ଅନୁପ୍ରବେଶ ଅପେକ୍ଷାରେ ୪୫୦ ଆତଙ୍କବାଦୀ

0

ଜାମ୍ମୁ : ପାକିସ୍ତାନ ସମର୍ଥିତ ପ୍ରାୟ ୪୫୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି। ହିଜବ-ଉଲ୍‍-ମୁଜାହିଦ୍ଦିନ (ଏଚ୍‍ଜେଏମ୍‍) ଏବଂ ଲସ୍କର-ଇ-ତୋଏବା (ଏଲ୍‍ଇଟି)ର ଏହି ଆତଙ୍କବାଦୀମାନେ ଇତିମଧ୍ୟରେ ଭାରତ-ପାକ୍‍ ନିୟନ୍ତ୍ରଣ ରେଖା ନିକଟରେ ରୁଣ୍ଡ ହୋଇଛନ୍ତି। ପାକିସ୍ତାନର ସ୍ୱତନ୍ତ୍ର ସୁରକ୍ଷା ଦଳ (ଏସ୍‍ଏସ୍‍ଜି) ସହାୟତାରେ ଏମାନେ ଭାରତରେ ପ୍ରବେଶ କରିବେ। ଜୁନ୍‍ ୨୮ରୁ ଆରମ୍ଭ ହେବାକୁ ଯାଉଥିବା ବାର୍ଷିକ ଅମରନାଥ ଯାତ୍ରା ସମୟରେ ଏହି ଆତଙ୍କବାଦୀ ଆକ୍ରମଣ କରିବାର ଆଶଙ୍କା ଥିବା ଗୁଇନ୍ଦା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସତର୍କ କରିଦିଆଯାଇଛି। ପବିତ୍ର ରମଜାନ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ବନ୍ଦ ରଖାଯାଇଛି। ଫଳରେ ନୂତନ ସଦସ୍ୟ ନିଯୁକ୍ତି ପୂର୍ବକ ନିଜ ସଂଗଠନକୁ ପୁନଃ ମଜବୁତ କରିବା ଲାଗି ଆତଙ୍କବାଦୀମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିଛି ବୋଲି ଗୁଇନ୍ଦା ବିଭାଗ ଏହାର ସଦ୍ୟ ରିପୋର୍ଟରେ ଉଲ୍ଲେଖ କରିଛି।
ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‍ ପରେ ପ୍ରଥମଥର ଲାଗି ସୀମାରେ ବଧଡ଼ରଣର ଆତଙ୍କବାଦୀ ଅନୁପ୍ରବେଶ ଷଡ଼ଯନ୍ତ୍ର ହୋଇଛି। ଏହି ଆତଙ୍କବାଦୀଙ୍କୁ ସହଯୋଗ କରିବା ନିମନ୍ତେ ଏସ୍‍ଏସ୍‍ଜିର ସ୍ୱତନ୍ତ୍ର ଦଳ ଇତିମଧ୍ୟରେ ନିୟନ୍ତ୍ରଣରେଖା ନିକଟରେ ଡେରା ପକାଇଛି। ଏହି ଦଳର ପ୍ରଶିକ୍ଷିତ କମାଣ୍ଡୋମାନଙ୍କୁ ଆତଙ୍କବାଦ ଲଞ୍ଚପ୍ୟାଡ୍‍ ନିକଟରେ ଜୈସ୍‍-ଇ-ମହମ୍ମଦ, ଏଚ୍‍ଜେଏମ୍‍ ଏବଂ ଏଲ୍‍ଇଟିର ପ୍ରମୁଖ ଆତଙ୍କବାଦୀଙ୍କ ସହିତ ଦେଖିବାକୁ ମିଳିଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନିୟନ୍ତ୍ରଣ ରେଖା ନିକଟରେ ଥିବା ବିଭିନ୍ନ ଲଞ୍ଚପ୍ୟାଡ୍‍ ନିକଟରେ ଉପସ୍ଥିତ ଆତଙ୍କବାଦୀଙ୍କ ସଂଖ୍ୟା ମଧ୍ୟ ଗୁଇନ୍ଦା ବିଭାଗ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟ ଅନୁସାରେ, ଗୁରେଜ୍‍ ସେକ୍ଟରରେ ୨୦, ମାଛିଲରେ ୫୦, କେରାନ୍‍ରେ ୫୫, ତାଙ୍ଗଧାରରେ ୬୫, ନାଉଗାମ୍‍ରେ ୭, ଉରିରେ ୫୦, ପୁଞ୍ଚରେ ୩୫, ଭୀମ୍ବର ଗାଲିରେ ୧୨୦, ନାଉସେରାରେ ୩୦ ଏବଂ ରାମପୁରରେ ୩୦ ଆତଙ୍କବାଦୀ ଭାରତୀୟ କ୍ଷେତ୍ର ମଧ୍ୟରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି। ଅନ୍ୟପଟେ ଇଦ୍‍ ପରେ ବାର୍ଷିକ ଅମରନାଥ ଯାତ୍ରା ଉପଲକ୍ଷେ ଆତଙ୍କବାଦ ବିରୋଧୀ ଅଭିଯାନ ବନ୍ଦର ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତିଙ୍କ ନେତୃତ୍ୱାଧୀନ ପିଡିପି-ବିଜେପି ସରକାର ମଧ୍ୟ ଏହା ଚାହୁଁଛି। ମାତ୍ର ଗୋଟିଏ ପକ୍ଷରୁ ଅସ୍ତ୍ରବିରତି ପାଳନ କରାଯାଉଥିବାରୁ ଆତଙ୍କବାଦୀଙ୍କୁ ପୁନଃ ଏକଜୁଟ ହେବାର ସୁଯୋଗ ମିଳୁଛି ବୋଲି ସେନା ଯୁକ୍ତି ବାଢିଛି। ଅମରନାଥ ଯାତ୍ରାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ଦୁଇଦିନିଆ ଗସ୍ତ କାଳରେ ସେ ରାଜ୍ୟପାଳ ଏନ୍‍. ଏନ୍‍ ଭୋରା, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ତଥା କେନ୍ଦ୍ରସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିବେ। ଏହା ପରେ ଆତଙ୍କବାଦ ବିରୋଧୀ ଅଭିଯାନ ବନ୍ଦର ଅବଧି ବୃଦ୍ଧି ଉପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply