ୱାଶିଂଟନ : ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ (ନାସା)ର ଇନସାଇଟ ଲ୍ୟାଣ୍ଡର ଯାନ ସଫଳତାର ସହ ମଙ୍ଗଳଗ୍ରହର ଭୂପୃଷ୍ଠରେ ଅବତରଣ କରିଛି। ଭାରତୀୟ ସମୟ ଅନୁସାରେ ସୋମବାର ରାତି ପ୍ରାୟ ୧ଟା ୨୪ ମିନିଟ୍ରେ ଇନସାଇଟ ଲ୍ୟାଣ୍ଡର ଯାନକୁ ମଙ୍ଗଳଗ୍ରହରେ ଅବତରଣ କରାଯାଇଛି। ଏହି ଯାନ ମଙ୍ଗଳଗ୍ରହର ବହୁ ରହସ୍ୟ ଉପରୁ ପରଦା ଉଠାଇବାରେ ସଫଳ ହେବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି। ମଙ୍ଗଳଗ୍ରହର ନିର୍ମାଣ ପ୍ରକ୍ରିୟାକୁ ବୁଝିବା କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।
ନାସା ବୈଜ୍ଞାନିକଙ୍କ କହିବା ଅନୁସାରେ ମଙ୍ଗଳ ଭୂପୃଷ୍ଠରେ ଇନସାଇଟ୍ ଅବତରଣ କରାଇବାର ୬ରୁ ୭ ମିନିଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଦୁଇଟି ଉପଗ୍ରହ ‘ୱାଲେ-ଇ’ ଏବଂ ‘ଇଭେ’ (ସାଟେଲାଇଟ୍) ମାଧ୍ୟମରେ ଇନସାଇଟ୍ ଲ୍ୟାଣ୍ଡର ଉପରେ ଦୃଷ୍ଟି ରଖାଯାଇଥିଲା। ଇନସାଇଟ୍ ଲ୍ୟାଣ୍ଡର ଅବତରଣ କରିବାର ଖବର ଏହି ଦୁଇ ଉପଗ୍ରହ ୮ ମିନିଟ୍ ମଧ୍ୟରେ ପୃଥିବୀରେ ପହଞ୍ଚାଇଥିଲେ। ନାସା ଏହି ମିଶନର ଲାଇଭ କଭରେଜ କରିଥିଲା।
ଇନସାଇଟ୍ର ପୂରା ନାମ ‘ଇଣ୍ଟେରିୟର ଏକ୍ସପ୍ଲୋରେସନ୍ ୟୁଜିଂ ସିସ୍ମିକ୍ ଇନଭେଷ୍ଟିଗେସନ୍’ ଓ ଓଜନ ୩୫୮ କିଲୋଗ୍ରାମ। ଇନସାଇଟ୍ ସୌରଶକ୍ତି ଏବଂ ବ୍ୟାଟାରୀ ଦ୍ୱାରା ପରିଚାଳିତ ହେଉଛି। ଏହା ମଙ୍ଗଳଗ୍ରହରେ ୨୬ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହି ଅଭିଯାନରେ ଆମେରିକା, ଜର୍ମାନି, ଫ୍ରାନ୍ସ ସମେତ ୧୦ଟି ଦେଶର ବୈଜ୍ଞାନିକ ସାମିଲ ଅଛନ୍ତି। ଇନସାଇଟ୍ର ମୁଖ୍ୟ ଉପକରଣ ହେଉଛି ସିସ୍ମୋମିଟର (ଭୂମିକମ୍ପ ତୀବ୍ରତା ମାପ ଯନ୍ତ୍ର) ଓ ଏହାକୁ ପ୍ରାନ୍ସ ମହାକାଶ ଗବେଷଣା ପ୍ରତିଷ୍ଠାନ ନିର୍ମାଣ କରିଛି। ଏଥିରେ ଥିବା ରୋବୋଟିକ ହାତ ମଙ୍ଗଳ ପୃଷ୍ଠରେ ସସ୍ମୋମିଟରକୁ ସ୍ଥାପନ କରିବ। ଅନ୍ୟ ଏକ ଉପକରଣ ‘ସେଲ୍ଫ ହ୍ୟାମରିଙ୍ଗ’ ଦ୍ୱାରା ମଙ୍ଗଳ ଭୃପୃଷ୍ଠ ଏବଂ ବାତାବରଣର ତାପମାତ୍ରା ମପାଯିବ। ମଙ୍ଗଳ ବାୟୁ ମଣ୍ଡଳରେ ପ୍ରବେଶ ସମୟରେ ଏହି ଯାନର ଗତି ଘଣ୍ଟା ପ୍ରତି ୧୨ ହଜାର ୩୦୦ କିଲୋମିଟର ଥିଲା। ଇନସାଇଟ୍ ପ୍ରକଳ୍ପ ମୁଖ୍ୟ ବୈଜ୍ଞାନିକ ବ୍ରୁସ୍ ବ୍ୟାନର୍ଟ କହିଛନ୍ତି ଯେ ଏହା ଏକ ସମୟର ଯାନ ଭଳି କାମ କରିବ। ମଙ୍ଗଳଗ୍ରହ ୪.୫ ଶହ କୋଟି ବର୍ଷ ପୂର୍ବେ କିପରି ଥିଲା ତାହାର ଅନୁସନ୍ଧାନ କରିବ।
ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ କଲା ନାସାର ଇନସାଇଟ୍
Popular Categories


