ସମାଜଲାଇଭ ଡେସ୍କ: ଭାରତ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ରାଞ୍ଚିରେ ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଘରୋଇ ଦଳ ବ୍ୟାଟିଂ ଜାରି ରଖିଛି। ୩୧ ଓଭର ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୪ ଉଇକେଟ ବିନିମୟରେ ୨୦୪ ରନ ସଂଗ୍ରହ କରିଛି।
ଯଶସ୍ବୀ ଜୟସୱାଲ ଏବଂ ରୋହିତ ଇନିଂସ ଓପନ କରିଥିବାବେଳେ ମାତ୍ର ୨୫ ରନରେ ପ୍ରଥମ ଉଇକେଟ ହରାଇଥିଲା। ପ୍ରଥମ ଉଇକେଟ ଭାବେ ଜୟସୱାଲ ଆଉଟ ହୋଇଥିଲେ। ସେ ମାତ୍ର ୧୮ ରନ କରିଥିଲେ। ଏହା ପରେ ବିରାଟ କୋହଲି ଏବଂ ରୋହିତ ଇନିଂସକୁ ଆଗେଇ ଦେଇଥିଲେ। ରୋହିତ ୫୧ ବଳରେ ୩ ଛକା ସହିତ ୫୭ ରନ କରି ଆଉଟ ହୋଇଥିଲେ। ଏହା ପରେ ରୁତୁରାଜ ଗାଏକୱାଡ ବି ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ମାତ୍ର ୮ ରନରେ ନିଜ ଉଇକେଟ ହରାଇଥିଲେ। ସେହିପରି ୪ର୍ଥ ଉଇକେଟ ଭାବେ ୱାଶିଂଟନ ସୁନ୍ଦର ୧୩ ରନ କରି ଆଉଟ ହୋଇଛନ୍ତି। କୋହଲି ଗୋଟିଏ ପଟେ ଦୃଢ଼ ଭାବେ ଛିଡ଼ା ହୋଇଥିବାବେଳେ ବଡ଼ ସ୍କୋର ପାଇଁ ଭାଗିଦାରିର ଆବଶ୍ୟକତା ରହିଛି। କୋହଲି ଏବଂ ରାହୁଲ ଅପରାଜିତ ରହିଛନ୍ତି। କୋହଲି ୯୧ ରନ କରି ଶତକଠାରୁ ମାତ୍ର ୯ ରନ ଦୂରରେ ରହିଛନ୍ତି।



