Patra electronics

ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ସିବିଆଇର ଜବାବ ଲୋଡିଲେ ହାଇକୋର୍ଟ

0

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଗୁରୁବାର ଆଇଏନଏକ୍ସ ମିଡିଆ ମାମଲାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ସିବିଆଇର ଜବାବ ଲୋଡିଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ଏହି ଜବାବ ଦାଖଲ କରିବାକୁ ସିବିଆଇକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ଅନ୍ୟପଟେ ଏହି ମାମଲାରେ ସମ୍ପ୍ରତି ତିହାର ଜେଲରେ ଥିବା ଚିଦମ୍ବରମଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ତାଙ୍କ ଓକିଲମାନେ ପ୍ରତ୍ୟାହାର କରିନେଇଛନ୍ତି। ଜାମିନ ଆବେଦନ କାହିଁକି ବିଳମ୍ବରେ ଦାଖଲ କରାଗଲା ଶୁଣାଣି ବେଳେ ହାଇକୋର୍ଟ ତାହାର କାରଣ ଜାଣିବାକୁ ଚାହିଁଥିଲେ। ଏକାଧିକ ଦିନ ଛୁଟିଥିବାରୁ ବୁଧବାର ସେ ଜାମିନ ଆବେଦନ କରିଥିଲେ ବୋଲି ଚିଦମ୍ବରମଙ୍କ ପକ୍ଷ ଉପସ୍ଥାପନ କରି ବରିଷ୍ଠ ଆଇନଜୀବୀ କପିଲ ସିବଲ କହିଥିଲେ। ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟଙ୍କୁ ଅବଗତ କରିଥିଲେ ଯେ ଏହି ମାମଲାରେ ଦୁର୍ନୀତି ହୋଇଥିବା ତଦନ୍ତରୁ ଜଣାପଡିଛି। ଦୁର୍ନୀତିରେ ଚିଦାମ୍ବରମ ସମ୍ପୃକ୍ତ ଅଛନ୍ତି ଏବଂ ଏଫଆଇପିବି ମଞ୍ଜୁର କରିବାକୁ ବ୍ୟାପକ ଅର୍ଥ କାରବାର ହୋଇଥିବା ମଧ୍ୟ ଜଣାପଡିଛି। ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର ଅଭିଯୋଗଫର୍ଦ ଦାଖଲ କରାଯିବ।
ଆଇଏନଏକ୍ସ ମିଡିଆ ମାମଲାରେ ଏଫଆଇପିବି କ୍ଲିୟରାନ୍ସ ଲାଗି ବେଆଇନ ଅର୍ଥ କାରବାର ନେଇ ସିବିଆଇ ଓ ଇଡି ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ମାମଲାରେ ଅଭିଯୁକ୍ତ ଥିବା ଚିଦମ୍ବରମଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଗତମାସରେ ରଦ୍ଦ କରିଥିଲେ। ଫଳରେ ତାଙ୍କୁ ଗିରଫ କରାଯାଇ ଜେରା ନିମନ୍ତେ ସିବିଆଇ ହାଜତକୁ ପଠାଯାଇଥିଲା। ବେଆଇନ ଅର୍ଥ କାରବାର ମାମଲାରେ ଇଡି ତାଙ୍କ ବିରୋଧରେ ତଦନ୍ତ ଚଳାଇଛି।

Leave A Reply