ଆଜି ୩ୟ ଟି୨୦, ପ୍ରଥମ ବିଜୟ ଲକ୍ଷ୍ୟରେ ଇଣ୍ଡିଜ୍‌

କଲକାତା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୩-୦ରେ ପୋଛିନେବା ପରେ ଏବେ ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ମଧ୍ୟ ପୋଛିବା ଲକ୍ଷ୍ୟରଖିଛି ଭାରତୀୟ ଦଳ। ରବିବାର ଏଠାରେ ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ପ୍ରାୟ ୨୦ ହଜାର ଦର୍ଶକ ଉପସ୍ଥିତ ରହିବେ। ହେଲେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଅନ୍ୟତମ ଭଲ ଦଳର ମାନ୍ୟତା ପାଇଥିବା ୱେଷ୍ଟଇଣ୍ଡିଜ୍‌ କ୍ରମାଗତ ୨ଟି ମ୍ୟାଚ୍‌ ହାରିବା ପରେ ଶୃଙ୍ଖଳା ହରାଇଛି। ତଥାପି ଏହା ୩ୟ ମ୍ୟାଚ୍‌ ଜିତି ସ୍ବଦେଶ ଫେରିବାକୁ ଚାହିଁବ। ଅନ୍ୟପକ୍ଷରେ ୨-୦ରେ ଆଗୁଆ ରହି ଶୃଙ୍ଖଳା ହାତେଇ ସାରିଥିବା ଭାରତ ତା’ର ଏକାଦଶରେ କିଛି ପରିବର୍ତ୍ତନ କରି ସୁଯୋଗ ପାଇନଥିବା ଖେଳାଳିଙ୍କୁ ଖେଳାଇବାକୁ ଚାହିଁବ।

୨ୟ ଟ୍ବେଣ୍ଟି୨୦ରେ ଭାରତୀୟ ବିଜୟର ଦୁଇ ହିରୋ ବିରାଟ କୋହଲି ଓ ଋଷଭ ପନ୍ତ୍ ୩ୟ ଟ୍ବେଣ୍ଟି୨୦ରୁ ଓହରି ଯାଇଥିବାରୁ ଉଭୟଙ୍କ ସ୍ଥାନରେ ଋତୁରାଜ ଗାଏକ୍‌ୱାଡ୍‌ ଓ ଶ୍ରେୟାସ ଆୟର ସୁଯୋଗ ପାଇପାରନ୍ତି। ଋତୁରାଜ ଓପନ୍‌ କରିପାରନ୍ତି। ତେଣୁ ଈଶାନ୍ କିଷନ୍‌ ୱିକେଟ ରକ୍ଷଣ କରିବା ସହ ୫ନଂ ସ୍ଥାନରେ ବ୍ୟାଟିଂ କରିପାରିନ୍ତି। ପୁଣି ଦୀପକ ଚହରଙ୍କ ସ୍ଥାନରେ ସାର୍ଦୁଳ ଠାକୁର ଖେଳିପାରନ୍ତି। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ। ପୁଣି ଉଭୟ ଟ୍ବେଣ୍ଟି୨୦ରେ ଚମତ୍କାର ବୋଲିଂ କରିଥିବା ଭୁବନେଶ୍ବର କୁମାରଙ୍କ ସ୍ଥାନରେ ମହମ୍ମଦ ସିରାଜ୍ କିମ୍ବା ଆଭେସ୍ ଖାଁ ସୁଯୋଗ ପାଇପାରନ୍ତି। ଏଣେ ପ୍ରଥମ ମ୍ୟାଚ୍‌ରେ ସହଜରେ ପରାସ୍ତ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ୨ୟ ଟ୍ବେଣ୍ଟି୨୦ରେ ବିଜୟର ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ଏହା ମ୍ୟାଚ୍‌ ଜିତି ପାରିନଥିଲା। ତଥାପି ଏହା ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ୍। କଲକାତାରେ କାକର ପଡ଼ୁଥିବାରୁ ପୁଣି ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂ କରିବାକୁ ଚାହିଁବେ। ସମସ୍ତ ଫର୍ମାଟକୁ ମିଶାଇ ଘରୋଇମାଟିରେ କ୍ରମାଗତ ୧୩ଟି ଶୃଙ୍ଖଳା ଜିତିଥିବା ଭାରତୀୟ ଦଳ ତା’ର ବିଜୟଧାରା ବଜାୟ ରଖିବାକୁ ଚାହିଁବ।

Comments are closed.