ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୩ ଆତଙ୍କବାଦୀ ନିହତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ଅନ୍ତର୍ଗତ ମାଛିଲ ସେକ୍ଟର ଅନ୍ତର୍ଗତ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ବୁଧବାର ବଡ଼ଧରଣର ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ସେନା ଗୁଳିରେ ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।ଏମାନେ ଲସ୍କର-ଇ-ତୋଏବା (ଏଲ୍‍ଇଟି)ର ଆତଙ୍କବାଦୀ ବୋଲି କୁହାଯାଉଛି। ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲା ଅନ୍ତର୍ଗତ ହାଜିନ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣର କିଛି ଘଣ୍ଟା ପରେ ପାକିସ୍ତାନ ପଟୁ ଏହି ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ଅତିକ୍ରମ ଉଦ୍ୟମ କରିଥିଲେ। ସେମାନଙ୍କ ସନ୍ଦେହଜନକ ଗତିବିଧି ଲକ୍ଷ୍ୟ କରି ସୀମାରେ ମୁତୟନ ଭାରତୀୟ ଯବାନମାନେ ପ୍ରଥମେ ସତର୍କ କରାଇଥିଲେ। ମାତ୍ର ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ଼ କରିବାରୁ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା। ସେନା ଗୁଳିରେ ୩ ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ଟଳି ପଡିଥିଲେ। ଅନ୍ୟ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କା କରି ସୀମା ନିକଟରେ ବ୍ୟାପକଅନୁ ସନ୍ଧାନ କାର୍ଯ୍ୟ ଜାରି ରହିଛି। କେରାନ ସେକ୍ଟର ଅନ୍ତର୍ଗତ ଉସ୍ତାଦ ପୋଷ୍ଟଠାରେ ଜୁନ୍‍ ୩ରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ଆତଙ୍କବାଦୀ ସେନା ଏବଂ ସୀମା ସୁରକ୍ଷା ବଳ (ବିଏସ୍‍ଏଫ୍‍) ମିଳିତ ଦଳର ଗୁଳିମାଡ଼ରେ ପ୍ରାଣ ହରାଇଥିଲା। ଏହି ଘଟଣା ପରେ ଉକ୍ତ ସ୍ଥାନରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହି ସଫଳତା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ବିଏସ୍‍ଏଫ୍‍କୁ ପ୍ରଶଂସା କରିଛନ୍ତି।

Leave A Reply