ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ ଆଜି

ଦୁବାଇ : ସମ୍ମାନଜନକ ଚମ୍ପିଆନ୍‌ସ ଟ୍ରଫି ହାତେଇବା ପାଇଁ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ହେବ। ପୂରା ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଭଲ ଫର୍ମ ଦେଖାଇଛନ୍ତି। ଏକମାତ୍ର ଫରକ ହେଲା ଭାରତ ସମସ୍ତ ମ୍ୟାଚ୍‌ ଜିତିଥିବା ବେଳେ ଭାରତଠାରୁ ନ୍ୟୁଜିଲାଣ୍ଡ ୪୪ ରନ୍‌ରେ ପରାସ୍ତ ହୋଇଥିଲା। ଫାଇନାଲ ପାଇଁ ଏହା ଭାରତକୁ ଦୃଢ଼ ମନୋବଳ ଦେବ। ସେମିଫାଇନାଲରେ ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ପରାସ୍ତକରି ଭାରତ ଫାଇନାଲ​‌​‌ରେ ପ୍ରବେଶ କରିଥିଲା। ବିଶ୍ବର ପ୍ରଥମ ଦଳ ଭାବେ ଭାରତ କ୍ରମାଗତ ୩ ଥର ଚମ୍ପିଆନ୍‌ସ ଟ୍ରଫି ଫାଇନାଲ ଖେଳିବାକୁ ଯାଉଛି। ଅନ୍ୟପକ୍ଷ​‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଜ୍‌ଭୁତ ବ୍ୟାଟିଂକରି ଚମ୍ପିଆନ୍‌ସ ଟ୍ରଫି ରେକର୍ଡ ସ୍କୋର୍‌କରି ନ୍ୟୁଜିଲାଣ୍ଡ ଜିତିଥିଲା। ତେଣୁ ଫାଇନାଲ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ହେବ ବୋଲି ଆଶାରହିଛି। ଉଭୟ ଦଳ ୨୫ ବର୍ଷ ପରେ ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ପୁଣି ସାମ୍‌ନା ସାମ୍‌ନି ହେବାକୁ ଯାଉଛନ୍ତି। ୨୦୦୦ ଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା। ଫାଇନାଲରେ ଭାରତୀୟ ସ୍ପିନର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଅଦ୍ୟାବଧି ଭାରତୀୟ ସ୍ପିନର ମିଳିତ ଭାବେ ୨୧ଟି ୱିକେଟ୍‌ ନେଇଛନ୍ତିଟ୍ଟ ଟୁର୍ଣ୍ଣାମେଣ୍ଟରେ ବିଶ୍ବକପ୍‌ ବିଜେତା ବାକି ୩ଟି ଦଳର ସ୍ପିନର ମିଶିକରି ଏତିକି ୱିକେଟ୍‌ ନେଇନାହାନ୍ତି।

ଭାରତୀୟ ସ୍ପିନରଙ୍କ ପାଇଁ ଦୁବାଇ ଆଦର୍ଶ ଷ୍ଟାଡିୟମ୍‌। ସ୍ପିନ୍ ଆକ୍ରମଣକୁ ଛାଡ଼ି ଉଭୟ ଦଳଙ୍କ ମଧ୍ୟରେ ବେଶି ଫରକ ନାହିଁ। ଭାରତ ଓ ନ୍ୟୁଜିଲାଣ୍ଡ ଦଳରେ ସମସ୍ତ ବିଭାଗରେ ମ୍ୟାଚ୍‌ ବିଜେତା ଅଛନ୍ତି। ଉଭୟ ଦଳ ବ୍ୟାଟ୍‌ ଓ ବଲ୍‌ରେ ପ୍ରାଧାନ୍ୟ ଦେଖାଇଛନ୍ତି। ତେବେ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟ ନକ୍‌ଆଉଟ୍‌ ମ୍ୟାଚ୍‌ରୁ ୩ଟିରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ୨୦୨୩ ବିଶ୍ବକପ୍‌ ସେମିଫାଇନାଲରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଶତକ ଏବଂ ମହମ୍ମଦ ସାମିଙ୍କ ୭ ୱିକେଟ୍‌ ସତ୍ତ୍ବେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା। ଅଧିନାୟକ ରୋହିତ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲେ ହେଁ ବଡ଼ ସ୍କୋର୍‌ କରି ପାରିନାହାନ୍ତି। ଭାରତକୁ ଉତ୍ସାହିତ କରିଛି ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ବ୍ୟାଟିଂ ଫର୍ମ। ଗତ ୨ଟି ମ୍ୟାଚ୍‌ରେ ଶୁବ୍‌ମାନ ଗିଲ୍‌ ବିଫଳ ହୋଇଥି​‌ଲେ ହେଁ ସେ ଜଣେ ମ୍ୟାଚ୍‌ ବିଜେତା। ଗିଲ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ହିଁ ଦିନିକିଆ ଦ୍ବିଶତକ ମାରିଥିଲେ। ଅକ୍ଷର ପଟେଲ ୫ନଂ ବ୍ୟାଟ୍‌ସମ୍ୟାନ ଭାବେ ଭଲ ପ୍ରଦର୍ଶନ କରୁଥିବା ବେଳେ ହାର୍ଦିକ ପାଣ୍ଡ୍ୟା ତଳ ଅର୍ଡରରେ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। କେ.ଏଲ୍‌. ରାହୁଲ ନିର୍ଭରଯୋଗ୍ୟ ବ୍ୟାଟିଂ କରୁଛନ୍ତି। ଅଲ୍‌ରାଉଣ୍ଡରଙ୍କ ଉପସ୍ଥିତି ଯୋଗୁଁ ଭାରତର ବ୍ୟାଟିଂ ଲାଇନ୍ ବେଶ୍‌ ଲମ୍ବା ରହିଛି। ସବୁଠାରୁ ବଡ଼ କଥା ହେଲା ଭାରତ ୪ଟିଯାକ ମ୍ୟାଚ୍‌ ସହଜରେ ଜିତିପାରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ବରୁଣ ଚକ୍ରବର୍ତ୍ତୀ ୫ଟି ୱିକେଟ୍‌ ନେଇ ମ୍ୟାଚ୍‌ ବିଜେତା ସାଜିଥିଲେ। କେନ୍‌ ୱିଲିୟମ୍‌ସନଙ୍କୁ ଛାଡ଼ି କେହି ତାଙ୍କ ବୋଲିଂକୁ ପଢ଼ି ପାରିନଥିଲେ। ଭାରତୀୟ ସ୍ପିନର ମୋଟ ୯ଟି ୱିକେଟ୍‌ ନେଇଥିଲେ।

ଫାଇନାଲରେ ପୁଣିଥରେ ଭାରତୀୟ ସ୍ପିନରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ସ୍ପିନ୍ ଲଢ଼େଇରେ ଜିତିପାରିଲେ ନ୍ୟୁଜିଲାଣ୍ଡ ଟ୍ରଫି ହାତେଇ ପାରିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡର ସ୍ପିନର ୭ଟି ୱିକେଟ୍‌ ନେଇଥିଲେ। ଭାରତ ଅପରିବର୍ତ୍ତିତ ଏକାଦଶ ଖେଳାଇବା ନିଶ୍ଚିତ। ଓପ୍‌ନର ରଚିନ ରବୀନ୍ଦ୍ର ୨ଟି ଶତକ ମାରି ଚମତ୍କାର ଫର୍ମରେ ଅଛନ୍ତି। ପୁଣି ଦକ୍ଷିଣ ଆଫ୍ରିକା ବିପକ୍ଷରେ ରବୀନ୍ଦ୍ରଙ୍କ ସହ ୱିଲିୟମ୍‌ସନ ମଧ୍ୟ ଶତକ ମାରିଥିଲେ। ନ୍ୟୁଜିଲାଣ୍ଡ ୬ଷ୍ଠ ଥର ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବାକୁ ଯାଉଥିବା ବେଳେ ୱିଲିୟମ୍‌ସନ ୫ଟି ଖେଳିଛନ୍ତି। ତେଣୁ ବଡ଼ ମ୍ୟାଚ୍‌ରେ କିପରି ପ୍ରଦର୍ଶନ କରିବାକୁ ହୁଏଟ୍ଟ ତାହା ସେ ଜାଣିଛନ୍ତି। ଟମ୍ ଲାଥାମ୍ ଓ ୱିଲ୍‌ ୟଙ୍ଗ୍ ମଧ୍ୟ ଶତକ ମାରିଛନ୍ତି। ଗତ ମ୍ୟାଚ୍‌ରେ ଡ୍ୟାରିଲ ମିଚେଲ ଭଲ ଇନିଂସ ଖେଳିଥିଲେ। ଆହତ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରିଙ୍କ ଖେଳିବା ନେଇ ସନ୍ଦେହ ରହିଛି। ହେନ୍‌ରି ନ ଖେଳିବା ନ୍ୟୁଜିଲାଣ୍ଡ ପାଇଁ ଶକ୍ତ ଧକ୍କା ହେବ। ଭାରତ ବିପକ୍ଷ​‌ରେ ୫ଟି ସହ ହେନ୍‌ରି ଅଦ୍ୟାବଧି ୧୦ଟି ୱିକେଟ୍‌ ନେଇଛନ୍ତି। ହେନ୍‌ରି ନ ଖେଳିଲେଟ୍ଟ ତାଙ୍କ ସ୍ଥାନରେ ଜାକବ୍ ଡଫି କିମ୍ବା ନାଥାନ୍ ସ୍ମିଥ୍‌ ଖେଳିପାରନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡର ସବୁଠାରୁ ବଡ଼ ଅସ୍ତ୍ର ହେ​ଲେ ଅଧିନାୟକ ତଥା ବାମହାତି ସ୍ପିନର ମିଚେଲ ସାଣ୍ଟନର। ପୂରା ଟୁର୍ଣ୍ଣାମେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନୂଆ ବଲ୍‌ରେ କାଏଲ୍‌ ଜେମିସନ ଭଲ ବୋଲିଂ କରୁଛନ୍ତି। ତେଣୁ ଉଭୟ ଦଳଙ୍କ ମଧ୍ୟରେ ବହୁତ କମ୍ ଫରକ ରହିଛି। ପାକିସ୍ତାନ ବିପକ୍ଷରେ ଯେଉଁ ପିଚ୍‌ରେ ଭାରତ ଖେଳିଥିଲା, ସେହି ପିଚ୍‌ରେ ଫାଇନାଲ ଖେଳାଯିବ। ଏଥିରେ ୩୦୦ରୁ ଅଧିକ ରନ୍‌ କରିବା ବେଶ୍‌ କଷ୍ଟକର।

Comments are closed.