ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ

0

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଡହ ଡହ ଖରାକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଆଗାମୀ ପାଞ୍ଚ ଦିନ ପାଇଁ ରାଜ୍ୟରେ ଏପରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ୮ଟି ଜିଲା ପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ହିଟ୍‍ୱେଭ୍‍ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

prayash

ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସହିତ ଉପକୂଳ ଓଡ଼ିଶାରେ ବି ଅସହ୍ୟ ତାତି ଅନୁଭୂତ ହେଉଛି। ରବିବାର ରାଜ୍ୟର ୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ଭୁବନେଶ୍ୱରରେ ସର୍ବାଧିକ ୪୨.୩ ଡିଗ୍ରୀ ରେକର୍ଡ଼ କରାଯାଇଛି। ଚାନ୍ଦବାଲିରେ ପାରଦ ୪୦, କଟକରେ ୪୦.୨, ବାଲେଶ୍ୱରରେ ୩୯ ଡିଗ୍ରୀ ଉପରେ ରହିଛି। ସେହିପରି ଅନୁଗୋଳରେ ୪୧.୩ ଓ ବାରିପଦାରେ ୪୦.୪, ଝାରସୁଗୁଡ଼ା, ସୋନପୁର ଓ ସମ୍ବଲପୁରରେ ୩୯.୮, ହୀରାକୁଦରେ ୩୯.୧, ଭବାନୀପାଟଣାରେ ୪୦.୨, ବଲାଙ୍ଗୀରରେ ୪୦.୬ ଓ ଢେଙ୍କାନାଳରେ ୩୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।
ଖରା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସପ୍ତାହକ ପର୍ଯ୍ୟନ୍ତ ବଡ଼ଧରଣର ବର୍ଷାର ସମ୍ଭାବନା ନାହିଁ। ଦକ୍ଷିଣ ଓଡ଼ିଶା, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଉପକୂଳୀୟ ଆନ୍ଧ୍ରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯଦି ସକ୍ରିୟ ହୁଏ ତାହାହେଲେ ୨୨ ଓ ୨୩ ପରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଓୟୁଏଟି କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଉ ୫ ଦିନ ଲାଗି ରହିବ। ଅନୁମାନ କରାଯାଉଛି ଯେ ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ଅଧିକ ରହିବ ଏବଂ ୨୧/୨୨ ତାରିଖରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିବ। ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ୨୨ ତାରିଖ ପର୍ଯ୍ୟନ୍ତ ଉଣା ଅଧିକ ବୃଦ୍ଧି ପାଇବ। ଏହା ପରେପରେ ବାୟୁର ଦିଗ ପରିବର୍ତ୍ତନ ହେତୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଆଂଶିକ ମେଘୁଆ ରହିବା ସହ ତାପମାତ୍ରା କମି ସ୍ୱାଭାବିକ ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି।
ବର୍ତ୍ତମାନ ରାଜ୍ୟକୁ ପଶ୍ଚିମା ଗରମ ପବନ ବୋହୁଛି। ଅନୁମାନ କରାଯାଉଛି ଯେ ୨୧ ତାରିଖ ବେଳକୁ ବାୟୁର ଦିଗ ପରିବର୍ତ୍ତନ ହୋଇ ଉତ୍ତର ଆରବ ସାଗର ପବନ ଦକ୍ଷିଣ ଭାରତ ଦେଇ ଓଡ଼ିଶାକୁ ଆସିବ। ଏହାର ପ୍ରଭାବରେ ୨୩, ୨୪ ଓ ୨୫ ତାରିଖରେ ରାଜ୍ୟର କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବ। ୨୫ ତାରିଖ ବେଳକୁ ଭାରତର ସ୍ଥଳ ଭାଗର ଉତ୍ତପ୍ତ ଅଞ୍ଚଳ ପୂର୍ବ ଆଡ଼କୁ ଗତି କରିବ, ଫଳରେ ଏକ ମନସୁନ୍‍ ଟ୍ରଫ୍‍ ଲାଇନ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ସହିତ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଯାହା ଦକ୍ଷିଣ ପଶ୍ଚିମ ମୌସୁମି ବାୟୁକୁ ଉତ୍ତର ଭାଗକୁ ଟାଣି ଆଣିବ। ଏହା ସହିତ ଉତ୍ତର ବଙ୍ଗୋପ ସାଗର କିମ୍ବା ସଂଲଗ୍ନ ସ୍ଥଳ ଭାଗରେ ଅର୍ଥାତ୍‍ ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ଘୂର୍ଣ୍ଣିବଳୟ ସୃଷ୍ଟିହୋଇ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଦୁଇ ପ୍ରକ୍ରିୟା ଦ୍ୱାରା ମାସର ଶେଷ ସପ୍ତାହ ବେଳକୁ ମୌସୁମି ବର୍ଷା ସକ୍ରିୟ ହେବା ସହ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ମୌସୁମି ବର୍ଷା ଦକ୍ଷିଣ ଓଡ଼ିଶାରେ ୮/୯ ତାରିଖରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଉତ୍ତର ଓଡ଼ିଶାରେ ଦୁଇ ସପ୍ତାହ ବିଳମ୍ବ ହେଉଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଏଭଳି ପାର୍ଥକ୍ୟ ନିକଟ ଅତୀତରେ ଦେଖା ଯାଇନଥିଲା। ତେବେ ଚଳିତ ବର୍ଷ ମୌସୁମି ବର୍ଷାରେ ବ୍ୟତିକ୍ରମ ହେତୁ ଚାଷ କାର୍ଯ୍ୟ ବିଳମ୍ବ ହେବାକୁ ଯାଉଛି। ତେଣୁ ଧାନ ଚାଷ କରୁଥିବା କୃଷକ କମ୍‍ ଅବଧିର ବିହନ ସଂଗ୍ରହ କରି ରଖନ୍ତୁ। ତେବେ ଅଣ ଜଳସେଚିତ ଢ଼ିପ ଓ ମଧ୍ୟମ ଜମିରେ ବୁଣାବୁଣି କରନ୍ତୁ ନାହିଁ ଏବଂ ଢ଼ିପ ଜମିରେ ଚିନା ବାଦାମ, ମକା, ମାଣ୍ଡିଆ, ହରଡ଼, ରାଶି ପରି ଅଣଧାନ ଫସଲ ଲଗାଇବା ପାଇଁ ଡ଼ା ପଶୁପାଳକ ପରାମର୍ଶ ଦେଇଛନ୍ତି।

Leave A Reply