ବର୍ଷା ବାଧକ : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ୱେଲିଂଟନ : ଟି-୨୦ ବିଶ୍ବକପର ସେମିଫାଇନାଲରେ ପରାଜିତ ଦୁଇଦଳ ଭାରତ ଓ ନ୍ୟୁଜିଲାଣ୍ଡ ସୀମିତ ଓଭର କ୍ରିକେଟରେ ନୂଆ ଇନିଂସ ଆରମ୍ଭ କରିବା ପଥରେ ବର୍ଷା ବାଧକ ସାଜିଛି। ୱେଲିଂଟନରେ ପ୍ରବଳ ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି -୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି। ଏପରିକି ବର୍ଷା ଯୋଗୁ ଟସ୍‌ ମଧ୍ୟ ପଡିପାରିନଥିଲା। ଓଭର କାଟ୍‌ ମ୍ୟାଚ ସମୟ ପର୍ଯ୍ୟନ୍ତ ଦୁଇ ଅମ୍ପାୟାର ଅପେକ୍ଷା କରିଥିଲେ। ବର୍ଷା ଲାଗି ରହିବାରୁ ଶେଷରେ ଦୁଇ ଅମ୍ପାୟାର ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।
ନ୍ୟୁଜିଲାଣ୍ଡ ସମୟ ଅନୁଯାୟୀ ୱେଲିଂଟନରେ ଶୁକ୍ରବାର ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ରାତି ୭ଟା ତଥା ଭାରତୀୟ ସମୟ ମଧ୍ୟାହ୍ନ ୧୨ଟାରେ ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ବର୍ଷା ଛାଡିନଥିଲା। ଏଥିପାଇଁ ଟସ୍‌ ପଡିବା ମଧ୍ୟ ସମ୍ଭବପର ହୋଇପାରିନଥିଲା। ରାତି ୮ଟାରେ ବର୍ଷା ସାମାନ୍ୟ କମିବାରୁ ମ୍ୟାଚ ଖେଳାଯିବା ନେଇ ଆଶା ସୃଷ୍ଟି ହୋଇଥିଲା। ଓଦା ଆଉଟଫିଲ୍ଡ ଓ ପୁନର୍ବାର ବର୍ଷା ହେବାରୁ ମ୍ୟାଚ ଖେଳାଯିବା ସମ୍ଭବପର ହୋଇନଥିଲା। ଶେଷରେ ଟସ୍‌ ପଡିବା ପୂର୍ବରୁ ଦୁଇ ଅମ୍ପାୟାର ମ୍ୟାଚକୁ ବାତିଲ କରିଦେଇଥିଲେ । ୨୦ରେ ଦ୍ବିତୀୟ ମ୍ୟାଚ ମାଉଣ୍ଟ ମାଉଙ୍ଗାନୁଇ‌େ​‌ର ଖେଳାଯିବ। ଭାରତ ରୋହିତ ଶର୍ମା, ଲୋକେଶ ରାହୁଲ,ବିରାଟ କୋହଲିଙ୍କ ବିନା ଉକ୍ତ ଟି୨୦ ଶୃଙ୍ଖଳା ଖେଳୁଥିବାବେଳେ ହାର୍ଦିକ ପାଣ୍ଡ୍ୟା ନେତୃତ୍ବ ନେଉଛନ୍ତି।

Comments are closed.