ଭାରତୀୟ ପୁରୁଷ ଦଳରେ ୩ ଓଡ଼ିଆ ; ଦୀପ୍‍ସାନ ଅଧିନାୟକ

0

କଟକ : ଚଳିତମାସ ୧୪ରୁ ୨୧ ପର୍ଯ୍ୟନ୍ତ ବେଲ୍‍ଜିୟମ୍‍ର ଆଣ୍ଟୱେର୍ପଠାରେ ଅନୁଷ୍ଠିତ ହେବାକୁ ଯାଉଛି ଷଡ଼ରାଷ୍ଟ୍ରୀୟ ୨୩ ବର୍ଷରୁ କମ୍‍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶାର ଡିଫେଣ୍ଡର ଦୀପ୍‍ସାନ ତିର୍କୀ ଭାରତୀୟ ଦଳର ନେତୃତ୍ୱ ନେବେ। ଦଳରେ ଥିବା ଆଉ ୨ ଓଡ଼ିଆ ଖେଳାଳି ହେଲେ ଡିଫେଣ୍ଡର ନୀଲମ୍‍ ସଞ୍ଜୀପ ଖେସ୍‍ ଓ ଫରୱାର୍ଡ ଶିଳାନନ୍ଦ ଲାକ୍ରା। ଦୀପ୍‍ସାନଙ୍କ ସହ ନୀଲମ୍‍ ସଞ୍ଜୀପ ଓ ଶିଳାନନ୍ଦ ଭାରତ ପାଇଁ ଖେଳି ସାରିଛନ୍ତି। ଦୀପ୍‍ସାନ ତିର୍କୀ ଭାରତୀୟ ସିନିୟର ଦଳ ପାଇଁ ବେଶ୍‍ କିଛି ମ୍ୟାଚ୍‍ ଖେଳିଛନ୍ତି ଏବଂ ଆନ୍ତର୍ଜାତିକ ହକିରେ ସେ ବହୁତ ଅଭିଜ୍ଞ। ଭାରତର ଅନ୍ୟତମ ନାମୀ ଡିଫେଣ୍ଡର ଭାବେ ଦୀପ୍‍ସାନ ପରିଗଣିତ ହୁଅନ୍ତି। ପୁଣି ପୂର୍ବରୁ ଦୀପ୍‍ସାନ ଭାରତୀୟ ଜୁନିୟର ଓ ୨୩ ବର୍ଷରୁ କମ୍‍ ଦଳର ନେତୃତ୍ୱ ମଧ୍ୟ ନେଇ ସାରିଛନ୍ତି। ଆସନ୍ତା ଅକ୍ଟୋବରରେ ମାଲେସିଆରେ ହେବାକୁ ଥିବା ସୁଲ୍‍ତାନ ଅଫ୍‍ ଜୋହର କପ୍‍ ହକି ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତିରେ ବେଲ୍‍ଜିୟମ୍‍ ଗସ୍ତ ଲାଭବାନ ହେବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ରାଉଣ୍ଡ ରବିନ୍‍ ଲିଗ୍‍ ଭିତ୍ତିରେ ପରସ୍ପର ବିରୋଧରେ ଖେଳିବେ। ଭାରତୀୟ ଦଳ ୧୪ରେ ଆୟରଲାଣ୍ଡ, ୧୫ରେ ଗ୍ରେଟ୍‍ ବ୍ରିଟେନ୍‍, ୧୭ରେ ବେଲ୍‍ଜିୟମ୍‍, ୧୮ରେ ମାଲେସିଆ ଓ ୨୦ରେ ନେଦରଲାଣ୍ଡ୍‍ସ ବିରୋଧରେ ଭାରତ ଖେଳିବ।
ଭାରତୀୟ ଦଳ: (ଗୋଲ୍‍ରକ୍ଷକ) ପଙ୍କଜ କୁମାର ରଜକ ଓ ପ୍ରଶାନ୍ତ କୁମାର ଚୌହାନ; (ଡିଫେଣ୍ଡର) ଦୀପ୍‍ସାନ ତିର୍କୀ (ଅଧିନାୟକ), ନୀଲମ୍‍ ସଞ୍ଜୀପ ଖେସ୍‍, ପ୍ରଦୀପ ସିଂହ, ମନଦୀପ ମୋର, ସୋମଜିତ ଓ ମହମ୍ମଦ ଫରାଜ୍‍; (ମିଡ୍‍ଫିଲ୍‍ଡର) ହାର୍ଦିକ ସିଂହ (ଉପଅଧିନାୟକ), ଧର୍ମେନ୍ଦର ସିଂହ, ରାଜକୁମାର ପାଲ, ବିଶାଳ ଆଣ୍ଟିଲ, ଏମ୍‍. ରବିଚନ୍ଦ୍ର ସିଂହ; (ଫରୱାର୍ଡ) ଶିଳାନନ୍ଦ ଲାକ୍ରା, ଅଭିଷେକ, ଅଭରନ ସୁଦେବ ବେଲିମାଗା, ମହମ୍ମଦ ରାହିଲ ମୋସିନ୍‍ ଓ ମହମ୍ମଦ ଉମର।

ମହିଳା ଦଳରେ ମାରିଆନା
prayash

କଟକ :  ଚଳିତମାସ ୧୪ରୁ ୨୧ ପର୍ଯ୍ୟନ୍ତ ବେଲ୍‍ଜିୟମ୍‍ର ଆଣ୍ଟୱେର୍ପଠାରେ ଆୟୋଜନ ହେବ ଷଡ଼ରାଷ୍ଟ୍ରୀୟ ୨୩ ବର୍ଷରୁ କମ୍‍ ମହିଳା ହକି ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଜଣେ ମାତ୍ର ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେ ହେଉଛନ୍ତି ମିଡ୍‍ଫିଲ୍‍ଡର ମାରିଆନା କୁଜୁର। ଭାରତୀୟ ଦଳ ଆୟରଲାଣ୍ଡ, ଗ୍ରେଟ୍‍ ବ୍ରିଟେନ୍‍, ବେଲ୍‍ଜିୟମ୍‍, ମାଲେସିଆ ଓ ନେଦରଲାଣ୍ଡ୍‍ସ ବିରୋଧରେ ତା’ର ୫ଟି ଲିଗ୍‍ ମ୍ୟାଚ୍‍ ଖେଳିବ। ଲିଗ୍‍ ପର୍ଯ୍ୟାୟରେ ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ୨୧ରେ ଫାଇନାଲ ଖେଳିବେ। ଭାରତୀୟ ଖେଳାଳିଙ୍କୁ ଆନ୍ତର୍ଜାତିକ ହକିର ଅଭିଜ୍ଞତା ଦେବା ପାଇଁ ଏହି ଗସ୍ତର ଆୟୋଜନ କରାଯାଇଛି।

kalyan agarbati
Leave A Reply