ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର

ଭୂବନେଶ୍ୱର : ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ମିଳିବ ୨୦୨୪ ମସିହାର ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର’। ରବିବାର ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକ ପରେ ସର୍ବସମ୍ମତିକ୍ରମେ ତାଙ୍କ ଘୋଷଣା କରାଯାଇଛି। ପ୍ରତ୍ୟାଶାଙ୍କୁ ପୁରସ୍କାର ବାବଦରେ ୭ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଚଳିତ ବର୍ଷ ପୁରସ୍କାର ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହିତ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍‌ ଜୟରାମ ଓ ବ୍ୟାଡ୍‌ମିଣ୍ଟନ ଖେଳାଳି ତାନ୍‌ଭି ପତ୍ରୀଙ୍କୁ
ମଧ୍ୟ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ହୋଇଛି। ସେମାନଙ୍କୁ ପୁରସ୍କାର ଆକାରରେ ଦେଢ଼ ଲକ୍ଷ ଲକ୍ଷ ଟଙ୍କା ଲେଖାଏଁ ସହିତ ମାନପତ୍ର ପ୍ରଦାନ କରାଯିବ।

ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ‘ଇମ୍ଫା’ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲସ୍‌ ପବ୍ଳିକ୍‌ ଚାରିଟେବଲ୍‌ ଟ୍ରଷ୍ଟ’ (ଇମ୍ପାକ୍ଟ) ୧୯୯୩ରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରିଥିଲା। ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏହା ଓଡ଼ିଶାର ଏକ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ପରିଚିତ। କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡାବିତମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି।

ଚଳିତବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଅଧ୍ୟକ୍ଷ, ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡାବିତ‌୍‍ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଏହାଦ୍ବାରା ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ। କ୍ରୀଡ଼ା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟସେବା ଆଦିକୁ ମଧ୍ୟ ‘ଇମ୍ପାକ୍ଟ’ ପକ୍ଷରୁ ପ୍ରୋତ୍ସାହନ ପ୍ରଦାନ କରାଉଛି, ଯାହା ଆଗକୁ ମଧ୍ୟ ଜାରି ରହିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Comments are closed.