ଆର୍‌ସିବିକୁ ହରାଇଲା ରାଜସ୍ଥାନ

0

ବାଙ୍ଗାଲୋର : ଆଇପିଏଲ୍‌-୧୧ରେ ୩ୟ ମ୍ୟାଚ୍‌ରେ ୨ୟ ପରାଜୟ ଭୋଗିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସବି)। ରବିବାର ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ଙ୍କ ଅପରାଜିତ ୯୨ ରନ୍‌ ବଳରେ ଆର୍‌ସିବିକୁ ୧୯ ରନ୍‌ରେ ରାଜସ୍ଥାନ ରୟାଲ୍‌ସ ପରାସ୍ତ କରିଛି। ସାମ୍‌ସନଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୪ ୱିକେଟରେ ବିଶାଳ ୨୧୭ ରନ୍‌ କରି ପାରିଥିଲା। ପରେ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ବାଙ୍ଗାଲୋର ୬ ୱିକେଟ ହରାଇ ୧୯୮ ରନ୍‌ କରି ପାରିଥିଲା। ୩ୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍‌ସର ଏହା ୨ୟ ବିଜୟ।
୨୧୮ ରନ୍‌ ବିଜୟଲକ୍ଷ୍ୟ ନେଇ ଆର୍‌ସିବି ଇନିଂସ ଆରମ୍ଭ କରିବା ପରେ ବ୍ରେଣ୍ଡନ୍‌ ମ୍ୟାକ୍‌କଲମ୍‌ ୪ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ଅଧିନାୟକ ବିରାଟ କୋହଲି ଓ କ୍ୱିଣ୍ଟନ୍‌ ଡି କକ୍‌ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ଚାଲିଥିଲେ। ଦୁହେଁ ୪୬ ବଲ୍‌ରୁ ୭୭ ରନ୍‌ ଯୋଡ଼ିବା ପରେ ବାମହାତି ଡି କକ୍‌ ୧୯ ବଲ୍‌ରୁ ୪ଟି ଚୌକା ସହ ୨୬ ରନ୍‌କରି ଆଉଟ ହୋଇଥିଲେ। ବାଙ୍ଗାଲୋର ୧୦ ଓଭରରେ ୧୦୦ ରନ୍‌ରେ ପହଞ୍ଚିଥିଲେ ହେଁ ୧୧ଶ ଓଭରରେ କୋହଲି ଆଉଟ ହୋଇ ଯାଇଥିଲେ। ସେ ୩୦ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୫୭ ରନ୍‌ କରିଥିଲେ। ପରେ ଏବି ଡି’ଭିଲିଅର୍ସ ୨୦ ଓ ପୱନ୍‌ ନେଗି ୩ ରନ୍‌କରି ବିଦାୟ ନେବା ଦଳ ପାଇଁ ଶକ୍ତ ଧକ୍କା ଥିଲା। ଯୁବ ବ୍ୟାଟ୍‌ସମ୍ୟାନ୍‌ ୱାଶିଂଟନ ସୁନ୍ଦର ୧୯ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୫ ରନ୍‌ କରିଥିଲେ ହେଁ ଏହା ଯଥେଷ୍ଟ ନଥିଲା। ମନଦୀପ ସିଂହ ୨୫ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୭ ରନ୍‌କରି ଅପରାଜିତ ରହିଥିଲେ। ଶ୍ରେୟାସ ଗୋପାଳ ୨ଟି ୱିକେଟ ପାଇଥିଲେ। ସଞ୍ଜୁ ସାମ୍‌ସନ ୨ଟି ୱିକେଟ ପାଇଥିଲେ।
ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ରାଜସ୍ଥାନ ରୟାଲ୍‌ସର ଓପ୍‌ନର ୪୯ ରନ୍‌ କରିବା ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୦ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୩୬ ରନ୍‌କରି ଆଉଟ ହୋଇଥିଲେ। ପରେ ଅନ୍ୟ ଓପ୍‌ନର ଡି’ଆର୍ସି ସର୍ଟ ୧୧ ରନ୍‌କରି ବିଦାୟ ନେଇଥିଲେ। ୩ୟ ୱିକେଟ ପାଇଁ ବେନ୍‌ ଷ୍ଟୋକ୍‌ସ ଓ କେରଳର ସଞ୍ଜୁ ସାମ୍‌ସନ ୪୯ ରନ୍‌ ଯୋଡ଼ିଥିଲେ। ବାମହାତି ଷ୍ଟୋକ୍‌ସ ୨୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‌ କରିଥିଲେ। ପରେ ୬ ଓଭରରେ ସାମ୍‌ସନ ଓ ଜୋସ୍‌ ବଟ୍‌ଲର ୭୩ ରନ୍‌ ଯୋଡ଼ିଥିଲେ। ବଟ୍‌ଲର ୧୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୩ ରନ୍‌ କରିଥିଲେ। ଶେଷ ୧୦ଟି ବଲ୍‌ରୁ ୪୨ ରନ୍‌ ହୋଇଥିଲା। ରାହୁଲ ତ୍ରିପାଠୀ ୫ଟି ବଲ୍‌ରୁ ଦ୍ରୁତ ୧୪ ରନ୍‌କରି ଅପରାଜିତ ଥିଲେ। ସାମ୍‌ସନ ମାତ୍ର ୪୫ ବଲ୍‌ରୁ ୧୦ଟି ଛକା ଓ ୨ଟି ଚୌକା ସହ ୯୨ ରନ୍‌କରି ଅପରାଜିତ ଥିଲେ। ରାଜସ୍ଥାନ ରୟାଲ୍‌ସ ଶେଷ ଓଭରରେ ୨୭ ରନ୍‌ ସହ ଶେଷ ୫ ଓଭରରୁ ୮୮ ରନ୍‌ କରିଥିଲା।

Leave A Reply