ଦଙ୍ଗା ପରେ ଭଙ୍ଗା

ଜାହାଙ୍ଗିରପୁରୀରେ ବୁଲିଲା ବୁଲଡ଼ୋଜର, ସୁପ୍ରିମକୋର୍ଟ ନିର୍ଦେଶରେ ସ୍ଥଗିତ

ନୂଆଦିଲ୍ଲୀ : ଦଙ୍ଗା ପରେ ଆରମ୍ଭ ହୋଇଛି ଜବରଦଖଲ ଭଙ୍ଗା ଅଭିଯାନ । ଦିଲ୍ଲୀର ସାମ୍ପ୍ରଦାୟିକ ହିଂସା ପ୍ରପୀଡ଼ିତ ଜାହାଙ୍ଗିରପୁରୀରେ ପୁଲିସ ବୁଧବାର ଜବରଦଖଲ ଉଚ୍ଛେଦକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ଆଗୁଆ ସୂଚନା(ନୋଟିସ) ବିନା ସେମାନଙ୍କ ଘର ଓ ଦୋକାନ ଭାଙ୍ଗି ଦିଆଯାଉଥିବା ଅଭିଯୋଗ ଉଠିଥିବା ବେଳେ ପୁଲିସ ଓ ଉତ୍ତର ଦିଲ୍ଲୀ ମହାନଗର ନିଗମ କର୍ତ୍ତୃପକ୍ଷ ଜବରଦଖଲକାରୀଙ୍କୁ ଏନେଇ ନୋଟିସ ଦିଆଯାଇଥିବା କୁହାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶର କିଛି ସମୟ ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ଉଚ୍ଛେଦ ଅଭିଯାନ ବନ୍ଦ ନ କରିବାରୁ ନ୍ୟାୟାଳୟ ପୁନର୍ବାର ଏଥିରେ ହସ୍ତକ୍ଷେପ କରି ଅଧିକାରୀଙ୍କ ନିକଟରେ ପ୍ରତ୍ୟକ୍ଷ ଭାବେ ସ୍ଥଗିତାଦେଶ ନୋଟିସ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ଏହା ପରେ ଯାଇ ଜବରଦଖଲ ଉଚ୍ଛେଦ ଅଭିଯାନ ବନ୍ଦ ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ସମ୍ପୃକ୍ତ ଅଞ୍ଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଛନ୍ତି।
ତେବେ ଯେଉଁ ଜବରଦଖଲକାରୀଙ୍କ ଘର ଭଙ୍ଗା ଯାଇଛି ସେଥିରେ ଦଙ୍ଗା ଭିଆଇଥିବା ୫ ଜଣ ଅଭିଯୁକ୍ତଙ୍କ ଘର ମଧ୍ୟ ରହିଥିବା ଜଣାପଡିଛି। ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତାଙ୍କ ପତ୍ରକୁ ଆଧାରକରି ମହାନଗର ନିଗମ ପ୍ରଶାସନ ପକ୍ଷରୁ ଗତ ତିନି ଦିନ ଧରି ଜାହାଙ୍ଗିରପୁରୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଥିବାବେଳେ ବୁଧବାର ସକାଳେ ୯ଟି ବୁଲ୍‌ଡୋଜର ଓ ଜେସିବି ଲଗାଇ ହିଂସାରେ ସାମିଲ ଲୋକଙ୍କ ଦୋକାନ ଓ ଘର ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିଲା। ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ୪୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଥିଲା।

prayash

ଉଚ୍ଛେଦ ଆରମ୍ଭ ମାତ୍ରେ ଜମିଆତ୍‌ ଉଲାମା-ଇ- ହିନ୍ଦ୍‌ ନାମକ ସଂଗଠନ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇ ଏହା ଉପରେ ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲା। ଗତ ସପ୍ତାହର ହିଂସାକାଣ୍ଡ ଅଭିଯୁକ୍ତଙ୍କ ଘରକୁ ଜାଣିଶୁଣି ପ୍ରଶାସନ ଭାଙ୍ଗିବା ଅଭିଯାନ ଆରମ୍ଭ କରିଥିବା ଉଲାମା-ଇ-ହିନ୍ଦ୍‌ ଦର୍ଶାଇଥିଲା। ବିଜେପି ନେତାଙ୍କ ଚିଠିକୁ ଆଧାର କରି ଘର ଭାଙ୍ଗିବା ରାଜନୈତିକ ଉ​‌େ​‌ଦ୍ଦଶ୍ୟ ପ୍ରଣୋଦିତ ବୋଲି ଉଲାମା-ଇ-ହିନ୍ଦ୍‌ ଅଭିଯୋଗ ଉଠାଇଛି। ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ସାମ୍ପ୍ରଦାୟିକ ହିଂସା ଘଟାଇବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଘରେ ବୁଲ୍‌ଡୋଜର ମଡ଼ାଇବା ଭଳି ଦିଲ୍ଲୀରେ ଏହା ଯୋଜନାବଦ୍ଧ ବୋଲି ଉଲାମା-ଇ-ହିନ୍ଦ୍‌ ଆବେଦନରେ ଦର୍ଶାଇଛି। ଉଲାମା-ଇ-ହିନ୍ଦ୍‌ ପକ୍ଷରୁ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ଦର୍ଶାଇଥିଲେ ଯେ, ସମ୍ପ୍ରତି ରମଜାନ୍‌ ଚାଲିଥିବାବେଳେ ବିନା ନୋଟିସରେ ହିଂସା ପ୍ରପୀଡ଼ିତ ଅଞ୍ଚଳରେ ଘର ଭଙ୍ଗାଯିବା ବେଆଇନ ଓ ଅସାମ୍ବିଧାନିକ। ପ୍ରଧାନ ବିଚାରପତି ଏନ୍‌.ଭି ରମଣାଙ୍କ ନେତୃତ୍ବାଧୀନ ପୀଠ ଗୁରୁବାର ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବା ସହ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ।
ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶ ମିଳି ନ ଥିବା ଦର୍ଶାଇ ପୁଲିସ ପ୍ରଶାସନ ପ୍ରାୟ ଦୁଇ ଘଣ୍ଟା ଧରି ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଥିଲା। ଦଙ୍ଗା ଅଭିଯୁକ୍ତଙ୍କ ଜବରଦଖଲ ଘର ଓ ଦୋକାନ ଭଙ୍ଗାଯିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସିପିଆଇ(ଏମ୍‌) ନେତ୍ରୀ ବୃନ୍ଦା କରାତ୍‌ ମଧ୍ୟ ଅଦାଲତ ଆଦେଶ ଦିଲ୍ଲୀ ପୁଲିସର ଉପାୟୁକ୍ତଙ୍କ ଦେଖାଇଥିଲେ। ମାତ୍ର ଅଦାଲତ ନିର୍ଦେଶ ( ରାୟର ଚିଠି) ନ ମିଳିବା ଯାଏ ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ମେୟର ରାଜା ଇକବଲ ସିଂହ ତାଙ୍କୁ କହିଥିଲେ। ଆବେଦନକାରୀ ପୁନର୍ବାର ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଧାନ ବିଚାରପତି ମହାନଗର ନିଗମ ଅଧିକାରୀଙ୍କ ହାତରେ ସ୍ଥିତାବସ୍ଥା ବଜାୟ ରଖିବା ଆଦେଶ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଅଦାଲତ ଆଦେଶ ପାଇବା ପରେ ଉଚ୍ଛେଦ ଅଭିଯାନ ନିଗମ ଅଧିକାରୀ ବନ୍ଦ କରିଛନ୍ତି। ସୂଚନାଯୋଗ୍ୟ ଯେ ଶନିବାର ଜାହାଙ୍ଗିରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ଘଟିଥିବା ହିଂସାରେ ୮ ପୁଲିସଙ୍କ ସହ ୯ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ୨୫ଜଣଙ୍କୁ ଗିରଫ କରିଥିବାବେଳେ ୫ଜଣଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍‌ଏସ୍‌ଏ) ଲାଗୁ କରିଛି।
ରାଜନୈ​ତିକ ନେତାଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ,୨୦ା୪: ଜାହାଙ୍ଗିରପୁରୀରେ ଜବରଦଖଲ ଉଚ୍ଛେଦ ଆଳରେ ଏକ ନିର୍ଦିଷ୍ଟ ସମ୍ପ୍ରଦାୟର ଘର ଭଙ୍ଗାଯିବାର ପ୍ରତିବାଦ କରିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ରାଘବ ଚଢ଼ା। ପ୍ରଶାସନକୁ ସେ ଆହ୍ବାନ ଦେଇଛନ୍ତି ଯେ ତୁମେ ଯଦି ବୁଲ୍‌ଡୋଜର ମଡ଼ାଇବା ପାଇଁ ଚାହୁଁଛ; ତେବେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଘର ଉପରେ ପ୍ରଥମେ ଚଢାଅ। ଏହାଦ୍ବାରା ଦଙ୍ଗା ବନ୍ଦ ହୋଇଯିବ। ସେ ହିଁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଛନ୍ତି। ଗରିବ ଓ ସଂଖ୍ୟାଲଘୁଙ୍କ ଉପରେ ଏହା ରାଷ୍ଟ୍ର ପ୍ରାୟୋଜିତ ଅଭିଯାନ ବୋଲି ଚଢ଼ା କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ସରକାର ଦେଶର ସାମ୍ବିଧାନିକ ମୂଲ୍ୟବୋଧକୁ ବୁଲ୍‌ଡୋଜର ଲଗାଇ ଧ୍ବଂସ କରୁଛନ୍ତି। ବିଜେପି ନିଜ ଭିତରେ ଥିବା ଘୃଣାଭାବକୁ ପ୍ରଥମେ ବୁଲ୍‌ଡୋଜର ଯୋଗେ ହଟାଇବା ଉଚିତ। ଦେଶରେ କୋଇଲା ମହଜୁଦ ପରିମାଣ ମାତ୍ର ୮ ଦିନରେ ଶେଷ ହୋଇଯିବ ଏବଂ ଦେଶ ଅନ୍ଧାର ହୋଇଯିବ। ସେ ଚିନ୍ତା ନ କରି ସରକାର ଘୃଣା ରାଜନୀତି କରୁଥିବା କଂଗ୍ରେସ ସମାଲୋଚନା କରିଛି।
‘ଜେସିବି- ଜିହାଦ ନିୟନ୍ତ୍ରଣ ବୋର୍ଡ’
 ଖୋଳାତଡ଼ା ବା ଉଚ୍ଛେଦ ପାଇଁ ବ୍ୟବହୃତ ଜେସିବି ବୁଲ୍‌ଡୋଜର ମେସିନ୍‌ର ନୂଆ ଶବ୍ଦ ବାହାର କରିଛନ୍ତି ବିଜେପି ସାଂସଦ ଜିଭିଏଲ ନରସିଂହ ରାଓ। ଏହାକୁ ସେ ‘ଜିହାଦ ନିୟନ୍ତ୍ରଣ  ବୋର୍ଡ’ ବୋଲି କହିଛନ୍ତି। ଜେସିବି ବ୍ୟବହାର ଦ୍ବାରା ଜିହାଦ ନିୟନ୍ତ୍ରଣ ହୋଇପାରିବ ବୋଲି ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ପରେ ଦିଲ୍ଲୀ ଜାହାଙ୍ଗିରପୁରୀରେ ଜେସିବି ବ୍ୟବହାର ମୌଳବାଦ ଦୂର କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

kalyan agarbati

Comments are closed.