ଏତେ ସପନକୁ ରାତି ନାହିଁ

୮୮ କୋଟିର ପ୍ରକଳ୍ପ ଅସଂପୂର୍ଣ୍ଣ, କେବଳ ପ୍ରତିଶ୍ରୁତିରେ ୧୧୫ ଗାଁକୁ ଜଳଯୋଗାଣ

ସମ୍ବଲପୁର : ୧୧୫ଟି ଗାଁ ପାଇଁ ମରୀଚିକା ପାଲଟିଛି ମହାନଦୀ ପାଣି। ୮୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ ବର୍ଷ ତଳୁ ଆରମ୍ଭ ହୋଇଥିବା ଏକ ପାନୀୟ ଜଳ ପ୍ରକଳ୍ପ ଏବେ ବି ଅସଂପୂର୍ଣ୍ଣ। ଅଥଚ ଏବେ ଦେବୁ, ଖୁବ୍‌ଶୀଘ୍ର ପ୍ରକଳ୍ପ ସରିବ ବୋଲି ପ୍ରତିଶ୍ରୁତିର ସ୍ବପ୍ନ ବୁଣି ବୁଣି ଏକାଧିକ ନିର୍ବାଚନ ବୈତରଣୀ ପାର୍‌ କରିସାରିଲାଣି ଶାସକ ଦଳ। ତଥାପି ସମ୍ବଲପୁର ଜିଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଏହି ୧୧୫ ଅଗମ୍ୟ ଜଳକ୍ଳିଷ୍ଟ ଗାଁକୁ ମହାନଦୀ ପାଣି ଯୋଗାଇବା ସମ୍ଭବ ହୋଇପାରିନି।
ସୂଚନାନୁଯାୟୀ, ୨୦୧୨ ମସିହାରେ ତତ୍କାଳୀନ ବିଧାୟକ ପ୍ରସନ୍ନ ଆଚାର୍ୟ୍ୟଙ୍କ କାର୍ଯ୍ୟକାଳରେ ୮୮ କୋଟି ଟଙ୍କା ବ୍ୟୟ ଅଟକଳରେ ବୌଦ୍ଧ ଜିଲାର କିଆକଟାରୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ୧୧୫ଟି ଜଳକ୍ଲିଷ୍ଟ ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ବିଧାୟକ ରୋହିତ ପୂଜାରୀଙ୍କ ସମୟରେ ବି ଏହି ପ୍ରକଳ୍ପ କାମ ଚାଲିଛି। ପ୍ରକଳ୍ପ ବିଳମ୍ବ ପାଇଁ ପ୍ରଥମେ ଜଙ୍ଗଲ ଅନୁମତି ଓ ପରେ କୋଭିଡ୍‌କୁ କାରଣ ଦର୍ଶାଯାଉଛି। ଅସଲ କଥା ହେଉଛି କାର୍ଯ୍ୟଶେଷ କରିବା କ୍ଷେତ୍ରରେ ପ୍ରଶାସନିକ ଆନ୍ତରିକତାର ଅଭାବ ହିଁ ଅସଲ ବିଳମ୍ବ ଘଟାଇଛି। ଏଣେ ଏହି ମେଗା ଜଳଯୋଗାଣ ପ୍ରକଳ୍ପକୁ ନିର୍ବାଚନୀ ଥୋପ ଭାବେ ବ୍ୟବହାର କରି ଇତିମଧ୍ୟରେ ଶାସକ ଦଳ ୨ଟି ସାଧାରଣ, ୨ଟି ପଞ୍ଚାୟତ ନିର୍ବାଚନ ଓ ୨ଟି ଏନଏସି ନିର୍ବାଚନ ଜିତି ସାରିଲାଣି।
ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ୯ ସର୍ବାଧିକ ଜଳକ୍ଲିଷ୍ଟ ପଞ୍ଚାୟତର ୧୧୫ ଗ୍ରାମର ୧୫ ହଜାର ପରିବାରଙ୍କୁ ବିଶୋଧିତ ପାନୀୟ ଜଳଯୋଗାଇ ଦେବା ପାଇଁ ୮୮ କୋଟି ଟଙ୍କାର ଏହି ପ୍ରକଳ୍ପର ଏବେ ନିର୍ମାଣକାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ୨୦୨୧ ଏପ୍ରିଲରେ କିନ୍ତୁ ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ ହୋଇଥିଲା। ଗତ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ଶେଷ ହୋଇ ଗ୍ରୀଷ୍ମ ପୂର୍ବରୁ ଜଳଯୋଗାଣ ଆରମ୍ଭ ହୋଇଯିବାର ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ପୂର୍ବରୁ କାର୍ଯ୍ୟ ମନ୍ଥରତା ଯୋଗୁ ୧୧୫ ଗାଁର ୧୫ ହଜାର ପରିବାର ଚଳିତ ଗ୍ରୀଷ୍ମରେ ପୂର୍ବ ଭଳି ଜଳକଷ୍ଟ ଭୋଗୁଛନ୍ତି। ଘରୋଇ ଟାଟା-ଭୋଲଟାସ ଲିମିଟେଡ କମ୍ପାନୀ ଏହି କାମ ନେଇଛି।
ପ୍ରକଳ୍ପ ସୂଚନାନୁଯାୟୀ, ବୌଦ୍ଧ ଜିଲାର କିଆକଟାଠାରେ ମହାନଦୀରୁ ପାଣି ଟାଣି ୧୧ କିଲୋମିଟର ଦୂର ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକର କଦଳୀଗଡ଼ରେ ନିର୍ମାଣ ହେବାକୁ ଥିବା ଜଳ ବିଶୋଧନ ପ୍ରକଳ୍ପକୁ ପାଣି ଆସିବ। କଦଳୀଗଡ଼ରେ ୪ ଏକର ୯୦ ଡେସିମିଲ ପରିମିତ ଜାଗାରେ ଦୈନିକ ୬ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଜଳ ବିଶୋଧନାଗାର ପ୍ରକଳ୍ପ ନିର୍ମାଣ ହେବ। ସେଠାରୁ ବିଶୋଧିତ ପାନୀୟ ଜଳ ଭୂତଳ ପାଇପ ଯୋଗେ ବୁର୍ଡା, ଲୁହାପଙ୍କ, କଦଳୀଗଡ଼, ବଡ଼ବାହାଲ, ଭରତପୁର, ଚାରମାଳ, କୁକୁଡ଼ାବାହାଲି, ବଂଶାଜାଲ ଓ ତ୍ରିବଣପୁର ପଞ୍ଚାୟତର ୧୧୫ ଜଳକଷ୍ଟ ଭୋଗୁଥିବା ଗ୍ରାମକୁ ଯୋଗାଇ ଦିଆଯିବାର
ଲକ୍ଷ୍ୟ ରହିଛି। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି। କୋଭିଡ କଟକଣା ଦୂର ହେବା ପରେ କାମ ଆଗେଇ ଚାଲିଛି। କିଆକଟାଠାରେ ମହାନଦୀରେ ଇନଟେକ କୂଅ ନିର୍ମାଣ କାମ ୯୦ ପ୍ରତିଶତ ସରିଛି। ୧୧ଟି ଓଭରହେଡ ଟାଙ୍କି ନିର୍ମାଣ କାମ ମଧ୍ୟ ସରିଛି। କିଆକଟାରୁ କଦଳୀଗଡ଼ ଓ କଦଳୀଗଡ଼ରୁ ୧୧୫ ଗାଁକୁ ପାଇପ ବିଛା କାମ ଚାଲିଛି। ବିଶୋଧନାଗାର ନିର୍ମାଣ କିନ୍ତୁ ସଂପୂର୍ଣ୍ଣ ହୋଇ ପାରୁନାହିଁ। ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଚିତ୍ର କୁମାର ମହାନ୍ତି କହିଛନ୍ତି ଯେ, ପାଇପ ବିଛା କାମ ୯୦ ପ୍ରତିଶତ ସରିଛି। ଟାଙ୍କି ତିଆରି ମଧ୍ୟ ପ୍ରାୟତଃ ସରିଛି। କିନ୍ତୁ ଟାଟା କମ୍ପାନୀ ଜଳ ବି​​‌ଶୋଧନାଗାର ନିର୍ମାଣ ଅତ୍ୟନ୍ତ ମନ୍ଥର ଗତିରେ କରୁଥିବାରୁ ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ କାର୍ୟ୍ୟକ୍ଷମ ହୋଇ ପାରିଲା ନାହିଁ। ତେବେ ଆସନ୍ତା ଦଶହରା ସୁଦ୍ଧା କାମ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ଇଂ. ମହାନ୍ତି କହିଛନ୍ତି। ଅନ୍ୟ ପକ୍ଷରେ ବିରୋଧୀ ଦଳଗୁଡ଼ିକ ଏହି ପ୍ରକଳ୍ପର ମନ୍ଥରତାକୁ ଆୟୁଧ କରି ପ୍ରତ୍ୟେକ ନିର୍ବାଚନରେ ଶାସକ ଦଳକୁ ଘେରିବାକୁ ଚେଷ୍ଟା କରି ଆସିଛନ୍ତି। ଗ୍ରୀଷ୍ମ ପରେ ଗ୍ରୀଷ୍ଟ ଯାଉଛି, କିନ୍ତୁ ପ୍ରକଳ୍ପର କଚ୍ଛପ ଗତି ଯୋଗୁ ତାହା ସଂପୂର୍ଣ୍ଣ ହୋଇ ପାରୁନାହିଁ। ଫଳ ସ୍ୱରୂପ, ସମ୍ପୃକ୍ତ ୧୧୫ ଗ୍ରାମର ଲୋକେ ଦୀର୍ଘ ଏକ ଦଶନ୍ଧୀ ହେଲା ଦେଖି ଆସୁଥିବା ସ୍ୱପ୍ନ ପୂରଣ ହୋଇ ପାରୁନାହିଁ।
ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ କହିଛନ୍ତି ଯେ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବା ଦିଗରେ କରୋନା କଟକଣା ବଡ଼ ପ୍ରତିବନ୍ଧକ ଥିଲା। ଏବେ ପ୍ରକଳ୍ପ କାମ ଯଥେଷ୍ଟ ଆଗେଇଲାଣି। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ଶେଷକରି ଶୀଘ୍ର ଜଳଯୋଗାଣ ଆରମ୍ଭ କରିବାକୁ ସବୁ ପ୍ରକାର ଚେଷ୍ଟା ଚାଲିଛି ବୋଲି ଇଂ ପୂଜାରୀ କହିଛନ୍ତି।

Comments are closed.