୨୪ ଘଣ୍ଟାରେ ୭ ଜିଲାକୁ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଥିବା ଲଘୁଚାପ ଏବେ ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡର ପାଶ୍ବବର୍ତ୍ତୀ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ଆସନ୍ତା ସପ୍ତାହ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ହେବ। କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ସମୁଦ୍ର ଅଶାନ୍ତ ରହିବା ସହ ପ୍ରବଳ ବେଗରେ ପବନ ବହିବା ଓ ଉଚ୍ଚ ଢ଼େଉ ଆସିବାର ସମ୍ଭାବନା ଥିବାରୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଓ ପୂର୍ବ ରାଜସ୍ଥାନ, ଦକ୍ଷିଣ ହରିୟାନା ଓ ଉତ୍ତର ଚ୍ଛତିଶଗଡ଼ ଉପରେ ଏବେ ଘୂର୍ଣ୍ଣିବଳୟ ରହିଛି। ଏପରିସ୍ଥଳେ ଦେଶର ବିଭିନ୍ନ ପ୍ରାନ୍ତରେ ଏବେ ମୌସୁମି ସମ୍ପୂର୍ଣ୍ଣ ଭାବେ ସକ୍ରିୟ ରହିଛି। ଗତ ମାସେ ହେଲା ଓଡ଼ିଶାରେ ସୁପ୍ତ ହୋଇ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଏବେ ଲଘୁଚାପ ପ୍ରଭାବରେ ବେଶ୍‌ ସକ୍ରିୟ ହୋଇ ରହିଛି। ଆସନ୍ତା ୨୯ ତାରିଖ ପର୍ୟ୍ୟନ୍ତ ସମଗ୍ର ରାଜ୍ୟରେ ବର୍ଷା ପାଗ ଲାଗି ରହିବା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

୩୧ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ଥିବାରୁ ପୁଣି ବର୍ଷାର ଅବଧି ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ପାଇଁ ପ୍ରସ୍ତୁତ ରହିବା ପାଇଁ ଉକ୍ତ ଜିଲାମାନଙ୍କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୮ ତାରିଖ ସକାଳୁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲାରେ ପ୍ରବଳ ବର୍ଷା ହେବ। ଗତ ରାତିରେ ଅଧିକ ବର୍ଷା ହୋଇଥିବା ବେଳେ ଆଜି ସକାଳେ ଏହା ହ୍ରାସ ପାଇଥିଲା। ଆଜି ସକାଳ ସୁଦ୍ଧା ବଲାଙ୍ଗୀରରେ ସର୍ବାଧିକ ୧୦୧ ମିମି, ପୁରୀରେ ୮୩.୭ ମିମି, କଟକରେ ୩୮.୨ ମିମି, କୋରାପୁଟରେ ୩୬.୪ ମିମି, ଟିଟିଲାଗଡ଼ ଓ ଅନୁଗୋଳରେ ୩୨ ମିମି, ବାରିପଦାରେ ୨୩.୮ ମିମି, କେନ୍ଦୁଝରରେ ୨୨.୨ ମିମି ବର୍ଷା ରେକର୍ଡ କରାଯାଇଛି।

Comments are closed.