ରାଜ୍ୟରେ ନୂତନ ଜିଲା ଗଠନ ଉପରେ ଉଚ୍ଚ ନ୍ୟାୟାଳୟ ଅଙ୍କୁଶ

କଟକ : ରାଜ୍ୟରେ ନୂତନ ଜିଲା ଗଠନ ଉପରେ ଉଚ୍ଚ ନ୍ୟାୟାଳୟ ଅଙ୍କୁଶ ଲଗାଇଛନ୍ତି। ଅଦାଲତଙ୍କ ଅନୁମତି ବିନା ନୂତନ ଜିଲା ଘୋଷଣା କରାଯାଇ ପାରିବ ନାହିଁ କିମ୍ବା ସରକାର କୌଣସି ନିର୍ଦେଶନାମା ଜାରି କରିପାରିବେ ନାହିଁ। ନୂଆ ଜିଲା ଗଠନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିପାରିବେ ମାତ୍ର ବିନା ଅନୁମତିରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କରି ସ୍ପଷ୍ଟ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ସାଧନ ଲକ୍ଷ୍ୟରେ ନୂତନ ଜିଲା ଗଠନ କରାଯାଉଥିବା ନେଇ ରାଇରଙ୍ଗପୁରର ଆବେଦନକାରୀ ଅକ୍ଷୟ କୁମାର ମହାନ୍ତି ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଉଚ୍ଚନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌ ରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଉକ୍ତ ନିର୍ଦେଶ ଦେଇଛନ୍ତି।

ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗ ଆଦି ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟ ରଖି ନୂଆ ଜିଲା ଗଠନ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରୁଥିବା ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି। ଏହି ମାମଲାକୁ ଅଦାଲତ ଗ୍ରହଣ କରି ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦେଶ ପରେ ପଦ୍ମପୁର ଉପଖଣ୍ଡ ଜିଲା ମାନ୍ୟତା ପ୍ରସଙ୍ଗକୁ ଝଟକା ଲାଗିଛି। ରାଇରଙ୍ଗପୁରକୁ ଜିଲା ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି। ଏପରିସ୍ଥଳେ ସରକାର ରାଇରଙ୍ଗପୁରବାସୀଙ୍କ ଦାବି ବିଚାରକୁ ନନେଇ ପଦ୍ମପୁରକୁ ଜିଲା କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବାରୁ ଆବେଦନକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Comments are closed.