ଭାରତ-ଆମେରିକା ବାଣିଜ୍ୟ ଯୁଦ୍ଧ ତେଜିଲା
ନୂଆଦିଲ୍ଲୀ: ଆମେରିକାରେ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଓ ଉପକରଣ ଏଣିକି ଭାରତରେ ମହଙ୍ଗା ହେବ। ଆମେରିକାରୁ ଆମଦାନି କେତେକ ସାମଗ୍ରୀ ଉପରେ ଭାରତ ସରକାର ସୀମା ଶୁଳ୍କ ବୃଦ୍ଧି ପାଇଁ ଚିନ୍ତା କରୁଛନ୍ତି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଆମେରିକା ନିର୍ମିତ ମୋଟରସାଇକଲ୍, କେତେକ ଲୌହଜାତ ସାମଗ୍ରୀ, ବୋରିକ୍ ଏସିଡ୍ ଓ ଡାଲିଜାତୀୟ ସାମଗ୍ରୀ ଆଦି ୩୦ଟି ସାମ୍ରଗୀର ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ଭାରତ ନିର୍ମିତ ଓ ରପ୍ତାନି ସାମଗ୍ରୀ ଉପରେ ଆମେରିକା ସୀମା ଶୁଳ୍କ ବୃଦ୍ଧି କରିଥିବାରୁ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି। ଆମେରିକା ସୀମା ଶୁଳ୍ପ ବୃଦ୍ଧି ଦ୍ୱାରା ଭାରତର ଇସ୍ପାତ୍ ଓ ଆଲୁମିନିୟମ କାରବାର ଗୁରୁତର ପ୍ରଭାବିତ ହୋଇଛି। ଶୁଳ୍କ ବୃଦ୍ଧି ଜରିରଆରେ ଆମେରିକା ଅତିରିକ୍ତ ୨୪୧ ନିୟୁତ ଆମେରିକୀୟ ଡଲାର ସଂଗ୍ରହ କରୁଛି। ତେଣୁ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି।
ଏହାପୂର୍ବରୁ ଗତ ମେ’ ମାସରେ ଆମେରିକାରୁ ଆମଦାନି ହେଉଥିବା ଆଲ୍ମଣ୍ଡ, ଏପଲ୍, କେତେକ ମୋଟରସାଇକଲ୍ ଉପକରଣ ସମେତ ୨୦ଟି ସାମଗ୍ରୀ ଉପରେ ଭାରତ ୧୦୦ ପ୍ରତିଶତ ସୀମା ଶୁଳ୍କ ବୃଦ୍ଧି କରିଥିଲା। ବିଶ୍ୱ ବାଣିଜ୍ୟ ସଂଗଠନ ଅଧୀନ ବାଣିଜ୍ୟ ପରିଷଦର ୨୦୧୮ ମେ’ ୧୮ ତାରିଖରେ ଜାରି ବିଜ୍ଞପ୍ତି ଆଧାରରେ ଏହି ମୂଲ୍ୟ ବୃଦ୍ଧି କରାଯାଇଥିବା ଭାରତ ପକ୍ଷରୁ କୁହାଯାଇଛି। ବିଶ୍ୱ ବାଣିଜ୍ୟରେ ଭାରତ ସମେତ ସମସ୍ତ ସଦସ୍ୟ ଦେଶ ନିଜ ଅଧିକାର ସାବ୍ୟସ୍ତ କରିପାରିବ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।