ପ୍ରଥମ ଥର ବହୁରାଷ୍ଟ୍ରୀୟ ସମରାଭ୍ୟାସରେ ଭାଗନେବେ ଭାରତ-ପାକ୍‌ ସେନା

0

ନୂଆଦିଲ୍ଲୀ : ପାରମ୍ପରିକ ଶତ୍ରୁ ଭାରତ ଓ ପାକିସ୍ତାନ ପ୍ରଥମ ଥର ଏକ ବହୁରାଷ୍ଟ୍ରୀୟ ସମରାଭ୍ୟାସରେ ଭାଗ ନେବାକୁ ଯାଉଛନ୍ତି । ରୁଷରେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଆତଙ୍କବାଦୀ ନିପାତ ଅଭିଯାନ କ୍ରମେ ଏହି ବହୁ ରାଷ୍ଟ୍ରୀୟ ସମରାଭ୍ୟାସ ହେବ । ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପକ୍ଷରୁ ଏହି ବହୁ ରାଷ୍ଟ୍ରୀୟ ସାମରିକ ଅଭ୍ୟାସ ଆୟୋଜନ କରାଯାଉଛି । ଏହି ସମରାଭ୍ୟାସରେ ଚୀନ ସମେତ ଏସ୍‌ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର ଭାଗ ନେବେ । ଗତ ସପ୍ତାହରେ ବେଜିଂଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସମରାଭ୍ୟାସରେ ଭାରତ ଭାଗନେବ ବୋଲି ସୁନିଶ୍ଚିତ କରାଇଥିଲେ । ଫଳରେ ୭୩ ଦିନର ଡୋକଲାମ ସୀମା ବିବାଦ ପରଠାରୁ ବନ୍ଦ ହୋଇଯାଇଥିବା ଭାରତ ଓ ଚୀନ ସେନାର ଦ୍ୱିପାକ୍ଷିକ ସମରାଭ୍ୟାସ ପୁଣି ଥରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଅନୌପଚାରିକ ଶିଖର ବୈଠକରେ ଦ୍ୱିିପାକ୍ଷିକ ସମ୍ପର୍କକୁ ଦୃଢ କରିବା ସହ ସେନା ଯୋଗାଯୋଗ, ପରସ୍ପର ବିଶ୍ୱାସ ଓ ବୁଝାମଣା ସୃଷ୍ଟି କରିବାକୁ ଆଲୋଚନା କରିଥିଲେ । ରୁଷର ଉରାଲ ପାର୍ବତ୍ୟାଞ୍ଚଳରେ ଆୟୋଜିତ ହେବାକୁ ଥିବା ଏହି ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସର ନାମ ‘ଶାନ୍ତି ଅଭିଯାନ’ (ପିସ୍‌ ମିସନ୍‌) ରଖାଯାଇଛି । ଏସ୍‌ସିଓର ୮ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଆତଙ୍କବାଦୀ ନିରୋଧୀ ଲଢେଇରେ ସହଯୋଗୀତା ବୃଦ୍ଧି କରିବା ଏହି ସମରାଭ୍ୟାସର ଉଦ୍ଦେଶ୍ୟ ରହିଛି । ସ୍ୱାଧୀନତା ପରେ ପ୍ରଥମ ଥର ଭାରତ ଓ ପାକିସ୍ତନ ସେନା ଏକ ସାମରିକ ଅଭ୍ୟାସ ଅଭିଯାନରେ ସାମିଲ ହେବାକୁ ଯାଉଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ସାଂଘାଇ ସହଯୋଗ ସଂଗଠନ ୨୦୦୧ରେ ସାଂଘାଇଠାରେ ଆୟୋଜିତ ଏକ ସମ୍ମିଳନରୁ ଜନ୍ମଲାଭ କରିଥିଲା । ରୁଷ, ଚୀନ, କିରଗିଜ ଗଣତନ୍ତ୍ର, କାଜଖସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ଏହାର ପ୍ରତିଷ୍ଠା ସଦସ୍ୟ ଥିଲେ । ୨୦୦୫ରେ ଭାରତ ଓ ପାକିସ୍ତାନ ପର୍ଯ୍ୟବେକ୍ଷକ ଭାବେ ଏସ୍‌ସିଓର ସାମିଲ ହୋଇଥିଲେ । ତେବେ ଗତବର୍ଷ ଅପେକ୍ଷା ଉଭୟ ରାଷ୍ଟ୍ର ଏସ୍‌ସିଓର ପୂର୍ଣ୍ଣ ସଦସ୍ୟତା ଲାଭ କରିଥିଲେ । ରୁଷ ଲବିରୁ ଭାରତ ଓ ଚୀନ ଲବିରୁ ପାକିସ୍ତାନ ଏସ୍‌ସିଓର ସଦସ୍ୟତା ଲାଭ କରିଛନ୍ତି ।

Leave A Reply