡଟିକୁ ସ୍ୱେରେଜ ନିର୍ମାଣ ଓ ଭି-ଟେକକୁ ୨ଟି ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଛି। ବିଦ୍ୟାଧରପୁରସ୍ଥିତ ଏନ୍‌ଆରଆରଆଇ (ଜାତୀୟ ଧାନ ଗବେଷଣା କେନ୍ଦ୍ର) ଏବଂ ସତୀଚଉରା ନିକଟରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ନିର୍ମାଣ ହୋଇଛି। ସତୀଚଉରା ପ୍ଲାଣ୍ଟରେ ପ୍ରାୟ ୧୦୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ପ୍ଲାଣ୍ଟ ସହିତ ମୁଖ୍ୟଡ୍ରେନକୁ ସଂଯୋଗ କରାଯିବ। ସହରର ପ୍ରାୟ ୧୦୦କିମି ମୁଖ୍ୟ ଡ୍ରେନ ଏହି ପ୍ଲାଣ୍ଟ ସହିତ ସଂଯୋଗ ହେବ। ମୁଖ୍ୟ ଡ୍ରେନରେ ଆସୁଥିବା ଦୂଷିତ ପାଣି ଏହି ପ୍ଲାଣ୍ଟରେ ବିଶୋଧନ କରାଯିବ। ଜାଇକା ପକ୍ଷରୁ ଏ ପର୍ଯ୍ୟନ୍ତ ମାତ୍ର ୨୦କିଲୋମିଟର ମୁଖ୍ୟ ଡ୍ରେନ ନିର୍ମାଣ କରାଯାଇଛି। ଅବଶିଷ୍ଟ ଡ୍ରେନ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆଭାବେ ପଡିରହିଛି। ମୁଖ୍ୟ ଡ୍ରେନ ନିର୍ମାଣ ହୋଇନଥିବାବେଳେ ମୁଖ୍ୟ ଡ୍ରେନକୁ ଅନ୍ୟ କୌଣସି ଶାଖା କିମ୍ବା ପ୍ରତି ଘର ସହିତ ସଂଯୋଗ ହୋଇନାହିଁ। ଯାହାଫଳରେ ଏହି ପ୍ଲାଣ୍ଟକୁ ଦୂଷିତ ପାଣି ଆସିପାରୁନି। ଦୂଷିତ ପାଣି ନଥିବାବେଳେ ଏହି ପ୍ଲାଣ୍ଟ ଉଦ୍‍ଘାଟନ କାହା ସ୍ୱାର୍ଥରେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ଜାଇକା କାର୍ଯ୍ୟ ତଦାରଖ ପାଇଁ ପିଏମସିକୁ ପରାମର୍ଶଦାତା (କନସଲଟାଣ୍ଟ) କମ୍ପାନୀଭାବେ ନିୟୋଜିତ କରାଯାଇଛି। ଏହି କମ୍ପାନୀକୁ ସମସ୍ତ କାର୍ଯ୍ୟର ସବିଶେଷ ପ୍ରକଳ୍ପ ରିପୋର୍ଟ, ପ୍ରକଳ୍ପ ମୂଲ୍ୟ, ନକ୍ସା ସହିତ ସମସ୍ତ କାର୍ଯ୍ୟ ତଦାରଖ ଦାୟିତ୍ୱ ଦିଆଯାଇଛି। ଏ ବାବଦରେ କମ୍ପାନୀ ୧୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜାଇକାଠାରୁ ନେଇସାରିଲାଣି। କମ୍ପାନୀ କାର୍ଯ୍ୟାଦେଶ ନେବା ପରେ ଅଭିଜ୍ଞ ଓ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବା ବଦଳରେ ଅତି ବେପରୁଆ ଢଙ୍ଗରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। କମ୍ପାନୀ ଟିମ୍‌ ଲିଡରଭାବେ ଆମେରିକାର ଜଣେ କେମିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛି। ଏହା ଏକ ନିର୍ମାଣ କାର୍ଯ୍ୟ ହୋଇଥିବାବେଳେ କେମିକାଲ ଇଞ୍ଜିନିୟରଙ୍କ ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠିଛି। କେବଳ କେମିକାଲ ଇଞ୍ଜିନିୟର ନୁହନ୍ତି ଓଡ଼ିଶାରେ କନସଲଟାଣ୍ଟର ଥିବା ରେସିଡେନ୍ସ ପ୍ରୋଜେକ୍ଟ ମ୍ୟାନେଜରଙ୍କ ଯୋଗ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପ୍ରୋଜେକ୍ଟ ମ୍ୟାନେଜରଙ୍କର କୌଣସି ଅଭିଜ୍ଞତା ନଥିବା ଅଭିଯୋଗ ହୋଇଛି। ଜଣେ ସ୍ନାତକ ହୋଇ ସେ ଜାଇକା କାର୍ଯ୍ୟର ସମସ୍ତ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ସହିତ କର୍ମଚାରୀ ନିଯୁକ୍ତି ଦେଉଥିବା ଅଭିଯୋଗ ହୋଇଛି। କମ୍ପାନୀର ଅପରିଣାଦର୍ଶିତା ଯୋଗୁଁ ଜାଇକା ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଚାଲିଛି। କମ୍ପାନୀକୁ ସୁରକ୍ଷା ଦେବା ପାଇଁ ବର୍ଜ୍ୟଜଳ ପରିଚାଳନା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଥିବା ଜଣାପଡିଛି। କମ୍ପାନୀର ଏକାଧିକ ତ୍ରୁଟି ଯୋଗୁଁ ଜାଇକା ପ୍ରକଳ୍ପ ମୂଲ୍ୟ ବଢିଚାଲିଥିବା ବେଳେ ନଗର ଉନ୍ନୟନ ବିଭାଗ ନୀରବଦ୍ରଷ୍ଟା ସାଜିଛି। କେବଳ ସେତିକି ନୁହେଁ; ଏକ ଅନଭିଜ୍ଞ ସଂସ୍ଥାକୁ କନସଲଟାଣ୍ଟଭାବେ ଅବସ୍ଥାପିତ କରାଯାଇଥିବାରୁ ଜାଇକା ପ୍ରକଳ୍ପ ଅବଧି ବଢିବଢି ଚାଲିଛି। ୨୦୧୪ରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପରେ ୩ବର୍ଷରେ ଶେଷ ହେବାକୁ ଲକ୍ଷ୍ୟ ରହିଥିବାବେଳେ ୫ବର୍ଷ ପରେ ବି ୭୦ପ୍ରତିଶତ କାର୍ଯ୍ୟ ହୋଇନାହିଁ। ଆସନ୍ତା ୪ବର୍ଷରେ ବି ଏହି କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏପଟେ ପ୍ରକଳ୍ପ ମୂଲ୍ୟ ବାରମ୍ବାର ବଢିଚାଲିଛି। ଏ ଦିଗରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Comments are closed.