ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ

୩୪ଟି ସିନେମା ପ୍ରଦର୍ଶିତ, ୧୨ଟି ସିନେମା ମହିଳାଙ୍କ ଦ୍ୱାରା ନିର୍ମିତ,ସିନେ ନିର୍ମାତା ସପ୍‌ନା ଭବନାନି ଓ ସୁର୍‌ଭି ଦିୱାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆୟୋଜିତ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି) ୨୦୨୨ ଉତ୍ସାହର ସହ  ଉଦଯାପିତ ହୋଇଛି । ଏହି ତିନିଦିନିଆ ବୃତଚିତ୍ର ଫିଲ୍ମ ଫେଷ୍ଟିଭାଲ୍‌ରେ ଦର୍ଶକମାନେ ଜୀବନର ବିଭିନ୍ନ ରଙ୍ଗକୁ ଦେଖିବା ଓ ଉପଭୋଗ କରିବାର ସୁଯୋଗ ପାଇଥିଲେ ।

ସିନେମାଗୁଡ଼ିକୁ ଅତ୍ୟନ୍ତ ଅଣ ପାରମ୍ପରିକ ବିଷୟ  ଜୀବନୀ ଉପରେ ଆଧାରିତ ଥିଲା । ହିନ୍ଦୀ, ଇଂରାଜି, ବାଲାଂ ଓ ମଣିପୁରୀ ଭାଷାରେ ସିନେମାଗୁଡ଼ିକ ପ୍ରଦର୍ଶିତ ହୋଇଛି ।

ଓଡ଼ିଶୀ ରିସର୍ଚ ସେଂଟର୍‌ରେ ଆୟୋଜନ କରାଯାଇଥିବା ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ମୋଟ ୩୪ଟି ଫିଲ୍ମ ଏହି ତିନି ଦିନରେ ପ୍ରଦର୍ଶିତ ହୋଇଛି । ସେଥିରୁ ୧୨ଟି ଫିଲ୍ମକୁ ମହିଳା ସିନେ ନିର୍ମାତାମାନେ ତିଆରି କରିଛନ୍ତି । ଆୟୋଜନ ସ୍ଥଳରେ ଦୁଇଟି ଜୋନ୍ ରହିଛି । ଉଭୟ ଜୋନ୍‌ରେ ସମାନ୍ତରାଳ ଭାବେ ସିନେମା ପ୍ରଦର୍ଶିତ ହେଉଥିଲା ।

ତୃତୀୟ ତଥା ଶେଷ ଦିନର ମୁଖ୍ୟ ଆକର୍ଷଣ ଥିଲା ସିନେ ନିର୍ମାତା ସପ୍‌ନା ଭବନାନିଙ୍କ ସିନ୍ଧୁସ୍ଥାନ ଓ ସୁରଭି ଦିୱାନଙ୍କ ଟ୍ରାନ୍ସ କାଶ୍ମୀର । ଉଭୟ ସିନେମା
କାଶ୍ମୀର ଉପରେ ଆଧାରିତ ଥିଲା । ଆଜି ଉଭୟ ସୁରଭି ଓ ସପ୍‌ନା ନିଜ ସିନେମାର କାହାଣୀ ଉପରେ ଆଲୋଚନା କରିଥିଲେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ତୃତୀୟ ଦିନର ପ୍ରଥମ ସିନେମା ଥିଲା ମଧୁଲିକା ଜଲାଲିଙ୍କ ଘର କା ପତା । ତାହା ମଧ୍ୟ କାଶ୍ମୀର ଉପରେ ଆଧାରିତ ଥିଲା । ସେଠାକାର ଲୋକମାନଙ୍କ ଚଳନୀ ଏବଂ ସେମାନେ ସାମ୍ନା କରୁଥିବା କଠିନ ପରିସ୍ଥିତି ଏବଂ କାଶ୍ମୀରର ସୌନ୍ଦର୍ଯ୍ୟକୁ ଅତି ଚମତ୍କାର ଢଙ୍ଗରେ ସିନେମାରେ ପ୍ରଦର୍ଶିତ କରାଯାଇଥିଲା । ସପ୍‌ନା ଭବନାନିଙ୍କ ସିନ୍ଧୁସ୍ତାନ ସର୍ବବୃହତ ସାଂସ୍କୃତିକ ଦେଶାନ୍ତର ଉପରେ ଆଧାରିତ ଥିଲା । ଏଥିରେ ସିନ୍ଧୁମାନଙ୍କ ଦେଶାନ୍ତର କାହାଣୀକୁ ପ୍ରଦର୍ଶିତ କରାଯାଇଛି ।

ପ୍ରଦର୍ଶନ କରାଯାଇଥିବା ଅନ୍ୟ ସିନେମାଗୁଡ଼ିକ ହେଉଛି ସୌରଭ ଷଡ଼ଙ୍ଗୀଙ୍କ କରବାଲା ମେମୋୟର୍ସ ଓ ବିଶାଲ ସ୍ୱାର୍ଗିଆରିରଙ୍କ ଗୋସାଇଁ । ମୁନ୍ତାହ  ମିନଙ୍କ ସିଜ୍ ଇନ୍ ଦି ଏୟାର, ସୌନକ ସେନ୍‌ଙ୍କ ଅଲ ଦାଟ୍ ବ୍ରିଦ୍‌ସ, ସୃଷ୍ଟି ଲାଖେରାଙ୍କ ଏକ୍ ଥା ଗାଓଁ, ନିଲେଂଶ ମିତ୍ରଙ୍କ ବୁବାତି ନଦିର ଡୋର, ଅଭିଜିତ ଦାସଙ୍କ ଛମ୍‌କୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।

ଭୁବନେଶ୍ୱର ଫିଲ୍ମ ସୋସାଇଟିର ଇଶ୍ୱର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଇଣ୍ଡିଆନ ଫାଉଣ୍ଡେସନ ଫର ଦିନ ଆର୍ଟସ୍‌ର ଆର୍ଟସ୍ ପ୍ରୋଗ୍ରାମ୍ ପକ୍ଷରୁ ଅନୁଦାନ ଲାଗି ଆବେଦନ ପାଇଁ କିଭଳି ପ୍ରସ୍ତାବ ଲେଖାଯିବ ତାହା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦେଶିକା ସପ୍‌ନା ଭବନାନି, ସୁରଭି ଦିୱାନ ଓ ଜନ୍ ଭାଜିୟର ଅଂଶଗ୍ରହଣ କରିଥିଲେ ।

Comments are closed.