ବଲାଙ୍ଗିର ଜିଲାରେ ବଢୁଛି ଆତ୍ମହତ୍ୟା ପ୍ରବଣତା

କରୋନା ପରେ: ସ୍ୱାଭାବିକ ଜୀବନରେ ବିବଶ ଓ ଅସହାୟ ମଣିଷ,ଏକ୍‌ଲା ପଣ ସହ ମାନସିକ ଅବସାଦ ଅନ୍ୟତମ କାରଣ:ଡା.ଶତପଥୀ 

ବଲାଙ୍ଗିର :ଦୁଃଖ ଦେଖାଇଥିଲା କରୋନା । ଚାକିରି ଚାଲିଗଲା, ବ୍ୟବସାୟ ବନ୍ଧା ପଡିଲା । ୨ ବର୍ଷ ଧରି ସବୁ କିଛି ଠପ୍‌ ହେଇଗଲା । ମଣିଷ କେତେ ଅସହାୟ ଓ ବିବଶ ତାହା ସାରା ବିଶ୍ୱ ଦେଖିଥିଲା । କରୋନାରେ ଅନେକଙ୍କ ଜୀବନ ଗଲା । ମା’ ପୁଅକୁ.. ପତ୍ନୀ ସ୍ୱାମୀକୁ ତ ଆଉ କେଉଁଠି ଅନାଥ ହୋଇଗଲେ ପିଲାଛୁଆ । ପୁରୁଷ ଶୂନ୍ୟ ବି ହୋଇଗଲା ପରିବାର । ସେହି କରୋନା କବଳରୁ ମୁକୁଳୁଛି ମଣିଷ । ଧୀରେ ଧୀରେ ସ୍ୱାଭାବିକ ହେଉଛି ଜୀବନ ଯାତ୍ରା । କିନ୍ତୁ କରୋନା ପୀଡାରୁ ଅଣ୍ଟା ସଳଖି ପାରିନି । ପ୍ରତିଫଳନ ସ୍ୱରୂପ ଏବେ ହତ୍ୟା, ଲୁଟ୍‌, ଡକାୟତି, ଠକେଇ, ମାନବିକତାର ହ୍ରାସ ଓ କ୍ରୁରତା ଆଶାଠାରୁ ଅଧିକ ହୋଇଛି । ସବୁଠାରୁ ବେଶୀ ଚିନ୍ତାର କାରଣ ଆତ୍ମହତ୍ୟା ପ୍ରବଣତା । ସାରା ଦେଶରେ ଆତ୍ମହତ୍ୟା ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗିର ଭଳି ଜିଲାରେ ଏହା ଚରମ ସୀମାରେ ରହିଛି । ପ୍ରତିଦିନ ୨ରୁ ୩ଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସୁଛି । ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ ଯାଉଛି ।
ବଲାଙ୍ଗିର ଜିଲାର ବିଭିନ୍ନ ଥାନାରେ ଅନେକ ଆତ୍ମହତ୍ୟା ଘଟଣା ପଞ୍ଜୀକୃତ ହେଉଛି । ଏଇ ଯେମିତି ବରଗଡ ଜିଲା ବରପାଲି ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ର କୃଷି ପରିଚାଳକ ଦିବ୍ୟରଞ୍ଜନ ମିଶ୍ର(ମୂଳ ବାସିନ୍ଦା ବଲାଙ୍ଗିର ଶାନ୍ତିପଡ଼ା)ଙ୍କ ଶବ ଅଙ୍ଗ ନଦୀ ପୋଲରୁ ନିଖୋଜ ହେବାର ୩ ଦିନ ପରେ ମିଳିବା । ଡୁଙ୍ଗୁରିପାଲି ପୁଲିସ ଖୋଳତାଡ କରିବା ବେଳକୁ ତାଙ୍କ ଆକାଉଣ୍ଟରୁ ୨୪ଲକ୍ଷ ୪୦ହଜାର ଟଙ୍କା ଅନ୍ୟ ରାଜ୍ୟର ଲୋକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର । ୨ଲକ୍ଷ ବ୍ୟକ୍ତିଗତ ଋଣ କରି ଅନ୍ୟମାନଙ୍କୁ ପଠାଇବା କଥା ସାମ୍ନାକୁ ଆସିଥିଲା । ପ୍ରାଥମିକ ଅନୁସନ୍ଧାନରୁ ବ୍ଲାକମେଲିଂ କଥା ସାମ୍ନାକୁ ଆସିଥିଲା । ସେହିପରି ଖପ୍ରାଖୋଲ ପାଟିମାଲ ଗାଁର ବୃଦ୍ଧା ମା’, ଝିଅ ବିଷ ପିଇ ଆତ୍ମହତ୍ୟା କରିଥିଲେ । ନାତିକୁ ମଧ୍ୟ ବିଷ ପିଆଇ ଦେଇଥିଲେ । ଜୀବନ ସହ ଜୁଝି ନାତି ବି ଆଖି ବୁଜିଲା । ଦାରିଦ୍ର‌୍ୟତା ଯୋଗୁଁ ବୃଦ୍ଧା, ମା’ ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଟଙ୍କାକୁ କେନ୍ଦ୍ର କରି ପୁଇଁନ୍ତଲା ବ୍ଲକ ବେଲବାହାଲିର ବାପା-ପୁଅ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିଲେ । ସୋନପୁର ଜିଲା ଉଲୁଣ୍ଡା ଅଞ୍ଚଳର ମେଧାବୀ ଛାତ୍ର ରମଣୀ କାନ୍ତ କ୍ଷେତୀ ରାଜେନ୍ଦ୍ର କଲେଜର ଯୁକ୍ତ ୩ ବାଣିଜ୍ୟ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଶାନ୍ତିପଡ଼ାର ଏକ ଘରୋଇ ହଷ୍ଟେଲରେ ସେ ଆତ୍ମହତ୍ୟା କରିଥିଲେ । ସେହିପରି ବେଲପଡ଼ାରେ ସ୍ୱାମୀ ଚାଷ ଜମିରେ ପତ୍ନୀକୁ ହତ୍ୟା ପରେ ଆତ୍ମହତ୍ୟା, ବଡ ଭାଇ କେନାଲରେ ବୁଡି ପ୍ରାଣ ହରାଇବା ପରେ ସାନ ଭାଇ ଆତ୍ମହତ୍ୟା କରିବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେହିପରି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳରେ ଥିବା ଘରୋଇ ନର୍ସିଂ କଲେଜରେ ପାଠ ପଢୁଥିବା ବଲାଙ୍ଗିର ମୁରିବାହାଲର ଝିଅ କୁନି କହଁର ହଷ୍ଟେଲରେ ଆତ୍‌ମହତ୍ୟା କରିଥିଲେ । ବାପାଙ୍କ ମୃତ୍ୟୁ ପରେ ମା’ ରାଜ୍ୟ ବାହାରେ ଦାଦନ ଖଟି ଝିଅ କୁନି ଓ ପୁଅକୁ ପଢାଉଥିଲେ । ଆଉ ୨ଗୁଣା ଟଙ୍କା ପାଇବା ଲୋଭରେ ଧାର କରଜ କରି ସିନେ୍ଧକେଲା ଥାନା ଗନ୍ଧର୍ଲା ଗାଁର ବିନୋଦ କୁମାର ଯାଦବ ସେୟାର୍‌ ବଜାରରେ ୨୦ଲକ୍ଷ ଟଙ୍କା ଲଗାଇଥିଲେ । ଠକେଇର ଶିକାର ହେବା ପରେ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟା ବାଟକୁ ବାଛି ନେଲେ । ଟିଟିଲାଗଡ ଉପଖଣ୍ଡ ଓ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରି ବିନୋଦ ଆଖି ବୁଜିଦେଲେ ।
ବଲାଙ୍ଗିର ଜିଲାରେ ଗୋଟିଏ ପରେ ଗୋଟିଏ ଜୀବନ ଧୂଳିସାତ ହୋଇଯାଉଛି । ବିଭିନ୍ନ କାରଣରୁ ଅସହାୟ ହାଇ ଆତ୍ମହତ୍ୟାକୁ ବରଣ କରୁଛନ୍ତି । ଏହା ହିଁ ଶେଷ ବାଟ ବୋଲି ଧରି ନେଉଛନ୍ତି । ଜୀବନକୁ ସକରାତ୍ମକ ଚିନ୍ତାଧାରା ସହ ହତୋତ୍ସାହିତଙ୍କୁ ଉତ୍ସାହିତ କରୁଥିବା କିଛି ବ୍ୟକ୍ତି(ଲାଇଫ୍‌ ମୋଟିଭେଟର୍‌)ଙ୍କ କହିବା ଅନୁସାରେ, ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ବାଟ ନୁହେଁ । ଜୀବନକୁ ତୁଚ୍ଛ କରିଦେବା ଭଳି । ସମସ୍ୟା କାହା ଜୀବନରେ ନଥାଏ! ତାହାକୁ ସରଳ କରିବା ସହ ସ୍ୱାଭାବିକ ରହିବା ସହ ସାମ୍ନା କରିବା ଆବଶ୍ୟକ । ପଳାତକ ଭଳି ପଛଘୁଞ୍ଚା ଦେବା କାପୁରୁଷର ଆଭିମୁଖ୍ୟ । ତେବେ ନିକଟରେ ଜଣେ ଘର ମାଲିକଙ୍କୁ ବ୍ଲାକମେଲିଂ କରିବାକୁ ଭଡାଟିଆ ଉଦ୍ୟମ କରିଥିଲେ । କିଛିକାଂଶରେ ସଫଳ ହୋଇଥିଲେ । ଘର ମାଲିକ ମାନସିକ ଅବସାଦରୁ ଆତ୍ମହତ୍ୟା ଆଡକୁ ଏକପ୍ରକାର ମୁହାଁଇ ସାରିଥିଲେ । ଠିକଣା ସମୟରେ ପରିବାର ଲୋକେ ସମ୍ଭାଳି ନେଲେ । ମୃତ୍ୟୁ ମୁହଁରୁ ଫେରାଇ ଆଣିଲେ । ତେବେ ଆତ୍ମହତ୍ୟା ସଂପର୍କରେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାର ମାନସିକ ରୋଗ ବିଭାଗର ସହକାରୀ ପ୍ରଫେସର ଡା. ଆର୍ଶିବାଦ ଶତପଥୀ ଏହାକୁ ଭିନ୍ନ ଢଙ୍ଗରେ ଦେଖୁଥିବା ମତ ଦେଉଛନ୍ତି । ବଲାଙ୍ଗିର ଜିଲାରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ସାମାଜିକ ଗଣମାଧ୍ୟମର କୁପ୍ରଭାବ, ପ୍ରେମରେ ବିଫଳତା, ଅନଲାଇନ୍‌ ଟଙ୍କା କାରବାର, ଠକେଇ, ପାଠ ପଢାର ଚାପ, ପାରିବାରିକ କଳହ କାରଣରୁ ମାନସିକ ଅବସାଦ ଆଡକୁ ଲୋକେ ଗତି କରୁଛନ୍ତି । ମନ ଦୁର୍ବଳ ହେବା ସହ ଚାପ ବଢୁଛି । ଆମେ ଆମ ସମସ୍ୟା କାହା ସହ କଥା ହୋଇପାରୁନୁ । ପରିବାର ଲୋକଙ୍କୁ ଜଣାଇ ପାରୁନୁ । ଏକଲା ପଣ ସହ ନିଜ ଭିତରେ ସମସ୍ୟାକୁ ଚାପି ରଖି ଜଳୁଛୁ । ତେଣୁ ଆମ ସମସ୍ୟା ଜଣାଇବା ଦରକାର । ବନ୍ଧୁ, ସଂପର୍କୀୟଙ୍କ ସହ ଆଲୋଚନା କଲେ ହାଲୁକା ହେବ ମନ । ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଡା.ଶତପଥୀ ମତ ଦେଇଛନ୍ତି ।
ତଥ୍ୟ ପାଇଁ ୨ ଦିନ ଏସ୍‌ପି ଅଫିସ୍‌ ଚକ୍କର(ବକ୍ସ)
ବଲାଙ୍ଗିର ଜିଲାରେ କେତେ ଆତ୍ମହତ୍ୟା ମାମଲା ହେଲାଣି । ପ୍ରଶାସନ ଓ ପୁଲିସ ପକ୍ଷରୁ କି ପଦକ୍ଷେପ ନିଆଯାଇଛି । ସେ ସଂପର୍କରେ ଜାଣିବା ପାଇଁ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ(ଏସ୍‌ପି)ଙ୍କ କାର୍ଯ୍ୟାଳୟରେ ପଇଁତରା ମାରିବାକୁ ପଡେ । ପ୍ରଥମ ଦିନ ଏସ୍‌ପି ନୀତିନ କୁଶଲକର ସଇଁନ୍ତଲା ଜନଶୁଣାଣି କାର୍ଯ୍ୟକ୍ରମକୁ ଯାଇଥିଲେ । ଏସ୍‌ପି ଅଫିସ୍‌ର ଡିସିଆର୍‌ବି ବିଭାଗକୁ ଯିବାରୁ ଡିଏସ୍‌ପି(ମୁଖ୍ୟାଳୟ) ସୂଚନା ଅଧିକାରୀ ସେ ଦେବେ ବୋଲି କହିଥିଲେ । ଅଭ୍ୟର୍ଥନା କେନ୍ଦ୍ରରେ ଥିବା ମହିଳା କନେଷ୍ଟବଳ ଏଚ୍‌ଆର୍‌ପିସି ବିଭାଗରେ ବୁଝିବାକୁ ପରାମର୍ଶ ଦେଲେ । ଏଚ୍‌ଆର୍‌ପିସି ଡିସିଆର୍‌ବି ବିଭାଗରେ ସେହି ତଥ୍ୟ ମିଳିବ କହିଲେ । ନୂଆ ଅତିରିକ୍ତ ଏସ୍‌ପି ସୁରେଶ କୁମାର ନାୟକ ଯୋଗ ଦେଇଥିବାରୁ ସେ କିଛି ତଥ୍ୟ ନାହିଁ । ପର ଦିନ ଆସିବାକୁ ପରାମର୍ଶ ଦେଲେ । ପରଦିନ ପୁଣି ସେହି ଏସ୍‌ପି ଅଫିସ୍‌ର ବିଭିନ୍ନ ବିଭାଗ ବୁଲିବା ପରେ ଏସ୍‌ପି ନୀତିନ କୁଶଲକରଙ୍କ ପ୍ରତିକ୍ରିୟା ଓ ଆତ୍ମହତ୍ୟା ସଂଖ୍ୟା ଜାଣିବାକୁ ଉଦ୍ୟମ କରାଯାଇଥିଲା । ଅଫିସ୍‌ର ପ୍ରବେଶ ପଥରେ ହିଁ ମୋବାଇଲ୍‌ ରଖି ଭିତରକୁ ଯିବା ପାଇଁ କୁହାଗଲା । ଭିତରେ ଯିବା ପରେ ସାଧାରଣ ସୌଜନ୍ୟତା ବି ଏସ୍‌ପି ଶ୍ରୀ କୁଶଲକର ଦେଖାଇଲେ ନାହିଁ । ଜିଲାରେ ଆତ୍ମହତ୍ୟା ସଂଖ୍ୟା କେତେ ତାହା ପଚାରିବାରୁ କାଗଜରେ ଲେଖି ଦିଅନ୍ତୁ । ସମୟ ମିଳିଲେ ତଥ୍ୟ ଦିଆଯିବ ବୋଲି ଏସ୍‌ପି ଶ୍ରୀ କୁଶଲକର କହିଥିଲେ । ଜଣେ ଗଣମାଧ୍ୟମ ପ୍ରତିନିଧି ଜିଲାରେ ଆତ୍ମହତ୍ୟା ସଂଖ୍ୟା କେତେ ଜାଣିବାକୁ ଚାହୁଁଥିବା ବେଳେ ସେ ଯଦି ୨ ଦିନ ଦୌଡେ ତା’ହେଲେ ସାଧାରଣ ଲୋକେ କେମିତି ବ୍ୟବହାର ପାଉଥିବେ ତାହା ଅନୁମାନ କରାଯାଇପାରେ । ସେହିପରି ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ସ୍କୁଲ, କଲେଜ ଅଧ୍ୟକ୍ଷ, ଅଧ୍ୟକ୍ଷାମାନଙ୍କୁ ଆତ୍ମହତ୍ୟା ସଂପର୍କରେ ସଚେତନ କରାଯାଇଛି । ଗୋଷ୍ଠୀ ଗତ ଭାବେ ଏନେଇ ଆଲୋଚନା କରିବାକୁ ପରାମର୍ଶ ଦିଆଇଥିବା କହିଥିଲେ । ସୂଚନାଯୋଗ୍ୟ ଯେ, ଦେଶରେ ଆତ୍ମହତ୍ୟା ହାର ୧୨ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଆତ୍ମହତ୍ୟା ହାର ଦେଶର ହାରଠାରୁ ଅଧିକ(୧୨.୫) ବୋଲି ଜଣାପଡିଛି ।

Comments are closed.