www.samajalive.in
Sunday, December 7, 2025
13.1 C
Bhubaneswar

ହାରିବା ସତ୍ତ୍ବେ ହୃଦୟ ଜିତିଲା ହଂକଂ; ସୁପର ଫୋର୍‌ରେ ଭାରତ

ଦୁବାଇ : ଚଳିତ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତଠାରୁ କ୍ରିକେଟ ଦୁନିଆର ଶିଶୁ ହଂକଂ ପରାସ୍ତ ହୋଇଥିଲେ ମଧ୍ୟ ସମସ୍ତଙ୍କ ହୃଦୟ ଜିତି ପାରିଛି। ଏହାସହ ହଂକଂର ଅଧିନାୟକ ଓଡ଼ିଆ ଖେଳାଳି ଅଂଶୁମାନ ରଥ ମଧ୍ୟ ଲଢ଼ୁଆ ଅର୍ଦ୍ଧଶତକ ହାସଲକରି ଆନ୍ତର୍ଜାତିକ କ୍ରିକେଟ୍‍ରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ହଂକଂ ପରାସ୍ତ ହୋଇଥିଲେ ହେଁ ଘଣ୍ଟାଏ ପାଇଁ ଭାରତୀୟ ଖେଳାଳିଙ୍କ ମୁଣ୍ଡବିନ୍ଧା ବଢ଼ାଇ ଦେଇଥିଲା। ପରାଜୟ ସତ୍ତ୍ବେ ସମ୍ମାନର ସହ ଏହା ଏସିଆ କପ୍‍ରୁ ବିଦାୟ ନେଇଛି। ୨୮୬ ରନ୍‍ ବିଜୟଲକ୍ଷ୍ୟର ପିଛା କରିଥିବା ହଂକଂ ୩୪ ଓଭରରେ ବିନା ୱିକେଟରେ ୧୭୪ ରନ୍‍କରିବା ପରେ ତା’ର କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ବିଜୟର ସ୍ୱପ୍ନ ନିଶ୍ଚୟ ଦେଖିଥିଲା। ତେବେ ଓପ୍‍ନିଂ ଯୋଡ଼ି ଭାଙ୍ଗିବା ପରେ ହଂକଂ ଦିଗହରା ହୋଇ ଯାଇଥିଲା। ୨୬ ରନ୍‍ରେ ଏହି ମ୍ୟାଚ୍‍କୁ ଜିତି ଭାରତ ସୁପର ଫୋର୍‍ରେ ସ୍ଥାନ ନିଶ୍ଚିତ କରିଛି। କ୍ରମାଗତ ୨ୟ ମ୍ୟାଚ୍‍ରେ ପରାସ୍ତହୋଇ ହଂକଂ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ବୁଧବାର ପାକିସ୍ତାନକୁ ପରାସ୍ତ କରିବାକୁ ହେଲେ ଭାରତକୁ ତା’ର ପ୍ରଦର୍ଶନରେ ଉନ୍ନତି କରିବାକୁ ପଡ଼ିବ। ଶିଖର ଧାୱନ ଶତକ ବଳରେ ଭାରତ ୭ ୱିକେଟ ହରାଇ ୨୮୫ ରନ୍‍ କରିଥିଲା। ଦୁଇ ଓପ୍‍ନର ଅଂଶୁମାନ ରଥ ଓ ନିଜାକତ୍‍ ଖାଁଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ହଂକଂ ୮ ୱିକେଟ ହରାଇ ୨୫୯ ରନ୍‍ କରି ପାରିଥିଲା।
ହଂକଂର ଓପ୍‍ନିଂ ଯୋଡ଼ି ଓଡ଼ିଆ ଖେଳାଳି ଅଂଶୁମାନ ରଥ ଓ ନିଜାକତ୍‍ ଖାଁ ଆରମ୍ଭରୁ ଲଢ଼ୁଆ ବ୍ୟାଟିଂ କରିଥିଲେ। ବୋଲିଂରେ ଯଶପ୍ରୀତ୍‍ ବୁମ୍‍ରାଙ୍କ ଅନୁପସ୍ଥିତି ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା। ଅଂଶୁମାନ ଏକ ଟେଷ୍ଟ ଖେଳୁଥିବା ଦେଶ ବିପକ୍ଷରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଅଂଶୁମାନ ଓ ନିଜାକତ୍‍ ୨୦ ଓଭରରେ ୧୧୦ ରନ୍‍କରି ଭାରତକୁ ଚିନ୍ତାରେ ପକାଇ ପାରିଥିଲେ। ତେବେ ପରବର୍ତ୍ତୀ ୧୦ ଓଭରରେ ଭାରତୀୟ ସ୍ପିନର ଭଲ ବୋଲିଂକରି ମାତ୍ର ୩୪ ରନ୍‍ ଦେଇଥିଲେ। ତେବେ ୩୧ ଓଭରରୁ ଦୁହେଁ ରନ୍‍ଗତି ବଢ଼ାଇବାର ପ୍ରୟାସ କରିଥିଲେ। ୩୪ ଓଭରରେ ଓପ୍‍ନିଂ ଯୋଡ଼ି ୧୭୪ ରନ୍‍ କରିବା ପରେ ଅଂଶୁମାନ ଆଉଟ ହୋଇ ଯାଇଥିଲେ। ଏହି ଓଡ଼ିଆ ଯୁବକ ୯୭ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୭୩ ରନ୍‍ କରିଥିଲେ। ଅନ୍ୟ ଓପ୍‍ନର ନିଜାକତ୍‍ ଶତକ ଆଡ଼କୁ ଅଗ୍ରସର ହୋଇଥିବା ବେଳେ ମାତ୍ର ୮ ରନ୍‍ ପାଇଁ ଏଥିରୁ ବଞ୍ଚିତ ହୋଇଥିଲେ। ପାକିସ୍ତାନ ଜନ୍ମିତ ନିଜାକତ୍‍ ୧୧୫ ବଲ୍‍ରୁ ଗୋଟିଏ ଛକା ଓ ୧୨ଟି ଚୌକା ସହ ୯୨ ରନ୍‍କରି ଆଉଟ ହୋଇଥିଲେ। ପରେ ବାବର ହୟାତ୍‍ ୨୦ ବଲ୍‍ରୁ ୨ଟି ଛକା ସହ ୧୮ ରନ୍‍କରି ବିଦାୟ ନେଇଥିଲେ। କିଞ୍ଚିତ୍‍ ଶାହା ୧୭ ଓ ଏହ୍‍ସାନ ଖାଁ ୨୨ ରନ୍‍ କରିଥିଲେ। ୬୪ ରନ୍‍ରେ ୭ଟି ୱିକେଟ ହରାଇବା ହଂକଂ ପାଇଁ କାଳ ହୋଇଥିଲା ଏବଂ ବଡ଼ ବିପର୍ଯ୍ୟୟ ଘଟାଇବାରୁ ଏହା ବଞ୍ଚିତ ହୋଇଥିଲା। ୟୁଜୁବେନ୍ଦ୍ର ଚହଲ ଓ ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍‍ ଖେଳିଥିବା ଖଲିଲ ଅହମ୍ମଦ ୩ଟି ଲେଖାଏଁ ଏବଂ କୁଲଦୀପ ଯାଦବ ୨ଟି ୱିକେଟ ନେଇଥିଲେ।
ଅତ୍ୟଧିକ ତାପମାତ୍ରା ଓ ବ୍ୟାଟିଂ ଉପଯୋଗୀ ପିଚ୍‍ ଥିଲେ ସୁଦ୍ଧା ହଂକଂ ଟସ୍‍ ଜିତି ଫିଲ୍‍ଡିଂ ନେଇଥିଲା। ଭାରତୀୟ ଓପ୍‍ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ସାଢ଼େ ୭ ଓଭରରେ ୪୫ ରନ୍‍ ଯୋଡ଼ିବା ପରେ ଅଧିନାୟକ ରୋହିତ ଆଉଟ ହୋଇଥିଲେ। ସେ ୨୨ଟି ବଲ୍‍ରୁ ୪ଟି ଚୌକା ସହ ୨୩ ରନ୍‍ କରିଥିଲେ। ପରେ ଅମ୍ବତି ରାୟୁଡୁ ଓ ଧାୱନ ସହଜରେ ସ୍କୋର୍‍କୁ ବଢ଼ାଇ ଚାଲିଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୧୧୬ ରନ୍‍ ଯୋଗକରିବା ପରେ ରାୟୁଡୁ ୭୦ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୬୦ ରନ୍ କରିଥିଲେ। ଧାୱନ୍‍ ଓ ଦିନେଶ କାର୍ତ୍ତିକ ୩ୟ ୱିକେଟ ପାଇଁ ୭୯ ରନ୍‍ ଯୋଡ଼ିଥିଲେ। ୧୪ଶ ଦିନିକିଆ ଶତକ ହାସଲ କରିଥିବା ଧାୱନ ୧୨୦ ବଲ୍‍ରୁ ୨ଟି ଛକା ଓ ୧୫ଟି ଚୌକା ସହ ୧୨୭ ରନ୍‍କରି ଆଉଟ ହୋଇଥିଲେ। କାର୍ତ୍ତିକ ୩୮ ବଲ୍‍ରୁ ୩୩ ରନ୍‍ କରିଥିଲେ। ମହେନ୍ଦ୍ର ସିଂହ ଧୋନି ଖାତା ଖୋଲି ପାରିନଥିଲେ। ନିୟମିତ ୱିକେଟ ପଡ଼ିବାରୁ ଭାରତ ଶେଷ ୧୦ ଓଭରରେ ମାତ୍ର ୪୮ ରନ୍‍ କରି ପାରିଥିଲା। କେଦାର ଯାଦବ ୨୭ ବଲ୍‍ରୁ ଗୋଟିଏ ଛକା ସହ ୨୮ ରନ୍‍କରି ଅପରାଜିତ ଥିଲେ। କିଞ୍ଚିତ୍‍ ଶାହା ୩ଟି ଓ ଏହ୍‍ସାନ ଖାଁ ୨ଟି ୱିକେଟ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories