କେଜରିୱାଲଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ : କାହା ଘରେ ଧାରଣା ଦେବାର ଅଧିକାର ତୁମକୁ କିଏ ଦେଲା

0

ନୂଆଦିଲ୍ଲୀ : ଦିଲ୍ଲୀ ଆଇଏଏସ୍‍ ଅଧିକାରୀମାନଙ୍କ ଧର୍ମଘଟ ପ୍ରତ୍ୟାହାର ଦାବିରେ ଉପ-ରାଜ୍ୟପାଳ ଅନୀଲ ବୈଜଲଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଧାରଣା ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି। କିନ୍ତୁ ଏହି ଅନଶନକୁ ନେଇ ଅଡୁଆରେ ପଡିଯାଇଛନ୍ତି କେଜରିୱାଲ। କାହାରି ଘରେ ଅଥବା କାର୍ଯ୍ୟାଳୟ ବାହାରେ ଧାରଣା ଦେବାର ଅଧିକାର ତାଙ୍କୁ କିଏ ଦେଲେ ବୋଲି ଦିଲ୍ଲୀ ହାଇକୋର୍ଟ କେଜରିୱାଲଙ୍କୁ ସୋମବାର ପ୍ରଶ୍ନ କରିଛନ୍ତି। କେଜରିୱାଲଙ୍କ ଏଭଳି ପଦକ୍ଷେପକୁ ଅନଶନ ବୋଲି କୁହାଯାଇପାରିବ ନାହିଁ। କାହାରି ଘର ଅଥବା କାର୍ଯ୍ୟାଳୟ ବାହାରେ ଧାରଣା ଦିଆଯାଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। କେଜରିୱାଲ ଏବଂ ତାଙ୍କ କ୍ୟାବିନେଟ୍‍ ସହଯୋଗୀମାନଙ୍କୁ ଅନଶନ ଭଙ୍ଗ ନିର୍ଦେଶ ଦେବାକୁ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା କରିଥିବା ଏକ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଅନ୍ୟପଟେ ଆଇଏସ୍‍ ଅଧିକାରୀମାନେ ଧର୍ମଘଟ ଅଭିଯୋଗକୁ ଅସ୍ୱୀକାର କରିବା ସହିତ ସମସ୍ତ ସରକାରୀ ବୈଠକରେ ଯୋଗ ଦେଇଆସୁଥିବା ଆଇଏଏସ୍‍ ସଂଘ ପକ୍ଷରୁ ରବିବାର କୁହାଯାଇଥିଲା। ମାତ୍ର ମନ୍ତ୍ରୀମାନଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗଦେଇ ନ ଥିବା କଥା ଆଇଏଏସ୍‍ମାନେ ସ୍ୱୀକାର କରିଛନ୍ତି ବୋଲି ହାଇକୋର୍ଟରେ ଶୁଣାଣିବେଳେ ଦିଲ୍ଲୀ ସରକାରଙ୍କ ଓକିଲ କହିଛନ୍ତି।

Leave A Reply